ଟ୍ରାନ୍ସଫର୍ମର ଚୋରକୁ ଧରିଲେ ଗ୍ରାମବାସୀ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରକୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଦୀର୍ଘ ଦିନ ଧରି ଏଭଳି ଲୁଟ୍ ଚାଲିଥିବା ବେଳେ ଲୁଟେରାଙ୍କ ଟେର ପାଉ ନ ଥିଲା ପୋଲିସ। କଟକ ଜିଲ୍ଲା ମାହାଙ୍ଗା ଅଂଚଳର ବିଭିନ୍ନ ସ୍ଥାନରୁ ନିୟମିତ ଭାବେ ଲୁଟେରା ମାନେ ରାତିରେ ବିପିଏଲ ବିଦ୍ୟୁତ୍ ଟ୍ରାନ୍ସଫର୍ମରକୁ ଖୋଲି ସେଥିରୁ କପର ତାର, ତେଲ ଓ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ ଚୋରିକରି ନେଇଯାଉ ଥିବାବେଳେ ଲୁଟେରାଙ୍କୁ ଧରିଲେ ଗ୍ରାମବାସୀ। ବିଳମ୍ବିତ ରାତିରେ ମାହାଙ୍ଗା ଥାନା ପଛପଟ ମାହାଙ୍ଗା ହାଟ ଛକ ନିକଟରୁ ଲୁଟେରାମାନେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି କରୁଥିବା ସମୟରେ ଗ୍ରାମବାସୀମାନେ ଜଣକୁ କାବୁ କରି ଧରିଥିବା ବେଳେ ଅନ୍ୟ ମାନେ ସେଠାରୁ ଖସି ଯାଇଛନ୍ତି। ଧରିଥିବା ଲୁଟେରା ନିକଟରୁ ଟ୍ରାନ୍ସଫର୍ମର ଅନ୍ୟାନ୍ୟ ସାମଗ୍ରୀ, ଏକ ବାଇକ ଜବତ କରି ଉକ୍ତ ଲୁଟେରାକୁ ମାହାଙ୍ଗା ପୋଲିସ ଜିମା ଦେଇଛନ୍ତି। ଧରା ପଡ଼ିଥିବା ଯୁବକ ଘର ସାଲେପୁର ଥାନା ମିର୍ଜାପୁର ଗ୍ରାମର ଅନିଲ ରାଉତ ବୋଲି ସେ କହୁଥିବା ବେଳେ ପୋଲିସ ତାକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏହି ଲୁଟ ଘଟଣାରେ ପାଞ୍ଚରୁ ଅଧିକ ଲୁଟେରା ସାମିଲ ଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।