ଭୁବନେଶ୍ୱର, ୧୦/୦୧: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା । ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲା ପାଇଁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା ରହିଛି। ଏହାସହ ବରଗଡ଼, ସମ୍ବଲପୁର, ଦେବଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ହରିୟାଣାରୁ ଦକ୍ଷିଣ ପୂର୍ବ ମଧ୍ୟ ପ୍ରଦେଶ ଦେଇ ଏକ ନିମ୍ନ ଚାପ ରେଖା ରହିଛି । ଏହା ପ୍ରଭାବରେ ୧୪ତାରିଖ ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି।
ଅଦିନିଆ ବର୍ଷା ପ୍ରଭାବରେ ଫସଲ ଏବଂ ପନିପରିବା ନଷ୍ଟ ହେବାର ସମ୍ଭାବନା ରହିଛି । ଅମଳ ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି ଏସ୍ଆରସି ଆଡଭାଇଜରି ଜାରି କରିଛନ୍ତି । ଡାଲି ଏବଂ ତୈଳବୀଜ ଫସଲରେ ସାମାନ୍ୟ ବିଳମ୍ବ କରିବା ସହ ପନିପରିବା ତୋଳି ନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି । ୟେଲୋ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ଅମଳ ଫସଲ ଖଳା ଏବଂ ମଣ୍ଡିରେ ଖୋଲା ଆକାଶ ତଳେ ପଡିଛି । ମଣ୍ଡିରେ ଧାନ ବିକ୍ରି ହୋଇପାରିନି ଏଣେ ଧାନ ସୁରକ୍ଷିତ ରଖିବାକୁ ଜାଗା ମଧ୍ୟ ନାହିଁ । ତେଣୁ ଚାଷୀମାନେ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସୂଚନା ଦିଆଯାଇଛି ।