ସୁମିତ ତପସ୍ବିନୀ ବିବାଦ ଥମିବାର ନାଁ ନେଉନାହିଁ । ଆଇନ ବ୍ୟବସ୍ଥା ନାଚାର । ଏକାମାତ୍ର ଭରଷା କୋର୍ଟ । ଉଭୟଙ୍କ ଏକାଠି କରିବା ପାଇଁ ପୂର୍ବରୁ କୋର୍ଟ ୭ଦିନ ସାଥିରେ ଭଡାଘରେ ରହିବା ପାଇଁ ନିର୍ଦେଶ ଦେଇଥିଲେ । ଉଭୟ ୭ଦିନ ଭଡା ଘରେ ରହିଥିଲେ ସୁଦ୍ଧା ସମସ୍ୟାର କୌଣସି ସମାଧାନ ହୋଇନଥିଲା । ୮ମ ଦିନ ହିଁ ସୁମିତ ଭଡାଘରୁ ଚାଲିଯାଇଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏବେ SDJM କୋର୍ଟ ଏହି ମାମଲାର ଶୁଣାଣି କରି ପୁଣି ସୁମିତ ଏବଂ ତପସ୍ବିନୀଙ୍କୁ ଆଉ ୭ଦିନ ଭଡା ଘରେ ଏକାଠି ରହିବା ପାଇଁ ନିର୍ଦେଶ ଦେଇଛନ୍ତି । ତପସ୍ବିନୀଙ୍କ ସମସ୍ତ ଦାୟିତ୍ବ ନେବାକୁ ଡାକ୍ତର ସୁମିତଙ୍କୁ କହିଛନ୍ତି କୋର୍ଟ ।
ପୂର୍ବରୁ ସୁମିତଙ୍କ ଓକିଲଙ୍କ ୧୫ ଦିନିଆ ପିଟିସନକୁ ଖାରଜ କଲେ SDJM କୋର୍ଟ । ତପସ୍ୱିନୀଙ୍କୁ ତାଙ୍କ ଶ୍ବଶୁର ଘରେ ରଖିବା ପାଇଁ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ଏକ ପିଟିସନ ଚଳିତ ମାସ ୧୭ ତାରିଖରେ ଦାଖଲ କରିଥିଲେ । ଆଜି ଏହାକୁ ନେଇ ଶୁଣାଣି ହୋଇଛି । ସନ୍ଧ୍ୟାରେ ହିଁ SDJM କୋର୍ଟ ରାୟ ପ୍ରକାଶ କରିଛନ୍ତି । ଉଭୟଙ୍କୁ ପୁଣି ଭଡା ଘରେ ରହିବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ । ଜିଲ୍ଲା କୋର୍ଟରେ ମଧ୍ୟ ସୁମିତଙ୍କ ଓକିଲ ପୂର୍ବରୁ ଏକ ପିଟିସନ ଦାଖଲ କରିଛନ୍ତି । ସେଥିରେ ସେ SDJM କୋର୍ଟଙ୍କ ପୂର୍ବ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି । ଆସନ୍ତା ଡିସେମ୍ବର ୨୭ ତାରିଖରେ ଏହାର ରାୟ ପ୍ରକାଶ ପାଇବ । ସେ ଯାଏଁ ଡାକ୍ତର ସୁମିତ ଏବଂ ତପସ୍ବିନୀ ଭଡାଘରେ ରହିବେ ।