ଭିନ୍ନ ଏକ କୋଣାର୍କ: ସରିନି ନିର୍ମାଣ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେ ଲା ଗ୍ରାମ ପଞ୍ଚାୟତ ସମ୍ମୁଖରେ ଥିବା ଅର୍ଦ୍ଧ ନିର୍ମିତ ନଅ ଟି କୋଠରୀ ବିଶିଷ୍ଟ ଦୋକାନ ଗୃହ। ଆଜିଠୁ ୧୫ ବର୍ଷ ତଳେ ଆରମ୍ଭ ହୋଇଥିଲା ଏହାର ନିର୍ମାଣ କାମ । କିନ୍ତୁ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇ ପାରି ନାହିଁ । ପନ୍ଦର ବର୍ଷ ପୂର୍ବେ ଝୁମ୍ପୁଡି ଘରେ ଏଇଠି ବିଭିନ୍ନ ଦୋକାନ କରି ଜୀବିକା ନିର୍ବାହ କରୁଥିଲେ ଦଶ ଗୋଟି ପରିବାର । ତାଙ୍କୁ ଦେଖେଇ ଦିଆଗଲା ମାର୍କେଟ କମ୍ପ୍ଲେକ୍ସ ର ସ୍ବପ୍ନ । ଆଉ ସେଇ ସ୍ବପ୍ନ ଆଳରେ ଭାଙ୍ଗି ଦିଆଗଲା ତାଙ୍କର ଝୁମ୍ପୁଡ଼ି ଦୋକାନ ଗୃହ ।
ତେବେ କେଉଁଠି ରହିଲା ନିର୍ମାଣ କାମରେ ଅସୁବିଧା ? କାହିଁକି ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ କାମ ? ଏ ସମ୍ପର୍କରେ ବୁଝିବା ପାଇଁ ଆମ ପ୍ରତିନିଧି ପ୍ରତ୍ୟକ୍ଷ ଭାବରେ ପ୍ରତିକ୍ରିୟା ନେଇ ପାରି ନ ଥିଲେ ମଧ୍ୟ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ । ସେ କହୁଛନ୍ତି , ବି ଡି ଓ କହି ପାରିବେ ଏ ନିର୍ମାଣ କାର୍ଯ୍ୟ ର କଥା । ତେବେ ବର୍ତ୍ତମାନ କ୍ଷମତାରେ ଥିବା ସରପଞ୍ଚ ଏ କାମ ଟିକୁ ସମ୍ପୂର୍ଣ୍ଣ କରିବା ପାଇଁ କିଛି ଦିନ ପୂର୍ବେ ଚେଷ୍ଟା କରିଥିଲେ । ବାଲି, ସିମେଣ୍ଟ , ଇଟା ଆଣି କାମ ଆରମ୍ଭ ମଧ୍ୟ କରି ସାରି ଥିଲେ । ହେଲେ ତାଙ୍କୁ ରୋକିଲା କିଏ ?
ତେବେ କିଏ କହୁଛି ସତ ଏବଂ କିଏ କହୁଛି ମିଛ , ଆଉ ଏ କାମ ନ ହେବା ପଛରେ କାହାର ରହିଛି ସ୍ୱାର୍ଥ ? ସେ ସମ୍ପର୍କ ରେ ଜାଣିବା ପାଇଁ ଆମେ ଯୋଗାଯୋଗ କରିଥିଲୁ ଗୋଷ୍ଠି ଉନ୍ନୟନ ଅଧିକାରୀ , କୋମନା ଙ୍କ ସହିତ । ହେଲେ ଏଠି ସାଧାରଣ ଜନତା ଏ ମାର୍କେଟ କମ୍ପ୍ଲେକ୍ସ କୁ ଚାହିଁ ଚାହିଁ କେତେ ଜଣ ଙ୍କ ର ଜୀବନ ମଧ୍ୟ ଚାଲି ଗଲାଣି ।
ଏଇଠି ଆପଣଙ୍କୁ ମନେ ପକାଇ ଦେବା ପାଇଁ ଚାହିଁବୁ କୋଣାର୍କ ମନ୍ଦିର ନିର୍ମାଣର କଥା । ୧୨୦୦ ବଢେଇ, ୧୨ ବର୍ଷରେ ଗଢି ତୋଳି ଥିଲେ କୋଣାର୍କ । କିନ୍ତୁ ଏ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଅବଧି କୋଣାର୍କ ଠୁ ମଧ୍ୟ ବଳି ଗଲାଣି । ଦେଖାଯାଉ କଉ ଧରମା ଏହାର ମୁଣ୍ଡି ମାରୁଛି । ତାହେଲେ କଉ ଫାଇଲ ତଳେ ଲୁଚିଛି ଏଇ ମାର୍କେଟ କମ୍ପ୍ଲେକ୍ସ ର ଜୀବନ । ନାଁ ଅଛି ଫଳକ ଟିଏ, ନାଁ ଅଛି ଅଟକଳ ର ବିବରଣୀ । ଏହା ଏବେ ତଦନ୍ତ କରିବାର ସମୟ ଆସିଛି , ନ ହେଲେ ସାଧାରଣ ଜନତା ଏହାକୁ କେବେ କ୍ଷମା କରିବେ ନି ।