Home ଜୀବନଚର୍ଯ୍ୟା ଶ୍ରୀମନ୍ଦିରରେ ଶିଳାବ୍ରହ୍ମ

ଶ୍ରୀମନ୍ଦିରରେ ଶିଳାବ୍ରହ୍ମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଶ୍ରୀମନ୍ଦିର କଳ୍ପବଟ ଆଡ଼କୁ ପ୍ରବେଶ କଲାବେଳେ କଳ୍ପବଟ ତଳେଥିବା ଦୁଇ କୋଠରି ରହିଛି। ଗୋଟିଏ କୋଠରି ସେବାୟତଙ୍କ ବ୍ୟବହାରରେ ଲାଗୁଥିବା ବେଳେ ଅନ୍ୟ ଗୋଟିଏ କୋଠରି ତାଲାପଡି ରହିଥାଏ ଓ ତା’ର ଚାବି ଜଣେ ସେବାୟତଙ୍କ ପାଖରେ ରହେ।ସେ ଘରେ ମାଟି କୁଡୁଆ ସବୁ ଭର୍ତ୍ତି ହୋଇଛି। କୋଠରିଟି ବେଳେବେଳେ ଖୋଲା ରହିଥାଏ। ସେତିକିବେଳେ ଦର୍ଶନ ହୁଏ ଗୋଟିଏ ପ୍ରସ୍ତରରେ ଖୋଦିତ ଚତୁର୍ଭୁଜ ତ୍ରିମୂର୍ତ୍ତି। ଗୋଟିଏ ପଥରରେ ଖୋଦିତ ହୋଇଥିବା ଏହି ତ୍ରିମୂର୍ତ୍ତିଙ୍କ ସମ୍ବନ୍ଧରେ ଏହି ଲେଖକ ବହୁକାଳ ଧରି ଚିନ୍ତା କରିଛି ଓ ଏ ବିଷୟରେ କିଛି ଚିନ୍ତା ପ୍ରକଟ କରିବାକୁ ଇଚ୍ଛା କରିଥିଲେ ହେଁ ଆଜି ଯାଏଁ ତାହା ହୋଇ ନଥିଲା।ଏବେ ଦିନେ ଶ୍ରୀଜଗନ୍ନାଥଙ୍କ ଭୋଗ ହେଉଥିବା ବେଳେ ଏହି କୋଠରିର ବାରଣ୍ଡାରେ ବସି କଳ୍ପବଟଙ୍କର ବିସ୍ତାରିତ ଶୋଭା ଦର୍ଶନ କରିବାର ସୁଯୋଗ ମିଳିଥିଲା। ପୃଥିବୀର ନାଭିକେନ୍ଦ୍ର ସ୍ବରୂପ ନୀଳାଚଳରେ ରହିଛନ୍ତି ଏହି କଳ୍ପବଟ। କୋଣାର୍କ ସମ୍ବନ୍ଧରେ କହିବାକୁ ଯାଇ ସାରଳା ଦାସ କହିଛନ୍ତି ଏ ସ୍ଥଳ ପୃଥିବୀର ନାଭି ସ୍ବରୂପ। କୋଣାର୍କ ନିକଟସ୍ଥ ପୁରୀର ଦକ୍ଷିଣ ମହୋଦଧି ବା ପୁରୁଷୋତ୍ତମ କ୍ଷେତ୍ର ନିଶ୍ଚିତ ଭାବେ ଏହି ନାଭିମଣ୍ଡଳ ଭିତରେ ଅବସ୍ଥିତ। କେତେକ ପୁରାଣରେ ତାମିଲନାଡୁର ଚେନ୍ନାଇ ଠାରୁ ୫୦କି.ମି. ଦୂରରେ ଥିବା କାଞ୍ଚିକୁ ପୃଥିବୀର ନାଭିସ୍ଥଳ ବୋଲି କୁହାଯାଇଛି।ଏହିଥିରୁ ଜଣାପଡେ ଯେ ଭାରତର ପୁର୍ବ ଦିଗଠାରୁ ଆରମ୍ଭ କରି ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଥିବା ସମୁଦ୍ରର ମଧ୍ୟସ୍ଥଳରେ ରହିଛି ପୃଥିବୀର ନାଭିକେନ୍ଦ୍ର। ରାମେଶ୍ବରଠାରୁ ଅଳ୍ପ କିଛି ଦୂରରେ ଥିବା ସମୁଦ୍ର ଉପର ଦେଇ ପୃଥିବୀର ବିଷୁବ ରେଖା କଳ୍ପନା କରାଯାଇଛି। ଏହି ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡିବ ଯେ, ପୃଥିବୀର ନାଭି ସ୍ଥଳରେ ହିଁ ଉତ୍କଳର ନୀଳାଚଳ ଅବସ୍ଥିତ। ସମୁଦ୍ରରୁ ଉତ୍ଥିତ ବାଲୁକାରାଶି ଅନ୍ୟାନ୍ୟ ଉଦ୍ଭିଦଜ ପଦାର୍ଥ ତଥା ମୃତ ଜୀବଜନ୍ତୁମାନଙ୍କର ଅବଶେଷ ବହନ କରି ପର୍ବାତାକାର ହୋଇଛି ଓ ଅନନ୍ତ କାଳରୁ ଏହା ବୃକ୍ଷ,ଲତା,ଗୁଳ୍ମ ଆଚ୍ଛାଦିତ ହୋଇ ନୀଳ ପର୍ବତ ରୂପ ଧାରଣ କରିଛି। ଏହି ନୀଳ ପର୍ବତର କୌଣସି ଏକ ଗୁହାରେ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ବୋଲି ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଛି।

