Home Breaking News / ତାଜା ଖବର ଦୁବାଇରେ ବିଶ୍ୱ ଏକ୍ସପୋ ମେଳା ଦେଖିବା ନିମନ୍ତେ ଚୟନ ପରୀକ୍ଷା, ରାୟଗଡାରୁ ଦୁବାଇ ଗସ୍ତ କରିବେ ମାଟ୍ରିକ୍ ଟପ୍ପର ମେଧାବୀ ଛାତ୍ର ସତ୍ୟବ୍ରତ

ଦୁବାଇରେ ବିଶ୍ୱ ଏକ୍ସପୋ ମେଳା ଦେଖିବା ନିମନ୍ତେ ଚୟନ ପରୀକ୍ଷା, ରାୟଗଡାରୁ ଦୁବାଇ ଗସ୍ତ କରିବେ ମାଟ୍ରିକ୍ ଟପ୍ପର ମେଧାବୀ ଛାତ୍ର ସତ୍ୟବ୍ରତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ‘ବିଶ୍ୱ ଏକ୍ସପୋ ମେଳା’ରେ ନୀତି ଆୟୋଗ ପକ୍ଷରୁ ଦେଶର ୧୧୨ଟି ଆକାଂକ୍ଷି ଜିଲ୍ଳାରୁ ଜଣେ ଲେଖାଁଏ ମେଧାବୀ ଛାତ୍ରଛାତ୍ରୀ ଏହି ମେଳାକୁ ଦେଖିବା ପାଇଁ ଚୟନ ପରୀକ୍ଷା କରାଯିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ନୀତି ଆୟୋଗ ଅଧିନସ୍ଥ ଓଡିଶାର ୧୦ଟି ଆକାଂକ୍ଷି ଜିଲ୍ଳା ମଧ୍ୟରେ ଥିବା ରାୟଗଡା ଜିଲ୍ଳାରୁ କାଶିପୁର ବ୍ଳକ ଶିଶୁ ମନ୍ଦିରର ମେଧାବୀ ଛାତ୍ର ଶ୍ରୀମାନ୍ ସତ୍ୟବ୍ରତ ନାୟକ ଚୟନ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଦୁବାଇ ଯିବା ପାଇଁ ଚୟନ ହୋଇଛନ୍ତି । ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଏ ନେଇ ଗତକାଲି ଏକ ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡା ଜିଲ୍ଳାର ଗତ ଦୁଇ ବର୍ଷର ମାଟ୍ରିକ୍ ବୋର୍ଡ ପରୀକ୍ଷାର ଟପ୍ପରମାନେ ଯୋଗ ଦେଇଥିଲେ । ଓଡିଶା ବୋର୍ଡରୁ ୫ଜଣ,ଆଇସିଏସସିରୁ ୬ଜଣ ଏବଂ ସିବିଏସଇରୁ ୪ଜଣ ମୋଟ ୧୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉକ୍ତ ଚୟନ ପରୀକ୍ଷାରେ ଗତ ୨୦୨୦ବର୍ଷରେ ରାୟଗଡା ଜିଲ୍ଳା ମାଟ୍ରିକ୍ ଟପ୍ପର ଛାତ୍ର ସତ୍ୟବ୍ରତ ଚୟନ ହୋଇଥିବା ଜଣାପଡିଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶହେ ମାର୍କର ତିନୋଟି ପର୍ଯ୍ୟାୟର ପରୀକ୍ଷାରେ ଛାତ୍ର ଶ୍ରୀମାନ ସତ୍ୟବ୍ରତ ପ୍ରଥମ ହୋଇଥିବା ବେଳେ ଦ୍ୱିତୀୟରେ ଗୁଣପୁର ସ୍ଥିତ ଗାନ୍ଧୀ ପବ୍ଳିକ ସ୍କୁଲର ଛାତ୍ରୀ ଜି.ପ୍ରୀତିବନ୍ଧୁ ଦ୍ୱିତୀୟ ସ୍ଥାନରେ ଚୟନ ହୋଇ ଦୁବାଇ ଯିବା ପାଇଁ ସଂରକ୍ଷିତ ରହିଛନ୍ତି । ଏହି ଚୟନ ପରୀକ୍ଷାରେ ଅନ୍ୟମାନଙ୍କ ମଧ୍ୟରେ ନୀତି ଆୟୋଗର ସଂଯୋଜିକା ଅନନ୍ୟା ଚକ୍ରବର୍ତୀ,ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହା,ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ପଣ୍ଡା,ଜବାହାର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହଥିଲେ । ପ୍ରକାଶ ଥାଉ କି,ଗତ ଅକ୍ଟୋବର ମାସ ଠାରୁ ଦୁବାଇ ଠାରେ ଆରମ୍ଭ ହୋଇଥିବା ବିଶ୍ୱ ଏକ୍ସପୋ ମେଳା ଆସନ୍ତା ମାର୍ଚ୍ଚ ମାସ ଯାଏଁ ଅନୁଷ୍ଠିତ ହେବାକୁ ଥିବା ବେଳେ ରାୟଗଡା ଜିଲ୍ଳାରୁ ଚୟନ ହୋଇଥିବା ମେଧାବୀ ଛାତ୍ର ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଦୁବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ତାଙ୍କର ସମସ୍ତ ଗସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ନୀତି ଆୟୋଗର ସଂଯୋଜିକା ଅନ୍ୟନ୍ୟା ପ୍ରକାଶ କରିଛନ୍ତି ।

related posts

Leave a Comment