ଅଫିସ ପାଲଟିଲା ଘରୋଇ ସିମେଣ୍ଟ ଗୋଦାମ

ମୟୁରଭଞ୍ଜ(ଅବିନାଶ ମହାନ୍ତି): ସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି। ପଞ୍ଚାୟତ ଅଫିସରେ କଲେ ସିମେଣ୍ଟ ଗୋଦାମ। ଅନଲୋଡ଼ କରାଇଲେ ସିମେଣ୍ଟ। ସ୍ଥାନୀୟ ଲୋକଙ୍କ ବିରୋଧ। ତେବେ ନିର୍ବାଚିତ ସରପଞ୍ଚଙ୍କ ବଦଳରେ ପଞ୍ଚାୟତର ସମସ୍ତ ସରକାରୀ କାର୍ଯ୍ୟ ତାଙ୍କ ଇଙ୍ଗିତରେ ପରିଚାଳିତ ହୋଇ ଆସୁଥିବାରୁ ବିଭିନ୍ନ ଉନ୍ନୟନମୂଳକ ସରକାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି।ଅନ୍ୟପଟେ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ସବୁଠି ତାଙ୍କର ହସ୍ତକ୍ଷେପ ସତ୍ତ୍ୱେ ସରକାରୀ ବାବୁମାନେ ନୀରବ ସମର୍ଥନ ରହସ୍ୟମୟ ହୋଇ ରହିଛି।ତେବେ ଏଭଳି କ୍ଷେତ୍ରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ ନିର୍ଦ୍ଧେଶ ରହିଥିବା ବେଳେ ବ୍ୟତିକ୍ରମ ପଛରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀମାନଙ୍କ କଣ ସ୍ୱାର୍ଥ ରହିଛି ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଉଛି। ଯାହାକୁନେଇ ବିଭିନ୍ନ ସମୟରେ ନିର୍ବାଚିତ ୱାର୍ଡ ସଭ୍ୟମାନେ ବିରୋଧ କରିଥିଲେ ମଧ୍ୟ କାର୍ଯ୍ୟରତ ପିଇଓଙ୍କ ସମର୍ଥନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ସଂପୃକ୍ତ ପିଇଓଙ୍କ ସାଧୁତା ଓ ସ୍ୱଚ୍ଛତା ଏବେ ସନ୍ଦେହ ଘେରୋରେ। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ପଳାଶମୁଣ୍ଡଳୀ ପଞ୍ଚାୟତରେ ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସରେ ସରକାରୀ ଜିନିଷପତ୍ର ରହୁଥିବା ବେଳେ ପଳାଶମୁଣ୍ଡଳି ପଞ୍ଚାୟତ ଅଫିସ ପାଲଟିଛି ଘରୋଇ ସିମେଣ୍ଟ ଗଦାମ ।
ସୂଚନାଯୋଗ୍ୟ ଯେ ଜଣେ ଦବଙ୍ଗଗିରି ଦେଖାଇ ନିଜର ଘରକାମ ପାଇଁ ସିମେଣ୍ଟ ଆଣି ପଞ୍ଚାୟତ ଅଫିସ ଗୃହରେ ରଖିଥିବା ଭଳି ଅଭିଯୋଗ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏନେଇ ସ୍ଥାନୀୟ ଜନସାଧାରଣ ସଙ୍ଗେ ସଙ୍ଗେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପର୍ଶୁରାମ ସାହୁଙ୍କ ଫୋନରେ ଅଭିଯୋଗ କରି ଜଣାଇଛନ୍ତି । ପଞ୍ଚାୟତ ଅଫିସ ମଧ୍ୟରେ ଗୋଟିଏ କି ଦୁଇଟି ସିମେଣ୍ଟ ବସ୍ତା ରଖାଯାଇ ନାହିଁ ବଂର ଶହଶହ ସିମେଣ୍ଟ ବସ୍ତା ନିଜ ଗୃହ ଭାବି ରଖାଯାଇଛି । ଏନେଇ ପଞ୍ଚାୟତ ପିଇଓ ପର୍ଶୁରାମ ସାହୁଙ୍କୁ ଫୋନ ଯୋଗେ ପଚାରିବାରୁ କହିଛନ୍ତି ମୋ ଅଜାଣତରେ ସରପଞ୍ଚଙ୍କ ସ୍ୱାମୀ ସାବନା ବାସ୍କେ ସିମେଣ୍ଟ ରଖିଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ । ପିଇଓ ଶ୍ରୀ ସାହୁ କହିଛନ୍ତି ଯେ ସେହି ଗୃହ ଭିତରେ ସରକାରୀ ଟି ଏମ ସି ବେଡ ସହିତ କମ୍ପ୍ୟୁଟର ଥିବା ବେଳେ ସେହି ଗୃହର ତାଲା ପଞ୍ଚାୟତ ଅଫିସରେ କମ୍ପ୍ୟୁଟର କାମ କରୁଥିବା ପିଲା ପିଣ୍ଟୁ ପାଖରେ ଥାଏ , ସେ ବି କେମିତି ଚାବି ଦେଲା ବୋଲି ଓଲଟିଲା ପ୍ରଶ୍ନ କରିଛନ୍ତି । ତେବେ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରି କହିଛନ୍ତି ଯେ ସରପଞ୍ଚଙ୍କ ସ୍ୱାମୀ କଣ ମନ ଇଚ୍ଛା ତାଙ୍କର ବ୍ୟକ୍ତିଗତ କାମ ପାଇଁ ସରକାରୀ ପଞ୍ଚାୟତ ଅଫିସକୁ ବ୍ୟବହାର କରିପାରିବେ । ଏଠି ପ୍ରଶ୍ନ ଉଠେ ସରକାରୀ କମ୍ପ୍ୟୁଟରରେ ବହୁ ଦରକାରୀ ଡାଟା ରହୁଥିବା ବେଳେ ସିମେଣ୍ଟଗୁଣ୍ଡ କମ୍ପ୍ୟୁଟର ଭିତରେ ପଶି ନଷ୍ଟ ହୁଏ ସେଥିପାଇଁ ଦାୟୀ କିଏ ହେବ । ପଳାଶମୁଣ୍ଡଳି ପଞ୍ଚାୟତ ପିଇଓ ଶ୍ରୀ ସାହୁ କହିଥିଲେ ସରପଞ୍ଚଙ୍କ ସ୍ୱାମୀ ସାବନା ବାସ୍କେ ପଞ୍ଚାୟତ ଅଫିସ ଗୃହରେ ସିମେଣ୍ଟ ରଖିବା ପୁରାପୁରି ଭୁଲ । ଏନେଇ ମୁଁ ଆସନ୍ତା କାଲି ଲିଖିତ ଅଭିଯୋଗ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବି ।
ଅନ୍ୟପଟେ ସରପଞ୍ଚଙ୍କ ସ୍ୱାମୀ କୁହନ୍ତି ଏବେ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ଡିପାର୍ଟମେଣ୍ଟାଲ ହେଉଥିବାରୁ ସିମେଣ୍ଟର ଆବଶ୍ୟକତା ପୂରଣ ପାଇଁ ଗଚ୍ଛିତ ରଖାଯାଇଛି। ତେବେ ଏଥିପାଇଁ ପଞ୍ଚାୟତ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି କ୍ରମେ ସିମେଣ୍ଟ କିଣାଯାଇଛି ନା ମନମୁଖୀ ତାହା ଏବେଏକ ବଡ଼ ପ୍ରଶ୍ନ। ସେହିପରି ପଞ୍ଚାୟତ ଗୋଦାମରେ ଗଚ୍ଛିତ ସିମେଣ୍ଟର ଏବେ ମାଲିକ କିଏ ହେବ ପଞ୍ଚାୟତ ନା ସରପଞ୍ଚଙ୍କ ସ୍ୱାମୀ ? ଏହାବ୍ୟତୀତ ପଞ୍ଚାୟତର ନିଜସ୍ଵ ଗୋଦାମ ଗୃହ ରହିଥିଲା ବେଳେ ଉଦ୍ଧେଶ୍ୟମୂଳକ ଭାବେ ଅଫିସରେ ରଖାଯିବା ପଛରେ ପିଇଓଙ୍କ ସମ୍ମତି ନାହିଁତ ବୋଲି ଆଲୋଚନା ହେଉଛି। ଘଟଣାଟି ଲୋକଲୋଚନକୁ ଆସିବାରୁ ନିଜକୁ ଦୂରେଇ ରଖିବା ପାଇଁ ଚତୁର ପିଇଓ ଉଦ୍ୟମ କରୁନାହାନ୍ତି ତୋ ବୋଲି ସନ୍ଦେହ ପ୍ରକଟ କରି ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି।ତେବେ ଉପରିସ୍ଥ ଅଧିକାରୀ ହେଉ କି ପିଇଓ ଆଗକୁ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।