   ଯେତେବେଳେ ମୂର୍ତ୍ତିପୂଜା ନଥିଲା ପ୍ରଭୁ କେବଳ ଶୂନ୍ୟସ୍ବରୂପ ଓ ଅବ୍ୟକ୍ତ ଥିଲେ, ସେତେବେଳେ ସେ ଏହି ସ୍ଥାନରେ ଯୋଗୀଋଷିମାନଙ୍କର ଧ୍ୟାନ ମଧ୍ୟରେ ପ୍ରକାଶିତ ହେଉଥିଲେ। ଏହାକୁ ସ୍ତୋତ୍ରମାନଙ୍କରେ କୁହାଯାଇଛି ଯେ *ପ୍ରଭୁ ଯୋଗୀନାଂ ଧ୍ୟାନଗମ୍ୟ।* କଣ୍ଡୁ ନାମକ ଜଣେ ସତ୍ୟ ଯୁଗର ଋଷି ଏହି ସ୍ଥାନରେ ତପସ୍ୟା କରି ଶ୍ରୀପ୍ରଭୁଙ୍କୁ ନିଜ ମଧ୍ୟରେ ଅନୁଭବ କରିଥିଲେ।ପ୍ରମୋଚା ନାମରେ ଇନ୍ଦ୍ରଙ୍କ ପ୍ରେରିତ ଏକ ଅପ୍ସରା ତାଙ୍କୁ ପ୍ରଲୋଭିତ କଲା ଓ ସେ ତା' ପ୍ରଭାବରେ ତପସ୍ୟା ପରିତ୍ୟାଗ କରି ବହୁକାଳ ସେହି ଅପ୍ସରି ସାଙ୍ଗରେ ରହିଲେ।କିଛି କାଳ ପରେ ତାଙ୍କର ମୋହ ଭଙ୍ଗ ହେଲା।ସେ ବ୍ରହ୍ମପାର ମନ୍ତ୍ର ଜପକରି ସିଦ୍ଧିଲାଭ କରିଥିଲେ। ପୁରାଣ ମାନଙ୍କରେ କୁହାଯାଇଛି ଯେ କଣ୍ଡୁମୁନୀ ପୁରୁଷୋତ୍ତମ ନାମକ ଦେବାୟତନ ଆସି ଏଠାରେ ମନ୍ତ୍ର ସାଧନ କରି ସିଦ୍ଧ ହୋଇଥିଲେ। ପ୍ରଭୁ ଏଠାରେ ମନ୍ତ୍ର ସ୍ବରୂପରେ ଥିଲେ।ସିଦ୍ଧ ଋଷିମାନେ ଅବ୍ୟକ୍ତ ଓ ପରମ ଶୂନ୍ୟ ପୁରୁଷଙ୍କୁ ମନ୍ତ୍ର ରୂପରେ ନିଜର ଜ୍ଞାନ ଚକ୍ଷୁରେ ଦେଖିପାରନ୍ତି। ଚିରନ୍ତନ କାଳରୁ ଥିବା ମନ୍ତ୍ର ସବୁ ଅଦୃଶ୍ୟ ଭାବରେ ଅବସ୍ଥାନ କରୁଥିଲେ। ଋଷିମାନେ ତାହାକୁ ଅନ୍ତର୍ଦୃଷ୍ଟିରେ ଦେଖିଲେ। ତେଣୁ କୁହାଯାଇଛି *ଋଷୟଃ ମନ୍ତ୍ରଦ୍ରଷ୍ଟାୟଃ*- ଅର୍ଥାତ୍ ଋଷିମାନେ ମନ୍ତ୍ରକୁ ଦେଖନ୍ତି। ଚିରନ୍ତନ ମନ୍ତ୍ରସମୂହ ଋଷିମାନଙ୍କୁ ବିଦିତ ହେବାରୁ ଏମାନଙ୍କ ସାମଗ୍ରିକ ନାମ ବେଦ ହୋଇଛି। ଏହି ମନ୍ତ୍ର ରୂପରେ ନୀଳାଚଳରେ ଥିଲେ।ପରେ ବିଭିନ୍ନ ପ୍ରତୀକ ଭାବରେ ସେ ଭକ୍ତମାନଙ୍କୁ ଦର୍ଶନ ଦେଲେ। ହୁଏତ ପ୍ରଭୁ ଇନ୍ଦ୍ର ନୀଳମଣିରୂପୀ ଅପ୍ରାକୃତିକ ବସ୍ତୁଭାବେ ଭକ୍ତଙ୍କୁ ପ୍ରଥମେ ଦେଖାଦେଲେ ଓ ତାଙ୍କର ଦର୍ଶନରେ ଏ ସ୍ଥାନର ଅଧିବାସୀମାନେ ଅମର ହୋଇଗଲେ। ଏହାଦ୍ବାରା ଯମଙ୍କର କାର୍ଯ୍ୟରେ ବାଧା ଆସିଲା।ଯମଙ୍କ ପ୍ରାର୍ଥନାରେ ସେହି ଇନ୍ଦ୍ର ନୀଳମଣି ଅପ୍ରାକୃତିକ ମୂର୍ତ୍ତି ବାଲୁକାଝଡରେ ଅଦୃଶ୍ୟ ହୋଇଗଲେ। ବ୍ରହ୍ମ ପୁରାଣ ଅନୁସାରେ ବାଲୁକାଝଡରେ ପୋତି ହୋଇଥିବା ଇନ୍ଦ୍ର ନୀଳମଣି ସ୍ଥାନଟି ଶ୍ରୀମନ୍ଦିରର ନୃସିଂହ ମନ୍ଦିର ନିକଟରେ ଅବସ୍ଥିତ।ନୃସିଂହ ମନ୍ଦିର ନିକଟରେ ଇନ୍ଦ୍ରନୀଳମଣିଙ୍କୁ  ଧ୍ୟାନ କରିବା ପାଇଁ ବ୍ରହ୍ମ ପୁରାଣରେ ନିର୍ଦ୍ଦେଶ ରହିଛି। ଏହି ଲେଖକ ମନେ କରୁଛି ଯେ ଈଶ୍ବରଙ୍କର ଅବତାର ସ୍ବରୂପ ଶଙ୍କରାଚାର୍ଯ୍ୟ ଧ୍ୟାନ ବଳରେ ଏହି ଇନ୍ଦ୍ରନୀଳମଣିଙ୍କର ଅବସ୍ଥିତି ଜାଣି ତାଙ୍କୁ ଉଦ୍ଧାର କରିଥିଲେ ଓ ତାଙ୍କୁ ବର୍ତ୍ତମାନର ମାଧବ ମୂର୍ତ୍ତି ଭଳି ଏକକ ଦାରୁ ମୂର୍ତ୍ତି ଗର୍ଭରେ ରଖାଇଥିଲେ।ସେ ଦାରୁ ମୂର୍ତ୍ତି ବୌଦ୍ଧସ୍ତୁପର ମୂର୍ତ୍ତି ଭଳି ଗଠିତ ହେଲେ।

