ନ୍ୟୁଜ ଚ୍ୟାନେଲ ପାଇଁ ଗାଇଡଲାଇନ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଘରୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏମିତି ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି, ଯାହା ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗ୍ରୁପ୍ର ଛବିକୁ ଖରାପ କରୁଥିବା ଅଭିଯୋଗ ହେଉଛି। ସେହିପରି କିଛି ଗଣାମଧ୍ୟମ ଅର୍ଦ୍ଧ ସତ୍ୟ ଖବରକୁ ମଧ୍ୟ ପ୍ରସାରଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି।
ତେବେ ଏହାକୁ ଦୃଷ୍ଟିରେ ରଖି ଦେଶରେ ଥିବା ସମସ୍ତ ଘରୋଇ ଟିଭ ଚ୍ୟାନେଲ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ସବୁ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସାରଣ କରିବା ବେଳେ କେବୁଲ ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫କୁ ମାନିବାକୁ ପଡିବ।
ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଅଶାଳୀନ, ମାନହାନି ସୂଚକ, ଅର୍ଦ୍ଧ ସତ୍ୟ କିମ୍ବା ଜଣେ ବ୍ୟକ୍ତି ଓ ଗ୍ରୁପର ଛବିକୁ ଖରାପ କରିବା ଭଳି ଜାଣିଶୁଣି ଖବର ପ୍ରସାରଣ କରିପାରିବେ ନାହିଁ ବୋଲି ନିୟମ ବିଷୟରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରଣାଳୟ କହିଛି। ଯଦି ସେଭଳି କିଛି ହୁଏ, ତା’ହେଲେ ଚ୍ୟାନେଲ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ସେପଟେ ନିକଟରେ ଏନବିଏସ୍ଏ ଜାତୀୟ ଗଣମାଧ୍ୟମ ଆଜତକ ଉପରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପୋଷ୍ଟ କରିଥିବା ଗୋଟିଏ ଫେକ୍ ଟ୍ୱିଟ ପାଇଁ ୧ ଲକ୍ଷ ଟଙ୍କାର ଫାଇନ କରିଥିଲା। ଏଥିସହ ଜୀ ନ୍ୟୁଜ, ଇଣ୍ଡିଆ ଟିଭି ଓ ନ୍ୟୁଜ ୨୪ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମାଲର ଖବର ପ୍ରସାରଣ କରିବା ବେଳେ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ କ୍ଷମା ମାଗିବାକୁ କହିଥିଲା।