କୋଭିଡ ନିୟମ ଉଲ୍ଲଂଘନ ଘଟଣା: ମନ୍ତ୍ରୀ ଓ ବିଧାୟକଙ୍କ ନାମରେ କୋର୍ଟରେ ମାମଲା

ପୁରୀ: ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ଉମା ସାମନ୍ତରାୟ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଗନ୍ନାଥ ସେନା କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଉଭୟଙ୍କ ନାମରେ ପୁରୀ ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ପୁରୀ ସମୁଦ୍ର କୂଳ ଥାନାରେ ଏନେଇ ଏତଲା ଦେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନ ହୋଇ ଜଗନ୍ନାଥ ସେନା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ସୂଚନାଯୋଗ୍ୟ, ଗତ ୪ ତାରିଖ ପୁରୀର ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ଼ ହେବା ନେଇ ପୁରୀ ସମୁଦ୍ର କୂଳ ଥାନାରେ ଏତଲା ଦେଇଥିଲେ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗଦେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଧାୟକ ଉମା ସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ବୋଲି ଜଗନ୍ନାଥ ସେନା ଅଭିଯୋଗ ଆଣିଥିଲା।