Home Breaking News / ତାଜା ଖବର ମୁରିବାହାଲରେ କୁମ୍ଭକାରଙ୍କ ଦ୍ଵାରା କୁରାଲ ପଞ୍ଚମୀ ପୂଜା ପାଳିତ

ମୁରିବାହାଲରେ କୁମ୍ଭକାରଙ୍କ ଦ୍ଵାରା କୁରାଲ ପଞ୍ଚମୀ ପୂଜା ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମୁରିବାହାଲ(ମହେଶ୍ୱର ରଣା): ମାନବ ସଭ୍ୟତାର ବିକାଶରେ ଚକ୍ରର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । କିନ୍ତୁ ଆମ ଦେଶର ତଥା ଆମ ରାଜ୍ୟର ଆଧ୍ୟାତ୍ମିକ ସଂସ୍କୃତିରେ ମଧ୍ଯ ଚକ୍ରର ସ୍ଥାନ ଯେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କୁରାଲ ଚକ୍ର ତାହାର ଏକ ଉଦାହରଣ । କୁରଲ ଚକ୍ର ବା ଆମର ଲୋକ କଥିତ ଭାଷାରେ କୁମ୍ଭାରଚକ୍ର । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସିଲେଟପଡା ଗ୍ରାମରେ କୁରାଲ ପଞ୍ଚମୀ ପୂଜା ପାଳିତ ହୋଇଯାଇଛି । ମୁରିବାହାଲ ବ୍ଲକର ସିଲେଟ ପଡା ଗ୍ରାମଟି ଅଧିକାଂଶ କୁମ୍ଭାର ସମ୍ପ୍ରଦାୟର ଲୋକ ହୋଇଥିବାରୁ କୁରାଲ ପଞ୍ଚମୀ ପୂଜା ବେଶ ଆଡମ୍ବର ସହିତ ଧୁମଧାମରେ ଚଳିତ ବର୍ଷ ପୂଜା ପାଳିତ ହୋଇଅଛି । ଏହି ପୂଜାରେ କର୍ତ୍ତାଭାବରେ ବାସମନ ରଣା ଓ ତାଙ୍କ ଧର୍ମପତ୍ନୀ ବିଳାସ ରଣା ଧର୍ମ ନିଭାଇଥିବା ବେଳେ ପୂଜକ ଭାବରେ ପଣ୍ଡିତ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ପୂଜାପାଠ କରିଥିଲେ । ଅଧିବାସ ଦିନ ଗ୍ରାମର ଅନେକ ମାଆମାନେ କଳସ ବୋହି ପୋଖରୀକୁ ପୂଜାପାଇଁ ପାଣି ଆଣିବାକୁ ଯାଇଥିଲେ ଏବଂ ତାଳେ ତାଳେ ନିରାକାର ବିଷ୍ଣୁଙ୍କୁ ଆବାହନ କରିବାପାଇଁ ସଂକୀର୍ତ୍ତନ ମଧ୍ଯ ହେଇଥିଲା ।

