ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନେଇ ଜାରି ହେଲା ଗାଇଡଲାଇନ
1 min read
guidelines for reopening school and college
ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଦେଶରେ ଅନଲକ-୫.୦ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଅକ୍ଟୋବର ୧୫ ତାରିଖ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିପାରିବ। ଏହା ପୂର୍ବରୁ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ଶିକ୍ଷାନୁଷ୍ଠାନ ଖୋଲିପାରିବ ଓ ଏଥିପାଇଁ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ କରିବେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଥିଲା। ମାସ୍କ ଓ ସାମାଜିକ ଦୂରତା ନିୟମର ଅନୁପାଳନକୁ ବାଧ୍ୟତାମୂଳକ କରାଯାଇଛି। ସ୍କୁଲ ଓ କୋଚିଂ ସେଣ୍ଟର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ହିଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଏହାକୁ ଖୋଲିବାକୁ ଅନୁମତି ଦେବେ। ଉଚ୍ଚ ଶିକ୍ଷା ବିଭାଗ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହ ଆଲୋଚନା କରି କଲେଜ ଓ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲିବାର ସମୟ ଧାର୍ଯ୍ୟ କରିବେ। ଶିକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ଏସଓପି ସହ ରାଜ୍ୟ ସରକାରମାନେ ନିଜସ୍ୱ ଗାଇଡଲାଇନ ଜାରି କରିପାରିବେ। ଅନଲକ-୫.୦ରେ ଖୋଲିବାକୁ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ରାଜ୍ୟ ଶିକ୍ଷା ବିଭାଗ ପ୍ରସ୍ତୁତ କରିଥିବା ଏସଓପିକୁ ପାଳନ କରିବାକୁ ବାଧ୍ୟ ହେବେ। ଅନ୍ୟପକ୍ଷରେ କେବଳ ପିଏଚଡି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଖୋଲିବ। ବିଜ୍ଞାନ ଓ ଟେକ୍ନୋଲଜି ପାଠ୍ୟକ୍ରମ ପାଇଁ ଲ୍ୟାବ ଓ ଅନ୍ୟ କାମକୁ ଅନୁମତି ଦିଆଯାଇଛି। କେନ୍ଦ୍ରୀୟ ଅର୍ଥରେ ପରିଚାଳିତ ଏଚ୍ଇଆଇଗୁଡ଼ିକର ମୁଖ୍ୟ ହିଁ ଲ୍ୟାବ ଓ ଅନ୍ୟାନ୍ୟ ପରୀକ୍ଷାମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦେଇପାରିବେ। ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ଅନୁମତି ପରେ ଲ୍ୟାବ ଓ ବୈଷୟିକ କାର୍ଯ୍ୟକୁ ପୁଣିଥରେ ଆରମ୍ଭ କରିପାରିବେ।