ଅବ୍ୟବସ୍ଥାରେ ବକ୍ସି ତୁଳସିପାଲି ଧାନମଣ୍ଡି
1 min read
ଜୁନାଗଡ଼(ରବି ଶଙ୍କର ସୁନାନୀ ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ବକ୍ସି ତୁଳସିପାଲି ଠାରେ ଥିବା ଧାନ ମଣ୍ଡି ରେ ଧାନ ବିକ୍ରି କରି ଆଣୁ ଥିବା ଚାଷୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି lଏହି ପଂଚାୟତ ର ମାଁ ଦିବ୍ୟଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଥିବା ବେଳେ୨୮୦ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜିକରଣ କରିଛନ୍ତି l ଏହି ଧାନ ମଣ୍ଡି ଖୋଲା ଆକାଶ ତଳେ ଚାଲିଥିବା ବେଳେ ଧାନ ବିକ୍ରି କରି ଆଣି ଥିବା ଚାଷୀ ମାନେ ବହୁ ସମସ୍ୟା ର ସମ୍ମୁଖିନ ହେଉଛନ୍ତି l
ଏପଟେ ମଣ୍ଡିରେ ଛାତ ନ ଥିବା ବେଳେ ଅନ୍ୟପଟେ ଏଲେକ୍ଟ୍ରିଫିକେସନ ର ମଧ୍ୟ କୌଣସି ପ୍ରକାର ସୁବିଧା ନ ଥିବାରୁ ଚାଷୀ ମଣ୍ଡିକୁ ଆଣିଥିବା ଧାନ ଜଗିବା ପାଇଁ ଶୀତ କାକର ଖାଇ ରାତିରେ ଖୋଲା ଆକାଶ ତଳେ ଶୋଇବାକୁ ପଡୁଛି l ପୁରୁଣା ଗୋଦାମ ଗୃହ ଟିଏ ଅଛି ହେଲେ ଏହାର ଚାରି କାନ୍ଥ ଫାଟି ଆଁ କରି ଯାଇଥିବା ବେଳେ ଛାତ ଏବଂ ସଟର ଭାଙ୍ଗି ଯାଇ ସବୁଆଡେ ମେଳା ହୋଇ ଯାଇଥିବା ଦେଖିବାକୁ ମିଳିଛି l ପାଚେରୀ ମଧ୍ୟ ନ ଥିବାରୁ ରାତିରେ ଧାନ ଚୋରି ହୋଇ ଯିବାର ବହୁତ ଆଶଙ୍କା ଥିବା ଚାଷୀମାନେ ପ୍ରକାଶ କରିଛନ୍ତି l ଏନେଇ ବାରମ୍ବାର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବ୍ୟବସ୍ଥା କରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l