ପଶ୍ଚିମ ଓଡ଼ିଶାର ନିଆରା ପରମ୍ପରା ଭାଇ ଯିଉନ୍ତିଆ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ପଶ୍ଚିମ ଓଡ଼ିଶାର ଏକ ନିଆରା ପରମ୍ପରା ଭାଇ ଯିଉନ୍ତିଆ। ପ୍ରତ୍ୟେକ ବର୍ଷ ଦଶହରା ଅଷ୍ଟମୀ ତିଥିରେ ପାଳନ କରାଯାଇଥାଏ ଏହି ପର୍ବ। ପରମ୍ପରା ଅନୁସାରେ ଏହି ଦିନ କୁଆଁରୀ ଝିଅ ମାନେ ନିଜ ଭାଇର ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିବା ଉଦ୍ଦେଶ୍ୟରେ କରିଥାନ୍ତି ଏହି ବ୍ରତ। ସକାଳୁ ନିର୍ଜଳା ଉପବାସ କରି ଝିଅ ମାନେ ପାରମ୍ପରିକ ବାଦ୍ୟ ଢୋଲ, ନିଶାନ୍, ମହୁରୀ ର ତାଳେ ତାଳେ ନାଚ ଗୀତ କରନ୍ତି। ଭକ୍ତି ଏବଂ ଉପାସନାର ଏକ ନିଆରା ପରମ୍ପରା। ଆଞ୍ଚଳିକ ଲୋକ ଗୀତ ଡାଲଖାଇ ଏହି ପର୍ବର ଏକ ମୁଖ୍ୟ ଆକର୍ଷଣ। ଝିଅମାନେ ଏଇ ଡାଲଖାଇ ଗୀତ ମାଧ୍ୟମରେ ମାଁ ଦୁର୍ଗା ଙ୍କ ନିକଟରେ ଜଣାଣ ରଖିଥାନ୍ତି। ଏଇ ଗୀତ ମାଧ୍ୟମରେ ନିଜ ଭାଇର ମଙ୍ଗଳ କାମନା ମଧ୍ୟ କରିଥାନ୍ତି।
ଦିନ ସାରା ପାରମ୍ପରିକ ନାଚ ଗୀତର ତାଳେ ତାଳେ ଝୁମି ଯିବା ପରେ ସମସ୍ତେ ସନ୍ଧ୍ୟା ସମୟରେ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ନିଷ୍ଠା ର ସହିତ କରିଥାନ୍ତି ମାଁ ଦୂର୍ଗା ଙ୍କ ଉପାସନା। କାମନା କରନ୍ତି ନିଜ ଭାଇର ଦୀର୍ଘ ଜୀବନ। ପୂଜାର୍ଚ୍ଚନା ସରିବା ପରେ ରାତିରେ ପୁଣି ଜମିଥାଏ ନାଚ ଗୀତର ଆସର। ଆର୍ ଦିନ ସକାଳୁ ଗାଧୋଇ ସାରି , ପୂଜାର୍ଚ୍ଚନା କରି ନିଜ ଭାଇ ହାତରେ ବାନ୍ଧି ଦିଅନ୍ତି ଜିଉଁନ୍ତିଆ। ଦୁଇ ଦିନ ଧରି ଧୁମଧାମରେ ସଂପନ୍ନ ହୁଏ ପଶ୍ଚିମ ଓଡ଼ିଶାର ଏଇ ନିଆରା ପରମ୍ପରା ଭାଇ ଜିଉନ୍ତିଆ।