ପୋଖରୀରୁ ଯୁବକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର
1 min read
ମୟୁରଭଞ୍ଜ(ଅବିନାଶ ମହାନ୍ତି): ଘରୁ ବାହାରକୁ ଯାଇଥିବା ପୁଅର ଫେରିଲା ମୃତଦେହ। ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ ବଡ଼ଝରଣ ପଞ୍ଚାୟତ ଅଧୀନରେ ଥିବା ପୋଖରିଆ-ମଦନଶିଳା ଗ୍ରାମ୍ଯ ପୋଖରୀରେ ଭାସୁଥିବା ଅବସ୍ଥାରେ ଯୁବକର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ। ସୂଚନାଯୋଗ୍ୟ ବଡ଼ଝରଣ ପଞ୍ଚାୟତର ବାଇଗଣକୁଦର ଗ୍ରାମର ନେଗା ପୂର୍ତ୍ତିଙ୍କ ବଡପୁଅ ଦାମ ପୂର୍ତ୍ତି ୨୫ ବର୍ଷ ସୋମବାର ସଂଧ୍ଯା ୭ଟାରେ ଘରୁ ଖାଇପିଇ ପେଣ୍ଟସାର୍ଟ ପିନ୍ଧି ଚାଲିଚାଲି ବାହାରକୁ ଯାଇଥିଲା। ମାତ୍ର ରାତିରେ ଘରକୁ ଫେରି ନ ଥିଲା ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।
ମୃତକ ଦାମ ପୂର୍ତ୍ତି ଟ୍ରାକ୍ଟର ଡ଼୍ରାଇଭର ଭାବେ କାମକରି ଘର ଚଳାଇଥାଏ। ମୃତକ ଦାମ ପୂର୍ତ୍ତିର ରୋଜଗାର ଉପରେ ନିର୍ଭର କରି ବୃଦ୍ଧ ବାପମାଆ,୩ ଭାଇ ୨ ଭଉଣୀ ଚଳିଥାନ୍ତି। ତେବେ ଆଜି ପୋଖରୀରେ ଏକ ମୃତଦେହ ଭାସୁଥିବା ଗ୍ରାମର ଲୋକମାନେ ଦେଖି ଥାନାକୁ ଖବର ଦେଇଥିଲେ । ଖବରପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଭାସୁଥିବା ମୃତଦେହକୁ ଉଦ୍ଧାର କରିଥିଲେ। ଉଦ୍ଧାର ମୃତଦେହ ଦାମ ପୂର୍ତ୍ତିର ବୋଲି ଚିହ୍ନଟ ହେବା ପରେ ମୃତଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ତେବେ ଉଦ୍ଧାର ହୋଇଥିବା ମୃତଦେହକୁ ଯାଞ୍ଚ ବେଳେ କାନ,ଆଖିପତା,ମୁହଁରେ କ୍ଷତ ଚିହ୍ନଥିବାର ଦେଖିବାକୁ ପାଇଛି ପୋଲିସ । ଯାହାକୁନେଇ ଏହା ଏକ ହତ୍ୟା ଘଟଣା ହୋଇଥାଇ ପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ସହିତ ସେହି ଆଧାରରେ ତଦନ୍ତ ଆଗକୁ ବଢ଼ିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।