 ସ୍ତୂପମାନଙ୍କର ବୁଦ୍ଧଦେବ ମହାଶୂନ୍ୟ ଜଗନ୍ନାଥ ରୂପରେ ଦୁଇ ଗୋଲାକାର ପ୍ରସ୍ତରର ସଂଯୁକ୍ତ ମୂର୍ତ୍ତି ଭାବେ ଚିହ୍ନିତ ହୋଇଛନ୍ତି। ସେହି ମହାଶୂନ୍ୟ ସ୍ବରୂପ ଆଦି ବୁଦ୍ଧଙ୍କୁ ସେମାନେ ଜଗନ୍ନାଥ ବୋଲି ଆଖ୍ୟା ଦେଇଥିଲେ। ଶଙ୍କରାଚାର୍ଯ୍ୟ ସେହି ରୂପକୁ ସନାତନ ଧର୍ମର ମହାବିଷ୍ଣୁ ଜଗନ୍ନାଥ ଆଖ୍ୟା ଦେଇ ନୀଳାଚଳରେ ପୂଜା କରାଇଥିଲେ ଓ ପରବର୍ତ୍ତୀ କାଳରେ ସେ ମୂର୍ତ୍ତି କୃଷ୍ଣ ଜଗନ୍ନାଥ ରୂପରେ କ୍ରମେ ତ୍ରିମୂର୍ତ୍ତି ଭାବେ ପୂଜିତ ହେଲେ। ଏକ କୃଷ୍ଣମୂର୍ତ୍ତି ପରବର୍ତ୍ତୀ କାଳରେ ଭାଗବତ ଧର୍ମ ଅନୁଯାୟୀ ରୂପାୟିତ ହୋଇ ପ୍ରଥମେ ହେଲେ ବାସୁଦେବ ଓ ଶଙ୍କର୍ଷଣ ଦୁଇ ମୂର୍ତ୍ତି। ପରବର୍ତ୍ତୀ କାଳରେ ଏହି ଦୁଇ ମୂର୍ତ୍ତି ସଙ୍ଗରେ ଦୁର୍ଗା ଏକାନଂଶା ପୂଜା ପାଇଲେ।ଏକକ ଦାରୁମୂର୍ତ୍ତି ମାଧବ ଭାବେ ଚିହ୍ନିତ ହେଲେ ଓ ପ୍ରସ୍ତରରେ ତ୍ରିମୂର୍ତ୍ତି ଗଠିତ ହେଲେ। ପରମ ପୁରୁଷ ବିଷ୍ଣୁ ଓ ତାଙ୍କ ଶଯ୍ୟା ସ୍ବରୂପ ଅନନ୍ତ କୃଷ୍ଣ ବଳରାମ ବା ବାସୁଦେବ ସଙ୍କର୍ଷଣ ରୂପରେ ଉତ୍ତର ଭାରତ ଓ ମଧ୍ୟ ଭାରତରେ ପୂଜିତ ହେଲେ। ପରବର୍ତ୍ତୀ କାଳରେ ତାଙ୍କ ମଧ୍ୟରେ ପ୍ରବେଶ କଲେ ଶକ୍ତି ସ୍ବରୂପିଣୀ ଦୁର୍ଗା। ଅନନ୍ତରୂପୀ ବଳରାମଙ୍କୁ ଦେବକୀଙ୍କ ଗର୍ଭରୁ ନେଇଯାଇ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବା ପାଇଁ ଯୋଗମାୟା ଦୁର୍ଗାଙ୍କୁ ଆଦେଶ ଦେଇଥିଲେ ଭଗବାନ ବିଷ୍ଣୁ। ତାହାପରେ ତାଙ୍କୁ ନିର୍ଦ୍ଦେଶ ହେଲା ଯଶୋଦା ଗର୍ଭରୁ ଜନ୍ମ ହେବା ପାଇଁ। ବାସୁଦେବ ସଙ୍କର୍ଷଣଙ୍କ ମଧ୍ୟରେ ଭଗିନୀ ଦୁର୍ଗା ରୂପରେ ସେ ପୂଜାପାଇଲେ। ତାଙ୍କର ଅନ୍ୟନାମ ଏକାନଂଶା। ଏହାର ଅର୍ଥ ହେଲା ସେ ସଂପୂର୍ଣ୍ଣା ବା ଏକା। ସେ କାହାର ଅଂଶ ନୁହଁନ୍ତି(ନ ଅଂଶା) ଓଡ଼ିଶାରେ ତ୍ରିମୂର୍ତ୍ତି ଉପାସନା ବେଳେ ତାଙ୍କୁ ଏକାନଂଶା କୁହା ନଯାଇ, କୁହାଗଲା ସୁଭଦ୍ରା।

    ହରିବଂଶ ଅନୁସାରେ ସୁଭଦ୍ରା ରୋହିଣୀଙ୍କ କନ୍ୟା ଓ ସେହି ହିସାବରେ ବଳଭଦ୍ରଙ୍କର ଭଗିନୀ। ଏହି ହେତୁ ସେ କୃଷ୍ଣଙ୍କର ମଧ୍ୟ ଭଗିନୀ। ସାରଳା ଦାସ କିନ୍ତୁ ସୁଭଦ୍ରାଙ୍କୁ ଯଶୋଦାଙ୍କ କନ୍ୟା ବୋଲି କହିଛନ୍ତି। କୃଷ୍ଣ ବିଦାୟ ନେବାର ବହୁକାଳ ପରେ ଯଶୋଦାଙ୍କ ଏକ କନ୍ୟା ହୋଇଛି ତାହାଙ୍କ ନାମ ସୁଭଦ୍ରା। ଓଡ଼ିଶାରେ ଜଗନ୍ନାଥ, ବଳଭଦ୍ର ସହ ବିରାଜିତା ମାତୃମୂର୍ତ୍ତି ସୁଭଦ୍ରା ନାମ ପାଇ ପ୍ରସ୍ତରରେ ଓ ଦାରୁ ରୂପରେ ବିଭିନ୍ନ ସ୍ଥାନରେ ପୂଜିତା ହେଉଛନ୍ତି। ବିନ୍ଦୁସାଗର କୂଳରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ କୋଣାର୍କ, ଭୁବନେଶ୍ୱର ମଧ୍ୟବର୍ତ୍ତୀ ଭିଙ୍ଗାରପୁର ନିକଟସ୍ଥ ତୁରିନ୍ତରା ଓ ଶିଶିଲୋ ଗ୍ରାମରେ ପ୍ରସ୍ତର ତ୍ରିମୂର୍ତ୍ତି ପୂଜା ପାଉଛନ୍ତି। ଲିଙ୍ଗରାଜ ମନ୍ଦିର ଭିତରେ ଅନନ୍ତେଶ୍ବର ନାମରେ ଅନନ୍ତ ବାସୁଦେବ ଓ ସୁଭଦ୍ରା ତ୍ରିମୂର୍ତ୍ତି ପୂଜା ପାଉଛନ୍ତି। ଭାରତରେ ପ୍ରସ୍ତର ତ୍ରିମୂର୍ତ୍ତିପୂଜା ପରମ୍ପରାରେ ଏହି ତ୍ରିମୂର୍ତ୍ତି ମାନଙ୍କର ଉପାସନା ଏ ପର୍ଯ୍ୟନ୍ତ ଚାଲିଆସିଛି। ଏହି ପରମ୍ପରା ମଧ୍ୟରେ ପୁରୀର କଳ୍ପବଟ ଛାୟା ତଳେ ଥିବା କ୍ଷୁଦ୍ର କୋଠରିରେ ଏକ କ୍ଷୁଦ୍ର ପଥରରେ ଖୋଦିତ ଚତୁର୍ଭୁଜ ତ୍ରିମୂର୍ତ୍ତିଙ୍କ ଉପସ୍ଥିତି ନିଶ୍ଚିତ ଭାବେ ରହସ୍ୟମୟ ଓ ଏଥିପାଇଁ ଆଲୋଚନାର ଆବଶ୍ୟକତା ରହିଛି।

  ଭାଗବତ ଧର୍ମ ନାମରେ ପୂର୍ବରୁ ପରିଚିତ ବୈଷ୍ଣବ ଧର୍ମରେ ବିଷ୍ଣୁଙ୍କର ଚତୁର୍ବ୍ୟୂହ ଭାବରେ ଉପାସନା ହେଉଥିଲା। ବାସୁଦେବ, ସଙ୍କର୍ଷଣ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ ନାମରେ ଚାରି ରୂପରେ ବିଷ୍ଣୁ ପୂଜିତ ହେଉଥିଲେ।ଏସବୁ ନାମ ଆସିଛି କୃଷ୍ଣ ପରିବାରରୁ। ବାସୁଦେବ କୃଷ୍ଣ ରୂପରେ ଓ ସଙ୍କର୍ଷଣ ବଳରାମ ଭାବେ ପରିଚିତ ଥିଲେ। କାଳକ୍ରମେ ଏହି ଚାରି ରୂପରେ କେବଳ ର‌‌ହିଲେ ବାସୁଦେବ ଓ ସଙ୍କର୍ଷଣ।

 ଖ୍ରୀ.ପୂ ୨ୟ ଶତାବ୍ଦୀରେ ପାତଞ୍ଜଳି ଓ ୬ଷ୍ଠ ଖ୍ରୀଷ୍ଟାବ୍ଦରେ ପାଣିନୀ ବାସୁଦେବ ଓ ସଙ୍କର୍ଷଣଙ୍କ ମଧ୍ୟରେ ଦୁର୍ଗା ଏକନଂଶା ରହିବା କଥା କହିଲେ।୫ମ ଓ ୬ଷ୍ଠ ଶତାବ୍ଦୀରୁ ପ୍ରସସ୍ତରେ ତ୍ରିମୂର୍ତ୍ତି ପୂଜା ଆରମ୍ଭ ହୋଇଛି। ଭୁବନେଶ୍ୱର ବିନ୍ଦୁସାଗର କୂଳରେ ଅନନ୍ତ ବାସୁଦେବ ପୂଜା ସେହି ବାସୁଦେବ ସଙ୍କର୍ଷଣ ଉପାସନା କଥା ସୂଚାଉଅଛି। ପ୍ରଥମେ ଏହି ଦୁଇମୂର୍ତ୍ତି ପୁରୁଣା ହେବା ପରେ ଓ ମନ୍ଦିର ଭଗ୍ନାବସ୍ଥାପ୍ରାପ୍ତ ହେବାରୁ ପୁରାତନ ମୂର୍ତ୍ତି ସବୁ ଇଂରେଜ ଇଂଜିନିୟର ଷ୍ଟୁଆର୍ଟ ସାହେବ ସେମାନଙ୍କୁ ବିନ୍ଦୁ ସରୋବର କୂଳରେ ରଖାଇଥିଲେ। ବିନ୍ଦୁ ସରୋବର ତୀରରେ ଚତୁର୍ଭୂଜ ବାସୁଦେବ ଓ ଦ୍ୱିଭୁଜ ସଙ୍କର୍ଷଣଙ୍କ ସହିତ ଏକକ ସଙ୍କର୍ଷଣ ଓ ପୁରାତନ ଚତୁର୍ଭୁଜ ବାସୁଦେବ ମୂର୍ତ୍ତି ମଧ୍ୟ ରଖା ହୋଇଛନ୍ତି।

