Home ଜୀବନଚର୍ଯ୍ୟା ଜାଣନ୍ତୁ ରଘୁକୁଳ ବଧୂ ଅଭିଶପ୍ତା ଜାନକୀଙ୍କ କାହାଣୀ

ଜାଣନ୍ତୁ ରଘୁକୁଳ ବଧୂ ଅଭିଶପ୍ତା ଜାନକୀଙ୍କ କାହାଣୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପ୍ରଭୁ ଶ୍ରୀରାମଙ୍କ ଜୀବନଚରିତ ମୁଖ୍ୟତଃ ବାଲ୍ମୀକି କୃତ ମହାକାବ୍ୟ ରାମାୟଣ ଓ ଗୋସ୍ୱାମୀ ତୁଳସୀ ଦାସ କୃତ ରାମଚରିତ ମାନସରେ ବର୍ଣ୍ଣିତ l ଏହା ବ୍ୟତୀତ ଏହାର କଥାବସ୍ତୁ ଅନ୍ୟ ବହୁ ପୁରାଣ ଓ ଉପ ପୁରାଣ ମାନଙ୍କରେ ଦେଖିବାକୁ ମିଳିଥାଏ l ବିଭିନ୍ନ ପ୍ରାଦେଶିକ ଭାଷା ଏବଂ ବିଭିନ୍ନ ଦେଶରେ ରାମାୟଣର ପଚାଶରୁ ଉର୍ଦ୍ଧ୍ଵ ସଂସ୍କରଣ ରହିଛି l ଏପରିକି ଶ୍ରୀମଦ ଭାଗବତ ମହାପୁରାଣ ମଧ୍ୟରେ ମଧ୍ୟ ଗୋଟିଏ ସଂକ୍ଷିପ୍ତ ରାମାୟଣ ରହିଛି l ଏହି ସବୁ ସାହିତ୍ୟରେ ମୁଖ୍ୟ କଥାବସ୍ତୁ ସହିତ ଆହୁରି କେତେକ କଥା ଓ ଉପକଥା ମାନ ସଂଯୋଜିତ ହୋଇ ଥିବାର ଦେଖାଯାଏ l ମାଆ ଜାନକୀଙ୍କ ନିର୍ବାସନ କାରଣକୁ ନେଇ ସେପରି ଏକ କାହାଣୀ ରହିଛି ପଦ୍ମପୁରାଣ ପାତାଳି ଖଣ୍ଡରେ l ଏହି କଥା ଅନୁଯାୟୀ ମା’ସୀତା ବାଲ୍ୟଜୀବନରେ ଏକ ଶୁଆ ଶାରୀ ଦମ୍ପତ୍ତିଙ୍କ ଦ୍ୱାରା ଅଭିଶପ୍ତା ହୋଇ ବନବାସ ଦୁଃଖ ଭୋଗ କରିଥିଲେ l
ଜନକପୁରୀରେ ବାଲ୍ୟ କାଳରେ ଜନକ ନନ୍ଦିନୀ ସୀତା,ଦିନେ ତାଙ୍କ ସଖୀମାନଙ୍କ ସହ ମହାରାଜ ଜନକଙ୍କ ପ୍ରମୋଦ ଉଦ୍ୟାନରେ ଖେଳୁଥାନ୍ତି l ଏହି ସମୟରେ ସେ ଦେଖିଲେ ନିକଟସ୍ଥ ଗୋଟିଏ ବୃକ୍ଷ ଡାଳରେ ଏକ ସୁନ୍ଦର ଶୁକ ଦମ୍ପତ୍ତି ବସି ବାଲ୍ମୀକି ରଚିତ ସୀତାରାମଙ୍କ କାହାଣୀ ବିଷୟରେ କଥା ବାର୍ତ୍ତା ହୋଇ ରାମ ସୀତାଙ୍କ ଗୁଣଗାନ କରୁଛନ୍ତି l ସେମାନେ କହୁଥାନ୍ତି,” ହେ ରାଜ ଦୁଲାଳୀ ତୁମର ସଖୀ ମାନଙ୍କ ସହ କ୍ରୀଡ଼ା ଅତ୍ୟନ୍ତ ଉପଭୋଗ୍ୟ, ତୁମର ସୁଖର ଦିନ ପାଖେଇ ଆସୁଛି l ଅବିଳମ୍ବେ ପ୍ରଭୁ ଶ୍ରୀରାମ ଆସିବେ ଏବଂ ତୁମକୁ ରାଣୀ କରି ନେଇଯିବେ l ତୁମେ ହେବ ରଘୁକୁଳ ବଧୂ, ଅବଧ ପୁରୀ ଅଯୋଧ୍ୟାର ରାଜରାଣୀ l” ଜାନକୀଙ୍କ ଶକ୍ତି ଥିଲା ସେ ପଶୁ ପକ୍ଷୀ ମାନଙ୍କ ଭାଷା ବୁଝି ପାରୁ ଥିଲେ ଏବଂ ତାଙ୍କ ସହ କଥା ମଧ୍ୟ ହୋଇ ପାରୁ ଥିଲେ l
