ସାମ୍ବାଦିକ ନା ଦଲାଲ: ପଦାକୁ ଆସିଲା ନକଲି ସାମ୍ବାଦିକଙ୍କ କଳାକାରନାମା, ବନ୍ଧା ହୋଇ ଏବେ ଜେଲରେ ସାମ୍ବାଦିକ ୪୨୦

ଭୁବନେଶ୍ୱର: ମାଲ୍ ଛାଡ ନହେଲେ ଟେଲିକାଷ୍ଟ କରିଦେବୁ। ପୋଲିସକୁ ଡାକି ପର୍ଦ୍ଦାଫାସ କରିଦେବୁ। ନ୍ୟୁଜ୍ ଏମିତି ବଜେଇବୁ, ପୂରା ବରବାଦ କରିଦେବୁ… ଏମିତି କିଛି ଧମକ, ଚମକ ଦେଇ ବଟି ମାଗୁଥିଲେ ଆଉ ଟଙ୍କା ଚଳୁ କରିବାର ଜାଲ ବିଛାଇଥିଲେ ଦଲାଲ ସାମ୍ବାଦିକ। ହେଲେ ମହଙ୍ଗା ପଡିଲା ଦଲାଲ ସାମ୍ବାଦିକଙ୍କ ୪୨୦ କାମ। ଆଉ ଜଣ ଜଣ କରି ୬ ଜଣଙ୍କ ହାତରେ ହାତକଡି ପକାଇ ବାନ୍ଧିନେଲା ପୋଲିସ।
କମିଶନରେଟ ପୋଲିସ ପର୍ଦ୍ଦାଫାସ କଲା କିଛି ୱେବ୍ ଚ୍ୟାନେଲ ସାମ୍ବାଦିକ (ଚଙ୍ଗୁ ,ମଙ୍ଗୁ ,ଟିଙ୍ଗୁ ,ପିଙ୍ଗୁ ଏଣ୍ଡ୍ କୋ)ଙ୍କ କଳା କାରନାମା।

ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ୍ କରିବାର ଭୟ ଦେଖାଇ ଏ ଦଲାଲ ସାମ୍ବାଦିକ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ପ୍ରଥମ କିସ୍ତିରେ ୯୯ ହଜାର ଏବଂ ପରେ ୩୪ ହଜାର ଟଙ୍କା ନେଇଥିଲେ।
ସମସ୍ତେ ନିଜକୁ ସାମ୍ବାଦିକ କହି, ଏକ ୱେବ୍ ଚ୍ୟାନେଲର ବୁମ ଦେଖାଇ ଟଙ୍କା ନେଇଥିଲେ। ତେବେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରି ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍। ଆଉ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା, ୨ଟି କାର, ୪ଟି ବାଇକ୍, ମୋବାଇଲ ଫୋନ ସହ ଆଇକାର୍ଡ ଜବତ କରାଯାଇଛି।

ତେବେ ଜାଣିବା ଆସନ୍ତୁ ଜାଣିବା କିଏ ସେହି କରିତକର୍ମା ସାମ୍ବାଦିକ ? ଯେଉଁମାନେ ବୁମର ବହପ ଦେଖାଇ, ସାମ୍ବାଦିକତାର ନାଁକୁ ବିକି ଟଙ୍କା ହଡପ କରୁଥିଲେ। ଜାଣନ୍ତୁ ସାମ୍ବାଦିକତା ନାଁରେ ଦଲାଲଗିରି କରୁଥିବା ଏହି ୬ ୱେବ ସାମ୍ବାଦିକଙ୍କୁ। କାହ୍ନୁ ଚରଣ ନାୟକ (ଟାଇମ୍ସ ଓଡିଆ), ବିନାୟକ ବେହେରା (ଆଇୟାଇଏ ନ୍ୟୁଜ୍), ବିଶ୍ୱରଞ୍ଜନ ମହାନ୍ତି (ଭିଜନ ଟିଭି), ଲକ୍ଷ୍ମୀକାନ୍ତ ସାହୁ (ଅନୟା ନ୍ୟୁଜ୍), ନୃସିଙ୍ଘ ବେହେରା (ଟାଇମ୍ସ ଓଡିଆ) ଓ ବଳରାମ ବେହେରା।
ଏବେ ଛତୁ ଫୁଟିଲା ପରି ଅନେକ ୱେବ ଚ୍ୟାନେଲ ଗଢି ଉଠୁଛି। କିଏ ନିଜକୁ ବଞ୍ଚାଇବାକୁ ଚ୍ୟାନେଲ କରୁଛି ତ କିଏ ଲୋକପ୍ରିୟତା ପାଇଁ। ଆଉ ଏମିତି କିଛି ଲୋକ ସାମ୍ବାଦିକତା ନାଁରେ ଟଙ୍କା ଆଦାୟ କରୁଛନ୍ତି।


ତେବେ ସାମ୍ବାଦିକତା ନାଁରେ ଦାଦା ବଟି ମାଗିବା କେତେ ଦୂର ଠିକ ? ଏମିତି କିଛି ଲୋକଙ୍କ ପାଇଁ ସାମ୍ବାଦିକ ଏବଂ ସାମ୍ବାଦିକତା ଉପରୁ ଲୋକଙ୍କ ଆସ୍ଥା ତୁଟିଯିବନି ତ ? ତେବେ ଏ ଘଟଣାରେ ଏକ ପ୍ରଶ୍ନ ଉଠେ….. ସମୃକ୍ତ ଘିଅ କମ୍ପାନୀର ଏମିତି କି ଦୋଷ ଵା ଲାକୁନାର ଦସ୍ତାବିଜ ଏହି ଚଙ୍ଗୁ ,ମଙ୍ଗୁଙ୍କ ପାଖରେ ଥିଲା। ଯାହାକୁ ନେଇ ତିନି ଲକ୍ଷ ଟଙ୍କାର ଡିଲ୍ ହେଲା। କେଉଁ ଦୋଷ ଦୁର୍ବଳତାକୁ ଲୁଚେଇ ବାକୁ ସେ ମଧ୍ୟ ଅଗ୍ରୀମ ୧ ଲକ୍ଷ ଦେଇ ଦେଲେ। ଠକ ସାମ୍ବାଦିକ ଯଦି ଟଙ୍କା ନେଇ ବନ୍ଧା ହେଲେ ତେବେ ଟଙ୍କା ଦେଇ ଥିବା ଘିଅ କମ୍ପାନୀ ମାଲିକ କାହିଁକି ନୁହେଁ ? ଏହା ତଦନ୍ତ ସାପେକ୍ଷ।

