ଖୁସି ଖବର: ୯୦ ପ୍ରତିଶତ ସଫଳ ହେଲା ଆମେରିକାରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲୀ : କରୋନା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ୯୦ ପ୍ରତିଶତ ସଫଳ ହୋଇଛି। ଏନେଇ ଆମେରିକାର ଟିକା ପ୍ରସ୍ତୁତକାରୀ ଫାର୍ମା କମ୍ପାନୀ ଫିଜର ଏବଂ ଜର୍ମାନୀର ଫାର୍ମା କମ୍ପାନୀ ବୟୋ ଆଣ୍ଡ୍ ଟେକ୍ ଘୋଷଣା କରିଛି। କରୋନା ଟିକାର ତୃତୀୟ ପର୍ଯାୟ ପରୀକ୍ଷଣରେ ୯୦ ପ୍ରତିଶତ ସଫଳତା ମିଳିଛି।
ତୃତୀୟ ପର୍ଯାୟ ପରୀକ୍ଷଣରେ କରୋନା ଭୂତାଣୁ ରୋକିବାରେ ଟିକା କାମ କରୁଥିବା ଜଣାପଡିଛି। ଏହି ପର୍ଯାୟ ପରୀକ୍ଷଣରେ ଟିକା କରୋନା ରୋକିବାରେ ଫଳପ୍ରଦ ହେଉଥିବା ଟିକା ବିକଶିତକାରୀ କମ୍ପାନୀ ସୂଚନା ଦେଇଛି। ଫିଜର କମ୍ପାନୀର ଚେୟାରପର୍ସନ ଏବଂ ସିଇଓ ଆଲର୍ବଟ୍ ବୋରୁଲା କହିଛନ୍ତି , ଆମେ ଏବେ କରୋନା ଟିକା ତିଆରୀ କରି ପୁରା ବିଶ୍ବକୁ ଦେବାର ପୁରା ନିକଟତର ହୋଇସାରିଛୁ।
ସେହିପରି ଚଳିତ ବର୍ଷ ଶେଷ ଆଡକୁ ୫୦ ମିଲିୟନ ଟିକା ପ୍ରସ୍ତୁତ କରି ସାରା ବିଶ୍ବକୁ ଯୋଗାଇ ଦିଆଯିବା ନେଇ କାମ ଚାଲୁଥିବା ଫାର୍ମା କମ୍ପାନୀ କହିଛି। ୨୦୨୧ ବର୍ଷ ସୁଦ୍ଧା ୧.୩ ବିଲିୟନ ଡୋଜ୍ ତିଆରୀ କରିବାକୁ କାମ ଚାଲିଥିବା ଆମେରିକାର ଟିକା ବିକଶିତ କରୁଥିବା ଫାର୍ମା କମ୍ପାନୀ ଫିଜର ପକ୍ଷରୁ ସୂଚନା ଦିଆଯାଇଛି।