September 27, 2023

Times One Odia

Odia News Portal

ଦୁର୍ଘଟଣାରେ ଆହତ ପଞ୍ଚାୟତ କର୍ମଚାରୀଙ୍କ ମୃତ୍ୟୁ

1 min read

ବେଲଗୁଣ୍ଠା: ଗତ ଚାରି ତାରିଖରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଖଇରପୁଟି ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ ହୋଇଛିI ସୂଚନା ଅନୁସାରେ, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଗତ ଚାରି ତାରିଖରେ ନିଜ ମୋଟରସାଇକେଲରେ ଖଇରପୁଟି ଅଭିମୁଖେ ଯାଉଥିବା ବେଳେ ବିଞ୍ଚଣା ଠାରେ ତାଙ୍କ ପଛ ପଟ୍ଟୁ ଏକ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲାI ସ୍କର୍ପିଓ ଧକ୍କାରେ ପୂର୍ଣ୍ଣ ଚନ୍ଦ୍ର ମୋଟରସାଇକେଲରୁ ଛିଟିକି ତଳେ କଚାଡି ହୋଇ ପଡିଯିବା ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲାI ସେହି ରାସ୍ତାରେ ଯାଉଥିବା କିଛି ସ୍ଥାନୀୟ ଲୋକ ପୂର୍ଣ୍ଣ ଚନ୍ଦ୍ରଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେI କିନ୍ତୁ ଅବସ୍ଥା ଗୁରୁତର ହେବାରୁ ସେଠୁ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲାI ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାରୁ ପୂର୍ଣ୍ଣ ଚନ୍ଦ୍ରଙ୍କୁ ପାଞ୍ଚ ତାରିଖରେ ଭୁବନେଶ୍ଵର ସ୍ଥିତ ଏମ୍ସ୍ ହସ୍ପିଟାଲକୁ ନିଆଯାଇ ସେଠାରେ ଛଅ ତାରିଖରେ ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର କରାଯାଇଥିଲା I ସେଠାରେ ଚାରି ଦିନ ରହିବା ପରେ ଗତ ଶନିବାର ରାତ୍ରି ଏଗାର ଘଣ୍ଟ ସମୟରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ନିଜ ବାସଭବନକୁ ଅଣାଯାଇଥିଲା I କିନ୍ତୁ ବାସଭବନକୁ ଆସିବା ପରେ ହଠାତ୍ ତାଙ୍କ ଦେହରେ ଜ୍ଵର ଆସିବାରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେବା ରାସ୍ତାରେ ଆମ୍ବୁଲାନ୍ସ ଭିତରେ ହିଁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା I ଖବର ପାଇ ବଡ଼ ମେଡିକାଲ୍ ଫାଣ୍ଡି ପୋଲିସ୍ ଶବକୁ ଜବତ କରି ବଡ଼ ମେଡିକାଲ୍ ରେ ଶବ ବ୍ୟବଚ୍ଛେଦ କଲା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲା I ସ୍ଵର୍ଗତ ବେହେରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଖଇରପୁଟି ସରପଞ୍ଚ ପ୍ରତିନିଧି ଦିଲ୍ଲୀପ ଜେନା, ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ, ଗ୍ରାମ ରୋଜଗାର ସେବକ ରବିନ୍ଦ୍ର ପାଣିଗ୍ରାହୀ ଏବଂ ଯୋଗାଣ ସହାୟକ ରାଜେଶ୍ ସ୍ଵାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯାଇ ପୂର୍ଣ୍ଣ ଚନ୍ଦ୍ରଙ୍କ ଅନ୍ତିମ ଦର୍ଶନ କରିବା ସହ ତାଙ୍କର ଶୋକ ପନ୍ତପ୍ତ ପରିବାରକୁ ସମ ବେଦନା ଜଣାଇଥିଲେ I ବେଲଗୁଣ୍ଠା ବ୍ଲକ୍ ର ସମସ୍ତ କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ରଙ୍କ ବିଧବା ସ୍ତ୍ରୀ ଏବଂ ଦୁଇ ଝିଅକୁ ସମବେଦନା ଜଣାଇବା ସହ କୋଡିଏ ହଜାର ଟଙ୍କାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି I ସ୍ଵର୍ଗତ ବେହେରାଙ୍କ ମୃତ୍ୟୁରେ ବେଲଗୁଣ୍ଠା ବ୍ଲକ୍ ଏବଂ ଖଇରପୁଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I

Leave a Reply

Your email address will not be published. Required fields are marked *