ଭଙ୍ଗାପୋଲରେ ଜୀବନ ବନ୍ଧା: ବିପଦ ପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି ଅଞ୍ଚଳବାସୀ

କଳାହାଣ୍ଡି(ରମେଶ ଚନ୍ଦ୍ର ଗୋପାଳ): ଗ୍ରାମଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଥିଲେ ହେଁ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଂଚାୟତ ଲଛିପୁର ଗ୍ରାମରେ ତାହାର ବ୍ୟତିକ୍ରମ ଦେଖା ଦେଇଛି। ଲଛିପୁରରୁ ଚିତମୁଣ୍ଡା ଯିବା ରାସ୍ତାରେ ଥିବା ବ୍ରିଜ ସମ୍ପୂର୍ଣ ଭାଙ୍ଗି ଦବିଯାଇଛି। ଏହି ରାସ୍ତା ଉପରେ ଲଛିପୁର ଅଞ୍ଚଳବାସୀ ପର୍ଲା ଫ୍ୟାକ୍ସ୍ ତଥା ଗ୍ରାମପଂଚୟତକୁ ଯିବା ଆସିବା କରନ୍ତି।
ରାସ୍ତା ତଥା ବ୍ରିଜର ଅବସ୍ଥା ଏପରି ହୋଇଛି ଯେ ଜଣେ ସାଧାରଣ ମଣିଷ ଚାଲି କି ଯିବା ମୁସ୍କିଲ ହୋଇ ପଡୁଛି । ତଥାପି ଲୋକେ ବିପଦ ଅବସ୍ଥାରେ ନିଜ ଜୀବନକୁ ବିପଦରେ ଠେଲି ଦେଇ ମଧ୍ୟ ଭଗ୍ନ ବ୍ରିଜ ଉପରେ ଗାଡି ମଟରରେ ଯାତାୟତ କରୁଛନ୍ତି । ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମଞ୍ଚଳର ରାସ୍ତାଘାଟରେ ଉନ୍ନତି ଆଣିବା ସହ ଭିତ୍ତି ଭୂମିର ବିକାଶ ପାଇଁ ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି ।
ଏସବୁ ଯୋଜନା ଗାଁକୁ ଅପହଞ୍ଚ ହୋଇ ରହିଯାଉଥିବା ଉକ୍ତ ରାସ୍ତାର ଦୁରବସ୍ଥାରୁ ସ୍ପଷ୍ଟ ହୋଇଛି । ଗାଁ ଲୋକ କହିବା ଅନୁସାରେ ବାରମ୍ବାର ଗ୍ରାମପଞ୍ଚାୟତ ସରପଞ୍ଚ, ସ୍ଥାନୀୟ ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି । ତେଣୁ ସ୍ଥାନୀୟ ସରପଞ୍ଚ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନୂତନ ବ୍ରିଜ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି।