ଟ୍ରମ୍ପ ଆଉଟ, ବାଇଡେନ ଇନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ହାସଲ କରିଛନ୍ତି ଜୋ ବାଇଡେନ୍ । ଏବେ ବାଇଡେନ୍ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି । କମଲା ହାରିସ ହେବେ ଉପରାଷ୍ଟ୍ରପତି । ପେନସିଲଭାନିଆରେ ୨୦ ଇଲେକ୍ଟରାଲ ଭୋଟ୍ ହାସଲ କରିବା ପରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ପାଇଁ ହ୍ବାଇଟହାଉସ ରାସ୍ତା ସଫା ହୋଇସାରିଛି । ଆମେରିକା ରେ ରାଷ୍ଟ୍ରପତି ନିର୍ବାଚନରେ ବହୁମତ ୨୭୦ ରହିଥିବା ବେଳେ ବାଇଡେନ୍ ୨୯୦ ଇଲେକ୍ଟରାଲ ଭୋଟ୍ ହାସଲ କରି ସାରିଛନ୍ତି । ଆମେରିକାର ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ବାଇଡେନଙ୍କୁ ୨୯୦ ଏବଂ ଟ୍ରମ୍ପ ଙ୍କୁ ୨୧୪ ଇଲେକ୍ଟରାଲ୍ ଭୋଟ୍ ମିଳିଛି । ଶେଷ ଗଣନା ରିପୋର୍ଟ ଅନୁସାରେ ବାଇଡେନଙ୍କୁ ନାଭେଡା ଏବଂ ଜର୍ଜିଆର ଇଲେକ୍ଟରାଲ ଭୋଟ୍ ମିଳିଲେ ସଂଖ୍ୟା ୩୦୦ ଟପିଯିବ । ଆଜି ପେନସିଲଭାନିଆ ବିଜୟ ପରେ ପରେ ବାଇଡେନ୍ ଟୁଇଟ୍ କରି ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି , ମୁଁ ସମସ୍ତ ଆମେରିକୀୟଙ୍କ ରାଷ୍ଟ୍ରପତି । ବାଇଡେନଙ୍କ ବଡ ବିଜୟ ପରେ ପରେ ଡେମୋକ୍ରାଟିକ୍ ପାର୍ଟି କର୍ମି ଓ ସଦସ୍ୟଙ୍କ ମଧ୍ୟରେ ଖୁସି ଖେଳାଇ ଦେଇଛି । ଆତସବାଜି ଓ ସେଲିବ୍ରେସନରେ କମ୍ପୁଛି ଆମେରିକାର ସହର ରାସ୍ତା ।