September 26, 2023

Times One Odia

Odia News Portal

ଆଦିବାସୀଙ୍କ ବଉଳାଣୀ ଯାତ୍ରା

ଡାବୁଗାଁ(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଆଦିବାସୀ ଅଧୁଷିତ ଅଞ୍ଚଳରେ ସର୍ବସାଧାରଣ ଅନେକ ସ୍ଥାନୀୟ ପର୍ବପର୍ବାଣୀକୁ ଆପଣାଇ ନେଇଛନ୍ତି । ତନ୍ମଧ୍ୟରୁ ବଉଳାଣୀ ଯାତ୍ରା ଅନ୍ୟତମ । ଧାନକଟା ଶେଷ ହେବା ପରେ ଏହି ପର୍ବ ହୋଇଥାଏ । ପୌଷ ମାସର ମଙ୍ଗଳବାର ଦିନ ଏହି କୃଷିଭିତ୍ତିକ ପର୍ବ ପାଳନ ହୁଏ । ବଉଳାଣିର ଅର୍ଥ ହେଲା ଗାଁର ମଇଳା , ଆବର୍ଜନାକୁ ନେଇ ଗାଁ ବାହାରକୁ ପକାଇବା । ବଉଳାଣିର ପୂର୍ବଦିନ ଗ୍ରାମବାସୀ ରାତିରେ ସଭାରେ ବସନ୍ତି । ଗ୍ରାମ ଦେବାଦେବୀଙ୍କ ପ୍ରତିନିଧି, ଶିରା , ପୂଜାରୀ ସମସ୍ତେ ଏକାଠି ଆଲୋଚନା କରନ୍ତି । ତା ପରଦିନ ଗାଁ ସାରା ବଉଳାଣି ବିମାନ ଏବଂ ଡଲି ବୁଲି ବୁଲି ପ୍ରତି ସାହିରୁ ପ୍ରତ୍ୟେକ ପରିବାରରୁ ଆବର୍ଜନ ସ୍ଵରୂପ ଅଦରକାରୀ ଝାଡୁ , ଛିଣ୍ଡା ପଘା ଆଦି ସଂଗ୍ରହ କରାଯାଏ ।

ଅପରାହ୍ନରେ ବାଜା ବାଜଣା ସହ ଗାଁ ଉପକଣ୍ଠରେ ଥିବା ବିଲାନୀ ଭଟାରେ ବିମାନ ଓ ଡ଼ଲିକୁ ପୂଜା କରାଯାଏ ଏବଂ ଆବର୍ଜନା ଫୋପାଡି ଦିଆଯାଏ । ଲୋକଙ୍କ ବିଶ୍ଵାସ ଏପରି କଲେ ଗାଁରେ ରୋଗ , ବ୍ୟାଧି , ମହାମାରୀ ହୁଏ ନାହିଁ । ଆଜିର ‘ ସ୍ଵଚ୍ଛ ଭାରତ ’ ମିଶନର ଏହା ଏକ ପୂରାତନ ପରମ୍ପରା କହିଲେ ଚଳେ । ସନ୍ଧ୍ୟାରେ ବଉଳାଣୀ ଭଟାରେ ଗ୍ରାମବାସୀମାନେ ମେଣ୍ଢା , କୁକୁଡ଼ା ମାରି ଖିଆପିଆ କରି ଘରକୁ ଫେରନ୍ତି । ଏହି ପର୍ବ ଗ୍ରାମବାସୀ ମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖେ । ଏହା ପରେ କୃଷି ଭିତ୍ତିକ “ଦିଆଲୀ” ପର୍ବ ପାଳନ ପାଇଁ ଦିନ ସ୍ଥିର କରାଯାଏ । “ଦିଆଲି” ପର୍ବରେ ପ୍ରତ୍ୟେକ ଚାଷୀ ପରିବାର ନୂଆ ଫସଲରେ ଖେଚୁଡ଼ି , ବିରିପିଠା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରି ଗାଈଗୋରୁକୁ ସୁସଜ୍ଜିତ କରି ଗେଟା ପଘା ପିନ୍ଧାଇ ବନ୍ଦାପନା କରି ଖାଇବାକୁ ଦେଇଥାନ୍ତି ।

Leave a Reply

Your email address will not be published. Required fields are marked *