  ଭଗ୍ନ ମନ୍ଦିରରୁ ବାହାରିଥିବା ପୁରାତନ ଚତୁର୍ଭୁଜ ବାସୁଦେବ ଓ ଦ୍ବିଭୁଜ ସଙ୍କର୍ଷଣ ମୂର୍ତ୍ତିପାଇଁ ଅନଙ୍ଗଭୀମ ୩ୟଙ୍କ କନ୍ୟା ଓ ଲାଙ୍ଗୁଳା ନରସିଂହ (କୋଣାର୍କ ନିର୍ମାତା)ଙ୍କ ଭଗିନୀ ଚନ୍ଦ୍ରିକା ଦେବୀ ନୂତନ ମନ୍ଦିର ତିଆରି କରିଥିଲେ। ପୁରାତନ ବାସୁଦେବ ଓ ସଙ୍କର୍ଷଣଙ୍କ ମୂର୍ତ୍ତି ସହ ଚନ୍ଦ୍ରିକା ଦେବୀ ରମଣୀୟ। ମୁଗୁନି ପଥର ନିର୍ମିତା ସୁଭଦ୍ରା ମୂର୍ତ୍ତି ଯୋଗକଲେ। ଏହି ମନ୍ଦିର କାରୁକଳା ଓ ନିର୍ମାଣ ପଦ୍ଧତି କୋଣାର୍କ ମନ୍ଦିର ଦ୍ବାରା ‌ପ୍ରଭାବିତ ହେଲା।୭୦ ବର୍ଷ ତଳେ ଏ ମନ୍ଦିର ମୂର୍ତ୍ତିମାନଙ୍କୁ ଏକ କ୍ଷୁଦ୍ର ମନ୍ଦିରରେ ରଖାଯାଇ ଏଠାରେ ମାର୍ବଲ ପ୍ରତିମା ପ୍ରତିଷ୍ଠିତ ହେଲେ।ଶ୍ରୀମନ୍ଦିର ଦାରୁବ୍ରହ୍ମଙ୍କଠାରୁ ସ୍ବତନ୍ତ୍ର ହୋଇ ଏଠାରୁ ମୂର୍ତ୍ତିତ୍ରୟ ଶିଳାବ୍ରହ୍ମ ଭାବେ ପରିଚିତ। ଏଭଳି ଶିଳାବ୍ରହ୍ମ ଅଛନ୍ତି ତୁରିନ୍ତରା ବାଗଲପୁର ଶାସନର ମନ୍ଦିରରେ। କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ ମନ୍ଦିରକୁ ପଦବ୍ରଜରେ ଯାଉଥିବା ଜୟଦେବ ଅସୁସ୍ଥ ହେବାରୁ ସ୍ବପ୍ନାଦେଶ ପାଇ ଚୋଡ଼ଗଙ୍ଗ ପୁତ୍ର ୨ୟ ଅନଙ୍ଗଭୀମଙ୍କ ପତ୍ନୀ ବାଗଲଦେବୀ ଏ ତ୍ରିମୂର୍ତ୍ତି ଗଢାଇଥିଲେ। ଏଥିରୁ ସୂଚିତ ହୁଏ ‌ଯେ ଶ୍ରୀମନ୍ଦିରରେ ପ୍ରଥମେ ପୂଜିତ ହେଉଥିବା ତ୍ରିମୂର୍ତ୍ତି ପ୍ରସ୍ତର ନିର୍ମିତ ଥିଲେ। ପ୍ରସ୍ତର ମୂର୍ତ୍ତି ସ୍ଥାନାନ୍ତରିତ ହେବା ପାଇଁ ଅସୁବିଧା ଉପୁଜିବାରୁ ଦାରୁ ମୂର୍ତ୍ତିମାନଙ୍କ କଥା ଚିନ୍ତା କରାଗଲା।

  ପ୍ରସ୍ତର ମୂର୍ତ୍ତିରେ ପ୍ରଭୁଙ୍କ ରୂପ ପାଇଥିବା ବେଳେ ଦାରୁମୂର୍ତ୍ତିରେ ପ୍ରତୀକ ରୂପ ପ୍ରକଟ ହେଲା। ଏହା ଜରିଆରେ ଉପନିଷଦ ବର୍ଣ୍ଣିତ ପରମବ୍ରହ୍ମ ବ୍ୟକ୍ତ ଓ ଅବ୍ୟକ୍ତ ରୂପ ବହନ‌ କରି ଉତ୍କଳର ପରିପକ୍ବ ଦାର୍ଶନିକ ଚିନ୍ତନ ପ୍ରକାଶ କଲା।

 କ) ପ୍ରଥମେ ଯଯାତି ନିର୍ମିତ ମନ୍ଦିରରେ ପୁରୁଷୋତ୍ତମ ରୂପେ ଏକକ ପ୍ରସ୍ତର ମୂର୍ତ୍ତି ପୂଜିତ ହେଉଥିଲେ। ପରବର୍ତ୍ତୀ କାଳରେ ମନ୍ଦିର ଏକ ଅଂଶ ଭଗ୍ନ ହେତୁ ମୂର୍ତ୍ତି ବିକଳାଙ୍ଗ ହେବାରୁ ମନ୍ଦିର ଓ ମୂର୍ତ୍ତିଙ୍କ ଭଗ୍ନ ଅଂଶ ପୁନର୍ନିର୍ମିତ ହେଲା।ପୁନର୍ନିର୍ମିତ ପୁରୁଷୋତ୍ତମ ମୂର୍ତ୍ତି ବର୍ତ୍ତମାନ ସତ୍ୟନାରାୟଣ ନାମରେ ଏକ କ୍ଷୁଦ୍ର ମନ୍ଦିରରେ ପୂଜିତ ହେଉଅଛନ୍ତି। ମରାମତି ହୋଇଥିବା ହସ୍ତ ଏବେ ମଧ୍ୟ ସତ୍ୟନାରାୟଣଙ୍କ ବିଗ୍ରହରେ ରହିଛି।

