Home Breaking News / ତାଜା ଖବର ଜାଣନ୍ତୁ ବାର ମାସରେ ଶ୍ରୀ ଜଗନ୍ନାଥଙ୍କର 12ଟି ନାମ
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବାରମାସପାଇଁ ଶ୍ରୀଜଗନ୍ନାଥଙ୍କର ବାରଟି ସ୍ୱତନ୍ତ୍ର ନାମ ରହିଅଛି।ସେହି ଅନୁସାରେ ତାଙ୍କର କାର୍ତ୍ତିକ ମାସର ନାମ ‘ଦାମୋଦର’। ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି,‘ଉଦର’ର ଅର୍ଥ ପେଟ।ଦ୍ୱାପର ଯୁଗରେ ବାଳକ ଶ୍ରୀକୃଷ୍ଣ ଦୁଷ୍ଟ ହେବାରୁ ତାଙ୍କର ଅଣ୍ଟାରେ ଦଉଡ଼ି ବାନ୍ଧି ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ ମାଆ ଯଶୋଦା । ସେହି ଦଉଡ଼ି ବନ୍ଧାଥିବା ଅବସ୍ଥାରେ କୃଷ୍ଣ ଦୁଇଟି ଅର୍ଜୁନଗଛ ଫାଙ୍କ ଦେଇ ଗଳି ଚାଲିଯିବା ବେଳେ ଢିଙ୍କିଟି ଦୁଇ ଗଛ ମଝିରେ ଲାଗିଗଲା। ସେ ଜୋର୍‌ରେ ଭିଡ଼ି ଦେବାରୁ ଗଛ ଦୁଇଟି ଉପୁଡ଼ି ପଡ଼ିଲା। ପ୍ରକୃତରେ ସେହି ଯାଆଁଳା ଅର୍ଜୁନ ଗଛ ଥିଲେ କୁବେରଙ୍କର ଦୁଇ ପୁଅ ନଳକୁବର ଓ ମଣିଗ୍ରୀବ । ଧନ ଗର୍ବରେ ମତ୍ତ ହୋଇ ଦୁହେଁ କର୍ତ୍ତବ୍ୟ, ଅକର୍ତ୍ତବ୍ୟ ବିବେଚନା କରିପାରୁ ନଥିଲେ । ତେଣୁ ନାରଦ ସେ ଦୁହିଁଙ୍କୁ ଅଭିଶାପ ଦେଇଥିଲେ,ସେହି ଅଭିଶାପ ଫଳରେ ଦୁହେଁ ମର୍ତ୍ତ୍ୟରେ ଯାଆଁଳା ଅର୍ଜୁନଗଛ ରୂପେ ଜାତ ହୋଇଥିଲେ । କୃଷ୍ଣ ତାହାକୁ ଉପାଡ଼ି ଦେବା ଫଳରେ ସେମାନେ ଅଭିଶାପରୁ ମୁକ୍ତ ହେଲେ।ସେହିଦିନଠାରୁ ଶ୍ରୀକୃଷ୍ଣଙ୍କର ଗୋଟିଏ ନାମ ହୋଇଗଲା ‘ଦାମୋଦର’।

ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କର ଯେଉଁ ବେଶ ହୁଏ ତାହାର ନାମ ‘ରାଧା-ଦାମୋଦର’ ବେଶ । ଏହା ଶ୍ରୀମନ୍ଦିରର ରତ୍ନସିଂହାସନରେ ହେଉଥିବା ବେଶ ମଧ୍ୟରେ ସବୁଠୁ ଅଧିକ ଦିନ ଧରି ହେଉଥିବା ବେଶ। କାର୍ତ୍ତିକ ମାସରେ ଏହି ବେଶଟି ହେଉଥିବାରୁ ଏହା ସହିତ ‘ଦାମୋଦର’ ନାମଟି ଯୋଡ଼ା ହେବା ଯଥାର୍ଥ ଅଟେ । କିନ୍ତୁ ଏହାର ନାମ କାହିଁକି ‘ରାଧା-ଦାମୋଦର’ ହୋଇଛି ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାଯାଏ ନାହିଁ କିନ୍ତୁ ଅନେକଙ୍କ ମତରେ ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟାନ୍ୟ ସମକାଳୀନ କାବ୍ୟରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ବେଶର ବର୍ଣ୍ଣନା ଅଛି। ‘ମଥୁରା ମଙ୍ଗଳ’ରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିଛନ୍ତି ସମ୍ଭବତଃ ଶ୍ରୀରାଧାଙ୍କର ଏହା ପ୍ରିୟ ବେଶ ହୋଇଥିବାରୁ ଏହି ବେଶର ନାମ “‘ରାଧା-ଦାମୋଦର”’ ହୋଇଅଛି ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ… ପ୍ରତ୍ୟେକ ଦିନ ବେଶ ଓଲାଗି ପରେ ବିଗ୍ରହଙ୍କଠାରୁ କଢ଼ାଯାଇଥିବା ପୁଷ୍ପ ଅଳଙ୍କାର ରାଜା ରାଣୀଙ୍କୁ ଦେବାର ବିଧି ପ୍ରଚଳିତ ଥିଲା ସେ ସମୟରେ, ଥରେ ତଳୁଚ୍ଛ ସେବକ ନାରାୟଣ ମହାପାତ୍ର ଫୁଲଗୁଣାଟିକୁ ଦେବଦାସୀ ଲାବଣ୍ୟବତୀଙ୍କ ଗଭାରେ ଗୁଞ୍ଜି ଦେଇଥିଲେ।ପରେ ରାଜା ଏହି ଗୁଣାଟିକୁ ରାଣୀଙ୍କୁ ଦେବା ସମୟରେ ଏକ କେଶ ଲାଗିଥିବା ଦେଖି କ୍ରୋଧିତ ହୋଇ ସେବକ ନାରାୟଣ ମହାପାତ୍ରଙ୍କୁ ପ୍ରଭୁଙ୍କର କେଶ ଥିବା ନ ଦେଖାଇଲେ ଦଣ୍ଡିତ ହେବେ ବୋଲି ଆଦେଶ ଦେଲେ।ଭକ୍ତକୁ ରକ୍ଷା କରିବା ପାଇଁ ପ୍ରଭୁ କେଶ ଧାରଣ କଲେ,ପରଦିନ ରାଜା କେଶକୁ ଦେଖି ଟାଣିବାରୁ ରକ୍ତସ୍ରାବ ହେଲା । ସେହିଦିନଠାରୁ ପ୍ରଭୁଙ୍କର ଏହି ରାଧା ଦାମୋଦର ବେଶ ହେଉଅଛି ।

ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ।ଫୁଲଠାରୁ ଅଧିକା ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ ।ହସ୍ତରେ ନଳୀଭୂଜ,ମହାପ୍ରଭୁଙ୍କର ଚୂଳରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ତି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣଦେଶରେ କୁଣ୍ତଳ, କଟିଦେଶରେ ଓଡିଆଣୀ, ମସ୍ତକରେ ତଡଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁନା ଅଳଙ୍କାର ସହ ପାଟଶାଢୀ, ଫୁଟା ଶିରିକପଡା, ପହରଣ, ବଳା, ଅଧରବଳା, ଓ ଉତ୍ତରୀୟ ଆଦି ଲାଗିହୁଏ। ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ଅନୁଯାୟୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇ ଗୋପାଳବଲ୍ଲଭ ଭୋଗ ହୁଏ।ରାଧା-ଦାମୋଦର ବେଶରେ ଦିଅଁମାନେ ୩୦ ମୂର୍ତ୍ତିି ସୁନା ଅଳଙ୍କାର ଲାଗି ହୁଅନ୍ତି । ତାହା ହେଲା- ନଳୀଭୁଜ-୪, କୁଣ୍ଡଳ-୪, ତିଳକ-୨, ଆଡ଼କାନି-୪, ଚନ୍ଦି୍ରକା-୨, ଚନ୍ଦ୍ରସୂର୍ଯ୍ୟ-୬, ତଡ଼କୀ- ୨, ଓଡ଼ିଆଣୀ-୩, ମାଳି-୩ (ମୋଟ-୩୦)। ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି ।ରବିବାରରେ ନାଲି, ସୋମବାରେ ଧଳାରେ କଳାଛିଟ, ମଙ୍ଗଳବାରେ ବାରପାଟିଆ, ବୁଧବାରେ ନୀଳ, ଗୁରୁବାରେ ହଳଦିଆ, ଶୁକ୍ରବାରେ ଶୁକ୍ଳ ଓ ଶନିବାରରେ କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି । ପୌରାଣିକ ବର୍ଣ୍ଣନାନୁଯାୟୀ ଅକୃର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବାବେଳେ ଜଳ ମଧ୍ୟରେ ଏହି ‘ରାଧା ଦାମୋଦର’ଙ୍କ ବେଶ ଦର୍ଶନ କରିଥିଲେ ।

ଶ୍ରୀମନ୍ଦିରରେ କାର୍ତ୍ତିକ ପଞ୍ଚୁକ ସମୟରେ ଠାକୁରମାନେ ରାଧାଦାମୋଦର ବେଶ ନ ହୋଇ ଅନ୍ୟ ପାଞ୍ଚଗୋଟି ବେଶ ହୋଇଥାଆନ୍ତି । ସେଗୁଡିକ ହେଲା,ଲକ୍ଷ୍ମୀ ନାରାୟଣ ବେଶ,ବାଙ୍କଚୂଳ ବେଶ, ତ୍ରିବିକ୍ରମ ବେଶ, ଲକ୍ଷ୍ମୀନୃସିଂହ ବେଶ ଓ ରାଜରାଜେଶ୍ବର ବେଶ |

related posts

Leave a Comment