କାର୍ ସହ ୧୪୨ କେଜି ଗଞ୍ଜେଇ ଜବତ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ହାତରେ ଧରାପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ। ସେମାନଙ୍କ ଦ୍ୱାରା ବ୍ୟବହୃତ କାରରୁ ୧୪୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। କୌଣସି ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଏସଡିପିଓଙ୍କ ନିର୍ଦ୍ଦେଶରେ ପାପଡାହାଣ୍ଡି ଥାନା ଅଧିକାରୀ ସୁଭେନ୍ଧୁ ଶବରଙ୍କ ତତ୍ବାବଧାନରେ ଏକ ଟିମ୍ ମଇଦଲପୁର ଫାଣ୍ଡି ଅନ୍ତର୍ଗତ ସେମଳା ଗ୍ରାମ ନିକଟରେ ଜଗି ରହିଥିଲେ। କୋଷାଗୁମୁଡ଼ା ଆଡୁ ଏକ ଟାଟା କମ୍ପାନୀ କାର୍ ଦ୍ରୁତ ଗତିରେ କଳାହାଣ୍ଡି ଆଡକୁ ଯାଉଥିବା ବେଳେ ପୋଲିସକୁ ଦେଖି ରାସ୍ତା ବଦଳାଇ ଅନ୍ୟ ରାସ୍ତାରେ ଚାଲିଯାଉଥିଲା। ମାତ୍ର ପୋଲିସ ଗାଡିକୁ ଅଟକାଇ କାରରେ ଥିବା କୋରାପୁଟ ଅଂଚଳର ୨ ଜଣ ଯୁବକ ମଙ୍ଗରାଜ ଖରା ଏବଂ ରଞ୍ଜନ ହିଆଲକୁ କାବୁ କରି ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା। ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରୁ ତାହା ୧୪୨ କେଜି ବୋଲି ଜଣାପଡ଼ିଛି। ସେହିପରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।