ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦର ଆସିଲା ଫାଷ୍ଟ ଲୁକ୍
1 min read
ଅଯୋଧ୍ୟାରେ ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ନିର୍ମାଣ ହେବ ମସଜିଦ । ଭବ୍ୟ ରାମ ମନ୍ଦିର ଭଳି ମସଜିଦକୁ ମଧ୍ୟ ଅତି ସୁନ୍ଦର ଭାବେ ନିର୍ମଣ କରାଯିବ। ମସଜିଦ୍ ନିର୍ମାଣ ଦାୟିତ୍ୱରେ ଥିବା ଟ୍ରଷ୍ଟ ଆଜି ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ମସଜିଦ ଓ ହସ୍ପିଟାଲର ପ୍ରତିକାତ୍ମକ ଫଟୋ ସାମ୍ନାକୁ ଆଣିଛି। ମସଜିଦର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାମ ପାଇଁ ଆସନ୍ତା ମାସରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଠାରେ ମସଜିଦ ସହ ହସ୍ପିଟାଲ ବି ତିଆରି ହେବ ।
ଉତ୍ତର ପ୍ରଦେଶର ଧାନ୍ନିପୁର ଠାରେ ନିର୍ମାଣ ହେବାକୁ ଥିବା ମସଜିଦର ନାଁ କ’ଣ ରହିବ, ତା’ହା ସ୍ଥିର ହୋଇନାହିଁ। କିନ୍ତୁ କୌଣସି ରାଜା କିମ୍ବା ମହାରାଜଙ୍କ ନାଁରେ ଏହାକୁ ନାମିତ କରାଯିବ ନାହିଁ ବୋଲି ଇଣ୍ଡୋ-ଇସଲାମିକ କଲଚର ଫାଉଣ୍ଡେସନ ଟ୍ରଷ୍ଟ କହିଛି। ମସଜିଦ୍କୁ ଅତ୍ୟନ୍ତ ଭବ୍ୟ ଭାବେ ତିଆରି କରାଯିବ। ଏହାର ଉପର ଭାଗରେ କାଚ ଓ ତା’ର ଜାଲି ଲାଗିବ। ଅଲଟ୍ରା ମଡର୍ଣ୍ଣ ଷ୍ଟାଇଲରେ ଏହାକୁ ତିଆରି କରାଯିବ। ଏହା ମଧ୍ୟରେ ଏକାଥରେ ୨ ହଜାର ଲୋକ ନମାଜ ପଢ଼ିପାରିବେ।
ସେହିପରି ଏହାର ପଛ ଭାଗରେ ଗୋଟିଏ ସୁଉଚ୍ଚ ହସ୍ପିଟାଲ ତିଆରି କରାଯିବ। ମସଜିଦ ପାଖରେ ଗୋଟିଏ ସଂଗ୍ରହାଳୟ ରହିବ। ଏଥିରେ ଉଭୟ ହିନ୍ଦୁ ଓ ମୁସଲିମ ଧର୍ମର ସଂଘର୍ଷ ଏବଂ ଭାଇଚାରାର କାହାଣୀ ଉପଲବ୍ଧ ହେବ। ଉତ୍ତର ପ୍ରଦେଶ ସରକାର ମସଜିଦ୍ ତିଆରି ପାଇଁ ମୁସଲିମ ପକ୍ଷକୁ ୫ ଏକର ଜମି ଦେଇଛନ୍ତି। ସେହି ଜମିରେ ଟ୍ରଷ୍ଟ ପକ୍ଷରୁ ମସଜିଦ ନିର୍ମାଣ କରାଯିବ।