ବର୍ଷେ ହେଲା ବସିନି ରୋଗୀକଲ୍ୟାଣ ସମିତି ବୈଠକ
1 min read
ଖଣ୍ଡପଡା(ଅଙ୍କିତା ପ୍ରିୟଦର୍ଶିନୀ): ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ମଧ୍ୟଦେଇ ଗତି କରୁଛି। ମାତ୍ର ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ଅପରପକ୍ଷେ ନିୟମିତ ଭାବେ ରୋଗୀକଲ୍ୟାଣ ସମିତି ବୈଠକ ବସୁନଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ପାରୁନଥିବା ଜଣାପଡିଛି। ଯାହାକୁ ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ୨୦୧୯ ମସିହା ସେପ୍ଟେମ୍ବର ମାସରେ ଶେଷଥର ପାଇଁ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଆଉ ବୈଠକ ବସିନଥିବା ବେଳେ ଚଳିତ ବର୍ଷ କୋଭିଡ-୧୯ ପରିସ୍ଥିତିକୁ ନେଇ ସବୁକିଛି ଠପ୍ ହୋଇଯାଇଛି।ରୋଗୀକଲ୍ୟାଣ ସମିତି ବୈଠକ ବସିନଥିବାରୁ ଏବାବଦ ଅନୁଦାନ ଅର୍ଥ ବିନିଯୋଗ ହୋଇନପାରି ଜାତୀୟକରଣ ବ୍ୟାଙ୍କ ଆକାଉଣ୍ଟରେ ପଡ଼ିରହିଛି। ସେହିପରି ନିକଟସ୍ଥ ଗଡିଆସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଅନୁରୂପ ଭାବେ ରୋଗୀକଲ୍ୟାଣ ସମିତି ବୈଠକ ବସିନଥିବା ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେବାକୁ ଅଞ୍ଚଳଵାସୀ ଦାବି କରିଛନ୍ତି।