ଜୀବନକୁ ବାଜିଲଗାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମହିଳା ସ୍ୱାସ୍ଥ୍ୟକର୍ମୀ

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ନିଜ ଜୀବନକୁ ବାଜି ଲଗାଇ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି କନ୍ଧମାଳ ଜିଲ୍ଲାର ସ୍ଵାସ୍ଥ୍ୟକର୍ମୀ। କରୋନା ମୁକବିଲା କରିବାରେ ଏମାନେ ଆଗଧାଡିର ଯୋଦ୍ଧା। ଏମାନଙ୍କ ନିଷ୍ଠାପର କାର୍ଯ୍ୟଯୋଗୁଁ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଛି। ମାସେ କି ଦୁଇ ମାସ ନୁହେଁ ଦୀର୍ଘ ୮ ମାସ ହେଲା ଏହି ସ୍ୱାସ୍ଥ୍ୟକର୍ମୀମାନେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବାଲିଗୁଡା ବ୍ଳକର ବାରଖମା ମେଡିକାଲ ଅଫିସର ଅଧିନ ବାଟା ଗୁଡ଼ା ପଞ୍ଚାୟତର ଉପ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞଳୀ ଦିଗାଲ ନିଜସହକର୍ମୀଙ୍କ ସହ ମିଶି ପଞ୍ଚାୟତର ସବୁ ଗାକୁ ଯାଇ କରୋନା ପରୀକ୍ଷା କରିବା ସହ ଲୋକଙ୍କୁ ସଚେତନ କରାଉଛନ୍ତି। ଆଗକୁ ଶୀତଦିନ ଆସୁଥିବାରୁ ସ୍ୱାସ୍ଥ୍ୟକର୍ମୀମାନେ ସଜାଗ ରହିବା ସହ କରୋନା ରେ ଲୋକ ଯେପରି ସଂକ୍ରମଣ ନ ହେବେ ସେ ନେଇ ଉଦ୍ୟମ ଜାରୀ ରଖିଥିବା କଥା କହିଛନ୍ତି ମହିଳା ସ୍ଵାସ୍ଥ୍ୟକର୍ମୀ ପୁଷ୍ପାଞଳୀ ଡିଗାଲ।
କେବଳ ସେ ଏକା ନୁହନ୍ତି ଜିଲ୍ଲାର ଶତାଧିକ ମହିଳା ଓ ପୁରୁଷ ସ୍ଵାସ୍ଥ୍ୟକର୍ମୀ, ଡାକ୍ତର, ଫାର୍ମାସିଷ୍ଟ, ସଫେଇ କର୍ମଚାରୀ, ଆଶା ଓ ଅଙ୍ଗନବାଡି କର୍ମୀମାନେ ମଧ୍ୟ ନିଜ ପରିବାରକୁ ପଛରେ ପକାଇବା ସହ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାକୁ କରୋନା ମୁକ୍ତ କରିବାକୁ ସତେ ଯେମିତି ଏମାନେ ପଣ କରିଛନ୍ତି।