  ଚୋଡଗଙ୍ଗଙ୍କ ନିର୍ମିତ ବିରାଟ ମନ୍ଦିରରେ ଆଉ ଏକକ ତ୍ରିମୂର୍ତ୍ତି ନ ରହି ରହିଲେ ଚତୁର୍ଭୁଜ ତ୍ରିମୂର୍ତ୍ତି ବାସୁଦେବ, ସଙ୍କର୍ଷଣ ଓ ସୁଭଦ୍ରା। ଏହି ତ୍ରିମୂର୍ତ୍ତିଙ୍କ ପାଇଁ ଯେଉଁ ନମୁନା ତ୍ରିମୂର୍ତ୍ତି ନିର୍ମିତ ହେଇଥିଲେ ସେମାନେ ବୋଧହୁଏ ଏକ ପ୍ରସ୍ତର ଖଣ୍ଡରେ ଖୋଦିତ ତ୍ରିମୂର୍ତ୍ତି।

(ଖ) ବର୍ତ୍ତମାନ ବଟମୂଳର ଏକ କୋଠରିରେ ଅବହେଳିତ ତଥା ସର୍ବସାଧାରଣଙ୍କ ଅଗୋଚରରେ ରହିଛି ଏହି କ୍ଷୁଦ୍ର ପ୍ରସ୍ତର ଖୋଦିତ ତ୍ରିମୂର୍ତ୍ତି। ଏହିଭଳି ଚତୁର୍ଭୁଜ ତ୍ରିମୂର୍ତ୍ତି ବାଗଲଦେବୀ ପ୍ରତିଷ୍ଠିତ ବାଗଲପୁରର ତୁରିନ୍ତରାରେ ରହିଛନ୍ତି। ଏହି ମୂର୍ତ୍ତିମାନଙ୍କ ହସ୍ତ ଭଗ୍ନ ହେବାରୁ ସେମାନଙ୍କୁ ଦ୍ବିଭୂଜ କରାଯାଇ ମରାମତି କରାଯାଇଛି। ଏହାର ଅଳ୍ପ ଦୂରରେ ଥିବା ଶିଶିଲୋ ଗ୍ରାମର ଏକ ଗରିବ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ତ୍ରିମୂର୍ତ୍ତିମାନଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଛି।

 ଲିଙ୍ଗରାଜ ମନ୍ଦିର ଅଭ୍ୟନ୍ତରରେ ମଧ୍ୟ ଏହି ପ୍ରସ୍ତର ତ୍ରିମୂର୍ତ୍ତି ଚୋଡ଼ଗଙ୍ଗ ପୁତ୍ର ଅନଙ୍ଗଭୀମ ୨ୟଙ୍କ ଦ୍ଵାରା ପ୍ରତିଷ୍ଠିତ ବୋଲି କୁହାଯାଏ।ତାଙ୍କ ପତ୍ନୀ ସ୍ବପ୍ନ ପାଇବା ପରେ ଜୟଦେବଙ୍କ ପାଇଁ ଶିଶିଲୋରେ ତ୍ରିମୂର୍ତ୍ତିଙ୍କ ସହ ରାଜା ପୂଜା କରୁଥିବା ସୂଚିତ ହୋଇଥିବାରୁ ଶିଶିଲୋ ମନ୍ଦିର ଅନଙ୍ଗଭୀମ ୨ୟ ନିର୍ମାଣ କରିଥିବା ଜଣାଯାଉଛି।

  ଏହି ବିଭିନ୍ନ ମନ୍ଦିରର ତ୍ରିମୂର୍ତ୍ତିଙ୍କ ବର୍ତ୍ତମାନର ରୂପ ବିଷୟରେ ସାମାଜିକ ବିବରଣ ହେଉଛି। ବିନ୍ଦୁସାଗର ତୀରରେ ଥିବା ପୁରାତନ ଚତୁର୍ଭୁଜ ବାସୁଦେବ ମୂର୍ତ୍ତିଙ୍କର ଉପରେ ଦକ୍ଷିଣ ହସ୍ତରେ ଗଦା ଓ ତଳ ଦକ୍ଷିଣ ହସ୍ତରେ ପଦ୍ମ ରହିଛି। ଉର୍ଦ୍ଧ୍ବ ବାମ  ହସ୍ତରେ ଶଙ୍ଖ ଓ ତଳ ବାମ ହସ୍ତରେ ଚକ୍ର ଶୋଭା ପାଉଛି। ଏଠାରେ ଥିବା ସଙ୍କର୍ଷଣଙ୍କ ଦକ୍ଷିଣ ହସ୍ତରେ ହଳ ଓ ବାମ ହସ୍ତରେ ମୂଷଳ ସହିତ ଶିରରେ ଶୋଭା ପାଉଛି ସପ୍ତଫେଣୀ ନାଗ। ଏହି ରୂପରେ ଅନନ୍ତ ବାସୁଦେବ ବର୍ତ୍ତମାନର ମନ୍ଦିରରେ ଉପାସିତ ହେଉଛନ୍ତି।ତୁରିନ୍ତରାରେ ହସ୍ତଭଗ୍ନ ହେବା ପରେ ବାସୁଦେବଙ୍କ ଦୁଇହାତରେ ଶଙ୍ଖ, ଚକ୍ର ଓ ସଙ୍କର୍ଷଣଙ୍କ ହସ୍ତରେ ହଳ ଓ ମୂଷଳ ରହିଛି।

