ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କରୋନା ଟିକା । ଅଷ୍ଟ୍ରେଲିଆ ସ୍ୱୀକୃତି ଦେବା ପରେ ଏବେ ଡବ୍ଲୁଏଚଓର ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ଦେଇଛି ।
ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି। କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ।
ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଙ୍ଗଠନର ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ତେବେ ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବହୁ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇସାରିଛି।