Home Breaking News ପରଲୋକରେ କନ୍ଧମାଳର ଲୋକପ୍ରିୟ ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ

ପରଲୋକରେ କନ୍ଧମାଳର ଲୋକପ୍ରିୟ ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ

by Times One Odia
Share with
     
 
 
   

ଫୁଲବାଣୀ 18/1(ସୁନୀଲ ପଟନାୟକ ):

ଶିକ୍ଷା ଓ ବିଜ୍ଞାନ ମାଧ୍ୟମରେ କନ୍ଧମାଳର ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିବା ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ ଆଜି ୧୮ ଜାନୁଆରୀ ସକାଳ ୩ଟା ୩୮ ମିନଟ ସମୟରେ
ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଫୁଲବାଣୀର ସବୁଠୁ ପୁରୁଣା ଏଜେଓ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିପ୍ର ସାର୍ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଓ ରଚନାତ୍ମକ ଶିକ୍ଷକ ହିସାବରେ ଓ ନିଜର ମାଗଣା ହୋମିଓପାଥି ଚିକିତ୍ସା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ।

ପ୍ରତି ପିଲାର ରୁଚିକୁ ବୁଝି ତାହାର ରୁଚିଗତ ସର୍ବାଙ୍ଗୀନ ବିକାଶ ପାଇଁ ସେ ପିଲାର ଘର, ଓ ସମୁଦାୟ ସହିତ ଯୋଡି ହୋଇ ତା’ର ବିକାଶରେ ସହଯୋଗ ପାଇଁ ଅନବରତ ଚେଷ୍ଟା କରୁଥିଲେ। କନ୍ଧମାଳ ଜିଲ୍ଲାର ୭ରୁ ୮ଟି ଦୁର୍ଗମ ଜାଗାରେ ଶିକ୍ଷକତା କରି ସେ ହଜାର ହଜାର ପିଲା ଓ ତାଙ୍କ ପରିବାରକୁ ସାହାଯ୍ୟ କରିଥିଲେ। ବିଶେଷ କରି, ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ପିଲାଙ୍କ ମନବଳକୁ ତେଜି ସମାନ ମଣିଷ ହିସାବରେ ମୁଣ୍ଡ ଟେକି ଠିଆ କରାଇବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଜି. ଉଦୟଗିରି, ନୂଆଗାଁ ଆଦି ସ୍ଥାନରେ ନାଟକ ଲେଖି, ନିର୍ଦ୍ଦେଶନା ଦେଇ ସେ ପ୍ରତିଷ୍ଠିତ ଅଭିନେତାଙ୍କ ଦ୍ବାରା ନାଟକ ମଞ୍ଚସ୍ଥ କରାଇଥିଲେ ଓ ଅବହେଳିତ ବିଦ୍ୟାଳୟଗୁଡିକୁ ନୂଆରେ ଠିଆ କରାଇଥିଲେ।

ଜଣେ ଦକ୍ଷ ପ୍ରଶାସକ, ପ୍ରଗତିଶୀଳ ଓ ଛାତ୍ରବତ୍ସଳ ଶିକ୍ଷକ, ନିଷ୍ଠାପର ଓ ସଚ୍ଚୋଟ କର୍ମଚାରୀ ରୂପେ ବିପ୍ର ସାର ଏକ ଉଦାହରଣ ରହି ଆସିଛନ୍ତି। ଫୁଲବାଣୀରେ ଶିକ୍ଷା, ସଂସ୍କୃତି, ବିଜ୍ଞାନ, ସାହିତ୍ୟ, ଖେଳ, ଆଧ୍ୟାତ୍ମିକ ବିକାଶରେ ନିରନ୍ତର ନେତୃତ୍ବ ଓ ଉଚ୍ଚ ଅବଦାନ ପାଇଁ ବିପ୍ର ସାରଙ୍କର ଗଭୀର ସୁନାମ ରହିଛି।

ଜଣେ ପୁସ୍ତକପ୍ରେମୀ ଓ ଦରଦୀ ଶିକ୍ଷକ ଭାବରେ ସେ ପିଲାଙ୍କୁ ବହି, ରେଡିଓର ବିବିଧ ଦିଗ ସହିତ ପରିଚିତ କରାଇ ଚାଲିଥିଲେ। ଏଥିସହ ବିଦ୍ୟାଳୟକୁ ପ୍ରତ୍ୟେକ ପିଲାର ଶିକ୍ଷଣସ୍ଥଳ ହିସାବରେ ପ୍ରସ୍ତୁତ କରି ରକମ ରକମର କ୍ଳବ୍, ଅଭିଭାବକଙ୍କ ସହ ଚର୍ଚ୍ଚା, ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଉଥିଲେ। ପ୍ରତ୍ୟେକ ପିଲାକୁ ଜୀବନରେ ସଫଳ କରାଇବା ପାଇଁ ବାଜି ଲଗାଇ ଲାଗୁଥିଲେ। ଏଥିପାଇଁ ଅନେକ ସମୟରେ ସେ ଅସୁବିଧାର ସମ୍ମୁଖୀନ ବି ହେଉଥିଲେ। କିନ୍ତୁ ସେ ଏହାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ।

ଦେଶବିଦେଶର ଅନେକ ଦରଦୀ, ବିଚାରବନ୍ତ, ଶାନ୍ତିପ୍ରେମୀ ଓ ମାନବିକ ବ୍ୟକ୍ତିତ୍ବଙ୍କ ବିଷୟରେ ନିଜର ଛାତ୍ର ଓ ବନ୍ଧୁମାନଙ୍କୁ ସେ ପରିଚିତ କରାଇ ପୃଥିବୀରେ ସ୍ବର୍ଗଟିଏ ରଚିବାର ସ୍ବପ୍ନ ଦେଖାଇ ଚାଲିଥିଲେ। ଜଣେ ସ୍ବାଭିମାନୀ ଓ ଦରଦୀ ଲେଖକ, କବି, ସମ୍ପାଦକ, ବଳିଷ୍ଠ ବକ୍ତା, ନାଟ୍ୟକାର, ବିଜ୍ଞାନପ୍ରେମୀ ଓ ଚିକିତ୍ସକ ରୂପେ କନ୍ଧମାଳରେ ଏକ ନୂଆ ଯୁଗର ସୂତ୍ରପାତ କରାଇଥିଲେ। ନିଜର ସିମୀତ ଦରମାର ଏକ ଚଉଠାରେ ସରଳ ଜୀବନଯାପନ କରି ବଳକା ତିନି ଚଉଠାକୁ ସେ ସମାଜସେବା, ମାଗଣା ହୋମିଓପାଥିକ ଔଷଧ ଲୋକଙ୍କୁ ପ୍ରଦାନ କରୁଥିଲେ l

ସବୁ ଲୋକଙ୍କୁ ସମାନ ନ୍ୟାୟ ମିଳିବା ଲକ୍ଷ୍ୟରେ ସେ ଜିଲ୍ଲାର ସମସ୍ତ ପ୍ରମୁଖ କର୍ମଚାରୀ ସଂଘର ନେତୃତ୍ବ ନେଇ ଅନେକ ବଞ୍ଚିତ ଓ ଅବହେଳିତ ଲୋକଙ୍କ ପାଇଁ ଲଢି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲେl
ବିପ୍ର ସାର ଙ୍କ ବିୟୋଗ ରେ ବରିଷ୍ଠସାମ୍ବାଦିକ ଡ଼ଃ. ଅରୂପ ଜେନା, ପ୍ରେସ କ୍ଲୁବ ସଭାପତି ସୁନୀଲ ପଟନାୟକ, ବିଜୟ ମହା ନ୍ତି, ସନ୍ତୋଷ ଡିଗାଲ, ଏମଡି. ନାଜ଼ୀର ଅଖତାର, ସାହିତ୍ୟିକ ଅନନ୍ତ ମିଶ୍ର, ପ୍ରମୁଖ ଙ୍କ ସମେତ ବହୁ ଆଇନ ଯିବି, ସାମ୍ବାଦିକ, ସାହିତ୍ୟିକ କବି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଅ ମର ଆତ୍ମା ର ସଦଗତି କାମନା କରିଛନ୍ତି l

related posts

Leave a Comment