ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ସଦର ମହକୁମା ନିକଟସ୍ଥ ଇନ୍ଦ୍ରାବତୀ ବ୍ରିଜ ତଳୁ ଏକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଯୁବତୀ ଜଣକ ହେଲେ ଖାତିଗୁଡ଼ା ପାଇକ ସାହିର ଅଭିମନ୍ୟୁ ପ୍ରଧାନୀଙ୍କ ଝିଅ ବିନତୀ ପ୍ରଧାନୀ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ବିନତୀ ରାତିରେ ଖାଇସାରି ଶୋଇବା ପରେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବତୀ ଜଣଙ୍କୁ ପାଇ ପାରିନଥିଲେ। ସକାଳୁ ଯୁବତୀ ଜଣକର ମୃତଦେହ ଇନ୍ଦ୍ରାବତୀ ବ୍ରିଜ ତଳେ ପଡ଼ି ରହିଥିବା ସ୍ଥାନୀୟ ଲୋକମାନେ ଦେଖି ଖାତିଗୁଡ଼ା ଥାନାକୁ ଖବର ଦେଇଥିଲେ। ଖବର ପାଇ ଖାତିଗୁଡା ଥାନା ଅଧିକାରୀ ଦୁର୍ଗା ମାଧବ ବାଗ ଘଟଣା ସ୍ଥଳରେ ପହଁଚି ଘଟଣା ଅନୁଧ୍ୟାନ କରିଛନ୍ତି। ସୂଚନା ମୁତାବକ ଗ୍ରାମବାସୀଙ୍କ କହିବା ଅନୁଯାୟୀ ମୃତ ଝିଅ ସେହି ଗାଁର ଜଣେ ପୁଅଙ୍କୁ ପ୍ରେମ କରିଥିବା ଜଣାପଡିଛି। ପ୍ରାୟ ପାଞ୍ଚଘଣ୍ଟା ତନାଘନା ପରେ ସନ୍ଦେହ ଘେରରେ ଥିବା ଉକ୍ତ ପ୍ରେମୀକୁ ଧରିବାରେ ଖାତିଗୁଡା ପୋଲିସ ସକ୍ଷମ ହୋଇଛନ୍ତି। ସେପଟେ ପୋଲିସ ତଦନ୍ତ ଜାରିରଖିଛି।