September 28, 2023

Times One Odia

Odia News Portal

ବାଲେଶ୍ୱରର ଦାୟିତ୍ୱ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଭର୍ଚୁଆଲ ରାଲି ମାଧ୍ୟମରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବାଲେଶ୍ୱର ବିକାଶ ପାଇଁ ମୁଁ ଦାୟିତ୍ୱ ନେବି। ମୁଁ ଆପଣଙ୍କ ସହିତ ସବୁବେଳେ ଅଛି।

ବାଲେଶ୍ୱର ସଦର ଆସନରେ ଦଳୀୟ ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଲାଗି ଭର୍ଚୁଆଲ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ଦିନଟି ସ୍ମରଣୀୟ। କାରଣ ଠିକ୍ ୨୧ ବର୍ଷ ପୂର୍ବେ ଆଜିର ଦିନରେ ମହାବାତ୍ୟା ଆସିଥିଲା। ଉପକୂଳ ଓଡ଼ିଶା ଛାରଖାର ହୋଇଯାଇଥିଲା। ହେଲେ ଏବେ ବାତ୍ୟା ମୁକାବିଲାରେ ଓଡ଼ିଶା ମଡେଲ ପାଳଟିଛି। ମୁଁ ବାଲେଶ୍ୱର ଯାଇଥିଲେ ବହୁତ ଜନସମାଗମ ହୋଇଥାନ୍ତା। କିନ୍ତୁ ମୁଁ ଆପଣଙ୍କର ଜୀବନକୁ ବିପଦରେ ପକାଇବାକୁ ଚାହୁଁନାହିଁ। କୋଭିଡ ସ୍ଥିତି ସ୍ୱାଭାବିକ ହେଲେ ବାଲେଶ୍ୱର ଯିବି। ମୁଁ ଆପଣମାନଙ୍କ ସହ ସବୁବେଳେ ଅଛି ବୋଲି ବାଲେଶ୍ବରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ।

ସରକାରର ସଫଳତା ବର୍ଣ୍ଣନା କରି ବିଜେଡି ସୁପ୍ରିମୋ କହିଥିଲେ, ବସ୍ତି ବିକାଶ, ବିଜୁଳି ଯୋଗାଣ ଓ ପିଇବା ପାଣି ସୁବିଧା କରାଯାଉଛି। ପ୍ରତି ବସ୍ତିକୁ ଆଦର୍ଶ ବସ୍ତିରେ ପରିଣତ କରାଯାଉଛି। ଗରିବ ଲୋକଙ୍କୁ ଭୂମି ଅଧିକାର ଦିଆଯାଉଛି। ଗାଁର ଗରିବ ଲୋକଙ୍କୁ ଜମି, ଘର ଦିଆଯାଉଛି। ଜମିକୁ ପାଣି, ଗାଁକୁ ରାସ୍ତା, ବିଜୁଳି ଯୋଗାଇ ଦିଆଯାଉଛି। ମିଶନ ଶକ୍ତିର ମା’ମାନେ କୋଭିଡ ସମୟରେ ମଧ୍ୟ ଭଲ କାମ କରୁଛନ୍ତି। ମା’ମାନଙ୍କର ଉନ୍ନତି ମୋତେ ଖୁସି ଦେଉଛି। ଏଥିସହ  ବାଲେଶ୍ୱର ଆସିଲେ ଫକୀର ମୋହନ ସେନାପତିଙ୍କ କଥା ମନେପଡେ ବୋଲି ନବୀନ କହିଛନ୍ତି। ଫକୀରମୋହନ ସେନାପତିଙ୍କ ଦ୍ୱାରା ଲିଖିତ ଗଳ୍ପ ‘ରେବତୀ’ ଭଲ ଲାଗେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ବାଲେଶ୍ବର କଥାପଡ଼ିଲେ ବିଜୁ ବାବୁ ଓ ଏପିଜେ ଅବଦୁଲ କାଲାମ ବି ମନେପଡନ୍ତି ବୋଲି ସେ କହିଛନ୍ତି।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପଣମାନେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରକୁ ଯାଆନ୍ତୁ। ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଜିତାନ୍ତୁ। ଆପଣମାନେ ଜାଣନ୍ତି ସାଧାରଣ ନିର୍ବାଚନ ୩ ବର୍ଷ ରହିଲା। ଏହି ୩ ବର୍ଷ ମଧ୍ୟରେ ବହୁତ କାମ କରାଯାଇପାରିବ।

Leave a Reply

Your email address will not be published. Required fields are marked *