 କଳ୍ପବଟ ତଳେ ଏକ କ୍ଷୁଦ୍ର କୋଠରିରେ ଏକକ କ୍ଷୁଦ୍ର ପଥରରେ ଖୋଦିତ ତ୍ରିମୂର୍ତ୍ତି ଚତୁର୍ଭୁଜ ହୋଇଥିବାରୁ ସେମାନେ ପୁରାତନ ବୋଲି ମନେ ହେଉଛନ୍ତି। ଏହି କ୍ଷୁଦ୍ର ପ୍ରସ୍ତରରେ ଖୋଦିତ ଚତୁର୍ଭୁଜ ବାସୁଦେବଙ୍କ ଉପର ବାମ ହସ୍ତରେ ପଦ୍ମ ଓ ଦକ୍ଷିଣ ହସ୍ତରେ ଗଦା ରହିଛି। ତାଙ୍କର ତଳ ବାମ ହସ୍ତରେ ଶଙ୍ଖ ଓ ଦକ୍ଷିଣ ହସ୍ତରେ ରହିଛି ଚକ୍ର। ସଙ୍କର୍ଷଣଙ୍କ ଉପର ବାମ ହସ୍ତରେ ଶଙ୍ଖ ଓ ଦକ୍ଷିଣ ହସ୍ତରେ ଚକ୍ର। ତାଙ୍କର ତଳ ବାମ ହସ୍ତରେ ମୂଷଳ ଓ ଦକ୍ଷିଣ ହସ୍ତରେ ରହିଛି ହଳ। ସୁଭଦ୍ରାଙ୍କର ବାମ ଉପର ହସ୍ତରେ ଅଙ୍କୁଶ ତଳ ବାମ ହସ୍ତରେ ପଦ୍ମ ରହିଛି। ଉପର ଦକ୍ଷିଣ ହସ୍ତରେ ପାଶ ଓ ତଳ ଦକ୍ଷିଣ ହସ୍ତରେ ବରଦ ମୁଦ୍ରା ବହନ କରିଛନ୍ତି ଭଗବତୀ ସୁଭଦ୍ରା।

 କଳ୍ପବଟ ମୂଳର କ୍ଷୁଦ୍ର ତ୍ରିମୂର୍ତ୍ତିର ନମୁନାରେ ବିରାଟ ତ୍ରିମୂର୍ତ୍ତି ଶ୍ରୀମନ୍ଦିରରେ ଶୋଭା ପାଇଲେ। ଏଭଳି ଭାବରେ ପୁରୁଷୋତ୍ତମଙ୍କ ପ୍ରସ୍ତର ମୂର୍ତ୍ତିର ଏକ ନମୁନା ବିମଳା ମନ୍ଦିର ପାଖରେ ତୁଳସୀ ଚଉରା ଭଳି ଦିଶୁଥିବା ମନ୍ଦିରରେ ରହିଛନ୍ତି।ସେ ମୂର୍ତ୍ତି ଯଯାତି ପ୍ରତିଷ୍ଠିତ ପୁରୁଷୋତ୍ତମ ମୂର୍ତ୍ତିର ନମୁନା ଓ ତୁଳସୀ ଚଉରାଟି ବୋଧହୁଏ ନୃସିଂହ ମନ୍ଦିର ଭାବେ ପରିଚିତ ପ୍ରଥମ ପୁରୁଷୋତ୍ତମ ମନ୍ଦିରର ଏକ ପ୍ରାରମ୍ଭିକ ନମୁନା । ପରିସ୍ଥିତିର ତାଡ଼ନାରେ ଶିଳା ବ୍ରହ୍ମ ବଦଳରେ ବିରାଜିଲେ ଦାରୁବ୍ରହ୍ମ।

  ଶିଳାବ୍ରହ୍ମ କିନ୍ତୁ ପରମ୍ପରା ଅନୁସରଣ କରି ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ସହିତ ସମାନ୍ତରାଳ ଭାବରେ ଅବସ୍ଥାନ କରୁଛନ୍ତି।

related posts

Leave a Comment