ଜେଲରେ ୨୮ ଦିନ କଣ କରୁଥିଲେ ରିୟା…

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ୨୮ ଦିନ ଜେଲରେ କାଟିବା ପରେ ଶେଷରେ ମୁକୁଳିଛନ୍ତି ରିୟା ଚକ୍ରବର୍ତ୍ତୀ। ମାତ୍ର ଏହି ମାମଲାରେ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କୁ ଜାମିନ ମିଳିନାହିଁ।
ସୂଚନା ଅନୁଯାୟୀ, ରିୟାଙ୍କୁ ଡ୍ରଗ୍ସ ଲିଙ୍କ ମାମଲାରେ ସେପ୍ଟେମ୍ବର ୮ରେ ଗିରଫ କରିଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ସେବେଠୁ ସେ ଭାୟଖଲା ଜେଲରେ ରହିଥିଲେ। ୨୮ ଦିନ ପର୍ଯ୍ୟନ୍ତ ଜେଲରେ କଏଦୀ ହୋଇଥିଲେ ସେ। ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଖୁଲାସା କରିଛନ୍ତି।
ସତୀଶ ରିୟାଙ୍କୁ ଜେଲରେ ଭେଟିବାକୁ ଯାଉଥିଲେ। ଜେଲରେ ରିୟାଙ୍କୁ ଅବସାଦରେ ନ ଦେଖି ସେ ଖୁସି ହୋଇଥିଲେ। ରିୟା ଜେଲରେ କଏଦୀଙ୍କୁ ଯୋଗ ଶିଖାଉଥିଲେ। ସେ ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ଯୋଗ ଟ୍ରେନିଂ ଦେଉଥିଲେ। କରୋନା ସଂକ୍ରମଣ ଯୋଗୁ ରିୟାଙ୍କୁ ଘର ଖାଦ୍ୟ ମଧ୍ୟ ମିଳିନଥିଲା। ରିୟା କଏଦୀ ଖାଉଥିବା ସାଧାରଣ ଖାଦ୍ୟ ବି ଖାଉଥିଲେ। ରିୟା ଜେଲରୁ ମୁକୁଳିବା ପରେ ସତୀଶ କହିଛନ୍ତି ନ୍ୟାୟର ବିଜୟ ହୋଇଛି। ରିୟାଙ୍କ ଗିରଫ ଆଇନ ଅନୁସାରେ ଠିକ୍ ନଥିଲା।