ରାୟଗଡା(ଧନେଶ୍ବର ରାଉତ): ରାଜ୍ୟ ସରକାରଙ୍କ ଦ୍ଵାରା ନୂତନ ଭାବେ ଆରମ୍ଭ ହୋଇଥିବା ଆଶୀର୍ବାଦ ଯୋଜନାରେ ଦୁଇଟି କିସ୍ତିରେ ରାୟଗଡା ଜିଲ୍ଲାରୁ ୨୧୩ ଜଣ ଶିଶୁ ସାମିଲ ହୋଇଛନ୍ତି । ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଉକ୍ତ ଯୋଜନାରେ ଯୋଗ୍ୟ ଶିଶୁ ମାନଙ୍କୁ ନିୟମ ଅନୁଯାୟୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଆଶୀର୍ବାଦ ଯୋଜନା ପାଇଁ ୧ ଏପ୍ରିଲ ୨୦୨୦ ଠାରୁ ଯେଉଁ ଶିଶୁ ନିଜର ବାପା ମା ଉଭୟକୁ କିମ୍ବା ବାପା ମା ଙ୍କ ମଧ୍ୟରୁ ଯିଏ ପରିବାରର ମୁଖ୍ୟ ଉପାର୍ଜନକାରୀ ଥିଲେ ତାଙ୍କର ମୃତ୍ୟୁ ହୋଇଥିଲେ ସେହି ଶିଶୁ ଏହି ଯୋଜନାରେ ସାମିଲ ହୋଇପାରିବେ । କିନ୍ତୁ ଅନେକ ଶିଶୁଙ୍କ ପାଖରେ ଜନ୍ମ ପ୍ରମାଣପତ୍ର ନ ଥିବା ଯୋଗୁଁ ସେହି ଶିଶୁମାନଙ୍କର ଜନ୍ମ ପ୍ରମାଣପତ୍ର ଶିଶୁଟି ଜନ୍ମ ହୋଇଥିବା ଡାକ୍ତରଖାନାରୁ କିମ୍ବା ସେହି ଅଞ୍ଚଳର ପୌର ସଂସ୍ଥା ଠାରୁ ସଂଗ୍ରହ କରିବା ପାଇଁ ପରିବାରର ସଦସ୍ୟ ମାନଙ୍କୁ କୁହାଯାଇଛି ।
ସେହିପରି ଯଦି ବାପା କିମ୍ବା ମାଙ୍କର ମୃତ୍ୟୁ ପ୍ରମାଣପତ୍ର ମଧ୍ୟ ଶିଶୁମାନଙ୍କ ପାଖରେ ନାହିଁ ସେହି କ୍ଷେତ୍ରରେ ମଧ୍ୟ ଡାକ୍ତରଖାନାରୁ କିମ୍ବା ସେହି ଅଞ୍ଚଳର ପୌର ସଂସ୍ଥା ଠାରୁ ପିତା କିମ୍ବା ମାତା କିମ୍ବା ଉଭୟଙ୍କ ମୃତ୍ୟୁ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ଶିଶୁମାନଙ୍କ ଅଭିଭାବକ ମାନଙ୍କୁ କୁହାଯାଇଛି । ଯଦି ବାପା କିମ୍ବା ମାଙ୍କର ମଧ୍ୟରୁ ଯେ କୌଣସି ଜଣଙ୍କର ମୃତ୍ୟୁ ୧ ଏପ୍ରିଲ ୨୦୨୦ ପୂର୍ବରୁ ହୋଇଥାଏ ତେବେ ସେହି କ୍ଷେତ୍ରରେ ଯଦି ମୃତ୍ୟୁ ପ୍ରମାଣପତ୍ର ନ ଥାଏ ତେବେ ସେମାନେ ନିଜ ଅଞ୍ଚଳର ସିଡିପିଓ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକ ଙ୍କ ମିଳିତ ତଦନ୍ତ ଓ ତଦନ୍ତକୁ ଭିତ୍ତି କରି ତାଙ୍କର ଅନୁମୋଦନ କ୍ରମେ ପ୍ରମାଣପତ୍ର ସ୍ୱରୂପ ମୃତ୍ୟୁ ପ୍ରମାଣପତ୍ର ଭାବେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ରହିଛି ।
ପିଲାମାନେ ନିଜର ବୟସ ପ୍ରମାଣପତ୍ର ଭାବେ ଜନ୍ମ ସାର୍ଟିଫିକେଟ କିମ୍ବା ବିଦ୍ୟାଳୟରେ ପଢୁଥିବା କିମ୍ବା ପଢିଥିବା ସାର୍ଟିଫିକେଟ ଓ ବାପା ମା’ ଙ୍କର ମଧ୍ୟରୁ ଯାହାର ମୃତ୍ୟୁ ହୋଇଛି ତାଙ୍କର ମୃତ୍ୟୁ ସାର୍ଟିଫିକେଟ, ଜୀବିତ ଥିବା ବାପା, ମା କିମ୍ବା ଅଭିଭାବକ ଙ୍କ ଭୋଟ ପରିଚୟ ପତ୍ର କିମ୍ବା ରାସନ କାର୍ଡ ଓ ଆଧାର କାର୍ଡର ନକଲ ସହିତ ଆବେଦନ କରିବା ପାଇଁ କୁହାଯାଇଛି । ବୟସ ପ୍ରମାଣ ପାଇଁ ଯଦି ଶିଶୁମାନେ ବିଦ୍ୟାଳୟରେ ପଢୁଛନ୍ତି ସେମାନେ ଯେଉଁ ସ୍କୁଲରେ ପଢୁଛନ୍ତି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଠାରୁ ଷ୍ଟଡି ସାର୍ଟିଫିକେଟ ସଂଗ୍ରହ କରିବା ପାଇଁ ଶିଶୁ ମାନଙ୍କ ଅଭିଭାବକ ମାନଙ୍କୁ କୁହାଯାଇଛି । ପ୍ରଥମ କିସ୍ତିରେ ୧୧୧ ଜଣ ଶିଶୁ ସାମିଲ ହୋଇଥିଲା ବେଳେ ଦ୍ଵିତୀୟ କିସ୍ତିରେ ଆଜି ୧୦୨ ଜଣ ଶିଶୁଙ୍କୁ ସାମିଲ କରାଯାଇଛି ।