୨ ଶିଶୁ ମୃତ୍ୟୁ ଘଟଣାର ନୂଆ ମୋଡ଼

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ଚନ୍ଦାହାଣ୍ଡି ସଡକ ଦୁର୍ଘଟଣା ରେ ୨ ଶିଶୁ ମୃତ ଘଟଣାରେ ଆଜି ନୂଆ ମୋଡ ନେଇଛି। ଆଜି ଆଉ ଜଣେ ମୃତ ଶିଶୁ ର ଶବ ଗାଁ ରେ ପହଞ୍ଚିବା ପରେ ଗାଁ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶିଶୁ ର ଶବ କୁ କଂଗ୍ରେସ ନେତା କ୍ଷେମରାଜ ବାଘ, ସନ୍ତୋଷ ପଟ୍ଟନାୟକ, ହୁମେଶ୍ବର ହଂସ, କେଦାର ପୂଜାରୀ ପ୍ରମୁଖ ଶତାଧିକ ଲୋକ ପ୍ରାୟ ଅଢ଼େଇ କିଲୋମିଟର ବୋହି ଆଣି ଚନ୍ଦାହାଣ୍ଡି ବସଷ୍ଟାଣ୍ଡ ନିକଟରେ ମୁଖ୍ୟ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ମୃତକ ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବି କରାଯାଇଥିଲା।
କ୍ଷତିପୁରଣ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ମତ ପ୍ରକାଶ କରାଯାଇଥିଲା। ରାସ୍ତା ଉପରେ ଶବ ରଖିବା ଫଳରେ ରାସ୍ତା ର ଉଭୟ ପାଶ୍ବରରେ ଗାଡି ମୋଟର ଅଟକି ରହିଥିଲା। ପ୍ରକାଶ ଥାଉକି ଗତ କାଲି ଜଣେ ମୃତକ ଶିଶୁ ନନ୍ଦିନି ର ଶବ ଗାଁ ରେ ପହଞ୍ଚିବା ପରେ ତାଙ୍କ ଘର ଆଗରେ ରଖି ଗ୍ରାମବାସୀ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ପ୍ରଶାସନ ପକ୍ଷରୁ ଉତ୍ତ୍ୟକ୍ତ ଜନସାଧାରଣଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଉପରୁ ଶବକୁ ଉଠାଇଥିଲେ। ତେବେ ଜିଲ୍ଲାପାଳ ଙ୍କ ସହ ଫୋନ ରେ ଆଲୋଚନା ପରେ ମୃତକ ପରିବାର କୁ ତିନି ଲକ୍ଷ ଟଙ୍କା ପନ୍ଦର ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ତହସିଲଦାର ହୃଦାନନ୍ଦସିଂ ମାଝୀ ଲିଖିତ ଭାବେ ଦେବା ପରେ ଆନ୍ଦୋଳନ ରୁ ଓହରି ଥିଲେ । ଯଦି ପନ୍ଦର ଦିନ ମଧ୍ୟରେ କ୍ଷତି ପୂରଣ ନଦେଲେ ପୁନର୍ବାର ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି କଂଗ୍ରେସ ନେତା କ୍ଷେମରାଜ ବାଘ ଚେତାବନୀ ଦେଇଛନ୍ତି ।