ଲଘୁଚାପ ପ୍ରଭାବ: ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ବଙ୍ଗୋପସାଗରରେ ଓ୍ବେଲ ମାର୍କଡ ଲୋ ପ୍ରେସର ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସେହିପରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଜି ଓ ଆସନ୍ତାକାଲି କେବଳ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ହେବ। ଗୁରୁବାର ବର୍ଷାର ପରିମାର ଅଧିକ ହେବାର ସମ୍ଭାବନା ରହିଛି। ୪୦ରୁ ୫୦ କିମି ବେଗରେ ପବନ ବହିବ। ଏଥିସହିତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ସୂଚନା ଅନୁସାରେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇଛି। ଲଘୁଚାପ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଅନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ।
ସେହିପରି ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରି ପରବର୍ତି ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଜାରି ରହିଥିବା ସୂଚନା ମିଳିଛି।