ଆସିଲା ଅନଲକ୍-୫.୦ ଗାଇଡ୍ଲାଇନ୍
1 min read
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୫.୦ ପାଇଁ ଗାଇଡ୍ଲାଇନ୍ ଜାରି କରଯାଇଛି। ଏହି ଗାଇଡଲାଇନ୍ ଅକ୍ଟୋବର ପହିଲାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂତନ ଗାଇଡଲାଇନରେ ସରକାର ଆଉ କେତେକ କଟକଣାକୁ କୋହଳ କରିଛନ୍ତି। ମନ୍ତ୍ରଣାଳୟର ଗାଇଡ୍ଲାଇନ୍ ଅନୁଯାୟୀ ଅନଲକ୍-୫.୦ରେ ସିନେମା ହଲ ଓ ମଲ୍ଟିପ୍ଲେକ୍ସ ୫୦ ପ୍ରତିଶତ ସିଟ୍ ସହ ଖୋଲିବ। ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଆସୁଥିବା ସିନେମା ହଲଗୁଡ଼ିକ ବନ୍ଦ ରହିବ।
ବାଣିଜ୍ୟିକ ପ୍ରଦର୍ଶନୀ ଆୟୋଜନକୁ ମଧ୍ୟ ଅନୁମତି ଦିଆଯାଇଛି। ଏଥିଲାଗି କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଏସଓପି ଜାରି କରିବ। ସେହିପରି କ୍ରୀଡ଼ାବିତଙ୍କ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ ସୁଇମିଂ ପୁଲ ଖୋଲା ରହିବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯିବ। ମନୋରଞ୍ଜନ ପାର୍କ ଓ ସମାନ ଧରଣର ପାର୍କଗୁଡ଼ିକୁ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି। ଏଥିଲାଗି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସଓପି ଜାରି କରିବ।
ଅନ୍ୟପକ୍ଷରେ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ରାଜ୍ୟ ସରକାରମାନଙ୍କୁ ଅକ୍ଟୋବର ୧୫ ପରେ କ୍ଷମତା ଦିଆଯାଇଛି। ଏଥିପାଇଁ ଅଭିଭାବକଙ୍କ ସହମତି ଜରୁରୀ। ଦେଶରେ ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ଅନୁମତି ଦିଆଯାଇନାହିଁ।
ସେହିଭଳି ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏସବୁ କାର୍ଯ୍ୟକ୍ରମର କଣ୍ଟେନମେଣ୍ଟ ଜୋନ୍ର ଲୋକ ସାମିଲ ହୋଇ ପାରିବେ ନାହିଁ। କେନ୍ଦ୍ର ସରକାର କଣ୍ଟେନମେଣ୍ଟ ଜୋନ୍ରେ ଜାରି ଲକ୍ଡାଉନ୍ ଅବଧିକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।