ଆଇପିଏଲରେ ପ୍ରଥମ କ୍ୱାଲିଫାୟର: ମୁମ୍ୱାଇ ଓ ଦିଲ୍ଲୀ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ଆଜି ଆଇପିଏଲ ୨୦୨୦ର ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଅନୁଷ୍ଠିତ ହେବ। ରାତି ୭ଟା ୩୦ ମିନିଟରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ। ମୋଟ୍ ୧୮ ପଏଂଟ ସହିତ ଟେବୁଲ ଟପର ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲସ। ଏହି ମ୍ୟାଚକୁ ଜିତିଲେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ମୁମ୍ୱାଇ ଇଣ୍ଡିଆନ୍ସ।
ସେହିପରି ମ୍ୟାଚ୍ ହାରିଲେ ଫାଇନାଲ ଖେଳିବାକୁ ଦଳକୁ ଏଲିମିନେଟର ମୁକାବିଲା ଜିତିବାକୁ ପଡିବ। ତେବେ ବିଜୟ ଲକ୍ଷ୍ୟରେ ଦୁଇ ଦଳ ପଡିଆକୁ ଓହ୍ଲାଇବେ। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିଅମରେ ଏହି ମ୍ୟାଚ ଖେଳାଯିବ। ପୂର୍ବରୁ ଲିଗ ପର୍ଯ୍ୟାୟରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ ଜିତି ଲିଗ ପର୍ଯ୍ୟାୟରେ ହାରିଥିବା ପ୍ରତିଶୋଧର ଲକ୍ଷ୍ୟ ରଖିବ ଦିଲ୍ଲୀ କ୍ୟାପିଟାଲସ।
ଅନ୍ୟ ପକ୍ଷରେ ଡ଼ିଫେଣ୍ଡିଙ୍ଗ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ୧୦ ୱିକେଟରେ ପରାସ୍ତ ହୋଇଛି। ଦଳର ବ୍ୟାଟିଂ ଲାଇନ୍ ଓ ବୋଲିଂ ଲାଇନ୍ କାମ ଦେଇନଥିଲା ଏହି ମ୍ୟାଚରେ। ତେବେ ଆଜି ପ୍ରଥମ କ୍ୱାଲିଫାୟର ମୁକାବିଲାରେ ରୋହିତ ଶର୍ମାଙ୍କ ମୁମ୍ୱାଇ ପୁରୁଣା ଲୟକୁ ଫେରିବା ନେଇ ଆଶା ରଖିଛନ୍ତି ମୁମ୍ୱାଇ ଫ୍ୟାନ।