କୁରାଲ ପଞ୍ଚମୀ ପୂଜା ବିଷୟକୁ ନେଇ ପୌରଣିକ ଆଖ୍ୟା କଣ ରହିଛି ଆସନ୍ତୁ ଜାଣିବା । ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ କୁମ୍ଭାର ବା କୁମ୍ଭକାରମାନେ ଏହି ପୂଜା କରିଥାନ୍ତି । କୁରାଲ ପୁରାଣ ଅନୁସାରେ ଏହାର ନାମ ସୁରସେନ ଚକ୍ର ଏବଂ ଏହି ଚକ୍ର ଭଗବାନ ନିରାକାର ବିଷ୍ଣୁ ରୁଦ୍ରପାଳଙ୍କୁ ପ୍ରଦାନ କରିଥିଲେ । ରୁଦ୍ରପାଲ ସେହି ଚକ୍ରକୁ ମର୍ତ୍ତ୍ୟକୁ ଆଣି, ସେଥିରେ ରନ୍ଧନପାଇଁ ମାଟିପାତ୍ର ଗଢ଼ିଲେ । ରୁଦ୍ରପାଲ ଏକ ଲୌକିକ ଦେବତା ଏବଂ ତାଙ୍କରି ଠାରୁ କୁରାଲ ବା କୁମ୍ଭାକାର ବଂଶର ସୃଷ୍ଟି । ତେଣୁ ସେ କୁମ୍ଭକାରମାନଙ୍କର ଉପାସ୍ୟ । ତାଙ୍କର ଜନ୍ମବୃତ୍ତାନ୍ତ ଅନୁସାରେ ଯେତେବେଳେ ମର୍ତ୍ତ୍ୟଲୋକରେ ମାଟିପାତ୍ରର ନିର୍ମାଣ ହୋଇନଥିଲା, ସେତେବେଳେ ଲୋକେ ରନ୍ଧନ ନ କରି ଖାଦ୍ୟଦ୍ରବ୍ୟ ଖାଉଥିଲା, ତେଣୁ ତାହା ସହଜରେ ଜୀର୍ଣ୍ଣ ହେଉନଥିଲା । ସେଥିପାଇଁ ଲୋକେ ଅଜୀର୍ଣ ଓ ଅପୃଷ୍ଟି ଆଦି ରୋଗ ଭୋଗୁଥିଲେ । ଦେବର୍ଷି ନାରଦ ଭଗବାନ ନିରାକାର ବିଷ୍ଣୁଙ୍କୁ ତାହା ଜଣାଇବାରୁ, ତାଙ୍କର କପଳରୁ ସ୍ୱେଦବିନ୍ଦୁ ନିର୍ଗତ ହେଲା ଏବଂ ସେହି ସ୍ଵେଦବିନ୍ଦୁରୁ ରୁଦ୍ରପାଲ ଜନ୍ମ ନେଲେ ।ସେ ରୁଦ୍ରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବାପରେ ତାଙ୍କର ନାମହେଲା ରୁଦ୍ରପାଲ । ତାଙ୍କରି ହାତରେ ମାଟିପାତ୍ର ନିର୍ମାଣ କରାଯାଇ ରନ୍ଧନକାର୍ଯ୍ୟ କରାଯିବା ଫଳରେ ମର୍ତ୍ତ୍ୟର ଲୋକେ ସୁସ୍ଥ ଓ ନିରାମୟ ହେଲେ । ଏ ଦୃଷ୍ଟିରୁ, ଏହି ଚକ୍ର ରୁଦ୍ରପାଲ ଓ ତାଙ୍କ ବଂଶରେ ଜାତ କୁରାଲମାନଙ୍କର ଉପାସ୍ୟ । ସେଥିପାଇଁ କୁମ୍ଭାରମାନେ କୁରାଲ ପଞ୍ଚମୀ ଦିନ ନିରାକାର ବିଷ୍ଣୁ, ରୁଦ୍ରପାଲ, ରତ୍ନେଶ୍ୱରୀ ଓ ଚକ୍ରକୁ ପୂଜା କରିଥାନ୍ତି । ସେମାନଙ୍କ ପାଇଁ ଏହି ଚକ୍ର ବ୍ରହ୍ମଙ୍କର ସ୍ୱରୂପ । ସେଥିପାଇଁ କୁମ୍ଭକାରମାନେ ଏହି ଚକ୍ର ପୂଜାକରି କହିଥାନ୍ତି , ଚକ୍ର ବ୍ରହ୍ମ କୁରାଳସ୍ୟ ତ୍ଵମେବ ସରଣମ୍ ପ୍ରଭୁ । ଅର୍ଥାତ୍ ହେ ଚକ୍ର, ତୁମେ ସାକ୍ଷାତ ବ୍ରହ୍ମ, ତୁମ୍ଭଠାରେ ଆମେ ଶରଣ ନେଉଅଛୁ ।

related posts

Leave a Comment