ଖଟିଆରେ ବୁହା ହୋଇ ନଦୀ ପାରି ହେଲେ ଗର୍ଭବତୀ

ମୟୁରଭଞ୍ଜ(ଅବିନାଶ ମହାନ୍ତି): ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡ଼ି ଫଚାୟତର କୁସୁମତୋଟା ଗ୍ରାମର ସିରୁ କିୟୁଙ୍କ ସ୍ତ୍ରୀ ଧାନି କିସ୍କୁ ଗର୍ଭବତୀ ଥିଲେ। ଗତ ଶୁକ୍ରବାର ରାତିରେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଉକ୍ତ ଗାଁକୁ ଯିବା ପାଇଁ ସବୁଦିନିଆ ରାସ୍ତା ନଥିବାରୁ ବୁଢ଼ାବଳଙ୍ଗ ନଦୀ ପାର ହୋଇ ଯିବା ପାଇଁ ପଡ଼େ। ରାତିରେ ନଦୀ ପାର ହେବାକୁ ବିପଦ ମନେ କରି ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ଶନିବାର ସକାଳୁ ସ୍ଥାନୀୟ ଗ୍ରାମବାସୀ ଏବଂ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଖଟିଆରେ ବୋହି ନଦୀ ପାର କରାଯାଇଥିଲା। କିଛି ସମୟ ଅପେକ୍ଷା ପରେ ଆମ୍ବୁଲାନ୍ସ ପହଂଚିବାରୁ ନିକଟସ୍ଥ ଆଶା ଦିଦି ରଇବାରି ନାଏକଙ୍କ ସହ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପହଂଚି ଚିକିତ୍ସା ପରେ ଏକ ମୃତ ଶିଶୁ ଜନ୍ମ ଦେଲେ । ତେବେ ଠିକ ସମୟରେ ଚିକିତ୍ସା ସୁବିଧା ମିଳିଥିଲେ ହୁଏତ ଶିଶୁଟି ବଂଚି ଯାଇଥାନ୍ତା ବୋଲି ବାଙ୍ଗିରିପୋଷି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଙ୍ଗରିପୋଷି ବ୍ଲକରେ ଏହି ଅସୁବିଧା ନେଇ ବହୁବାର ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଉକ୍ତ ଗ୍ରାମବାସୀ ମାନଙ୍କର ସ୍ଥିତି ବଦଳିପାରୁ ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ମଲା ଶିଶୁର ଜନ୍ମ ପାଇଁ ଦାୟୀ କିଏ? ମାଆ ମୁଁହରୁ ହସ ଛଡାଇ ନେବାକୁ ଅଧିକାର ଦେଲା କିଏ? ସରକାର ନା ସ୍ଥାନୀୟ ପ୍ରଶାସନ ଓ ବିଧାୟକ ଏହାର ଉତ୍ତର ଦେବ କିଏ?