ସୀତା ଶୁକ ପକ୍ଷୀ ମାନଙ୍କ ଠାରୁ ନିଜର କାହାଣୀ ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ l ସେ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ କୌତୁହଳି ହୋଇ ଶୁକ ଦମ୍ପତ୍ତିଙ୍କୁ ପ୍ରଶ୍ନ କଲେ,”ତାପରେ ପୁଣି କ’ଣ ହେବ”l ସେ ଶୁକ ପକ୍ଷୀ ମାନେ ଆଉ କିଛି କହିବାକୁ ରାଜି ନ ହେବାରୁ ମାଆ ଜାନକୀ ଦାସ ମାନଙ୍କ ସାହାଯ୍ୟରେ ପକ୍ଷୀ ଦ୍ବୟକୁ ଧରି ପିଞ୍ଜରା ବଦ୍ଧ କରି ରଖିଲେ l ପୁରୁଷ ପକ୍ଷୀକୁ ସେ ପ୍ରଥମେ ସମ୍ପୂର୍ଣ କାହାଣୀଟି କହିବାକୁ ବାଧ୍ୟ କରିବାରୁ ସେ କହିଲା,ମୁଁ ଆଉ ଅଧିକା କିଛି ଜାଣି ନାହିଁ l ଆମେ ମାନେ ମୁକ୍ତ ଆକାଶରେ ବିହଙ୍ଗ l ତୁମେ ପିଞ୍ଜରା ଭିତରେ ଆବଦ୍ଧ କରିରଖି ଆମ୍ଭମାନଙ୍କୁ ଆଉ କଷ୍ଟ ଦିଅନାହିଁ l ଆମକୁ ଯିବାକୁ ଦିଅ, ଆମେ ଆକାଶ ମାର୍ଗରେ ଉଡ଼ି ବୁଲି ଆନନ୍ଦ କରୁ l ପୁରୁଷପକ୍ଷୀଟି ପୁଣି କହିଲା ମୋର ସ୍ତ୍ରୀଟି ବର୍ତ୍ତମାନ ଅନ୍ତଃସତ୍ତ୍ୱା l ସେ ଯେ କୌଣସି ମୁହୂର୍ତ୍ତରେ ପ୍ରସବ କରିପାରେ l ସ୍ତ୍ରୀ ପକ୍ଷୀଟି ମଧ୍ୟ କହୁ ଥାଏ ଆମେ ମୁକ୍ତ ବିହଙ୍ଗ ଛୁଆମାନେ କ’ଣ ପଞ୍ଜୁରୀ ଭିତରେ ଆବଦ୍ଧହୋଇ ରହି ପାରିବେ l କଥା କହିବା ମଧ୍ୟରେ ସେମାନେ ମଝିରେ ମଝିରେ ରଟି ହେଉଥାନ୍ତି,” ହରେ କୃଷ୍ଣ, ହରେ ରାମ ” l ସୀତା ଆଶ୍ଚର୍ଯ୍ୟ ହେଉଥାନ୍ତି ଏବଂ କହି ହେଉଥାନ୍ତି,ଧନ୍ୟ ! ଧନ୍ୟ ଏମାନଙ୍କର ପକ୍ଷୀ ଜନ୍ମ,ଏମାନେ ସାମାନ୍ୟ ପକ୍ଷୀହୋଇ ମଧ୍ୟ ପ୍ରଭୁଙ୍କ ନାମ ଜପାମାଳି କରି ପାରିଛନ୍ତି” l
ମାଆ ପୁଣି ପକ୍ଷୀମାନଙ୍କୁ କହିଲେ ମୁଁ ତୁମକୁ ଛାଡ଼ି ଦିଅନ୍ତି,କିନ୍ତୁ ଛାଡ଼ିବି ନାହିଁ l ମୁଁ ଦେଖୁଛି ତୁମ କଥା ଅନୁସାରେ କେବେ ପ୍ରଭୁ ରାମ ଆସିବେ ଓ ମୋର ହାତ ଧରିବେ l ସେ ପର୍ଯ୍ୟନ୍ତ ତୁମ୍ଭଙ୍କୁ ବନ୍ଦୀ କରି ରଖିବି l କିଛି ସମୟ ପରେ ସେ ପୁରୁଷ ପକ୍ଷୀର ବାର୍ତ୍ତାଳାପରେ ପ୍ରଭାବିତ ହୋଇ ତାକୁ ମୁକ୍ତ କରି ଦେବାରୁ ସେ ଆନନ୍ଦରେ ଉଡ଼ି ଚାଲି ଗଲା l ଶୁକ ଚାଲିଯିବା ପରେ ସ୍ତ୍ରୀ ଶୁକପକ୍ଷୀଟି ଅତି ଦୁଃଖରେ ବିଳାପ କରି ପ୍ରାଣତ୍ୟାଗ କଲା l ସେ ପ୍ରାଣତ୍ୟାଗ ପୂର୍ବରୁ ସୀତାଙ୍କୁ ଗୋଟିଏ ଅଭିଶାପ ଦେଇଗଲା, “ହେ ଦେବୀ ! ତୁମେ ଯେପରି ମୋତେ ମୋ ସ୍ୱମୀ ଠାରୁ ବିଚ୍ୟୁତ କରି ଏ ବିରହ ବେଦନାରେ ସନ୍ତପ୍ତ କରିଛ ଓ ସେ ବେଦନାରେ ଏ ଗର୍ଭାବସ୍ଥାରେ ମୁଁ ପ୍ରାଣତ୍ୟାଗ କରୁଛି,ତୁମର ବି ଠିକ ଏହିଭଳି ଦଶା ହେବ l ଗର୍ଭାବସ୍ଥାରେ ତୁମର ସ୍ବାମୀ ବିଚ୍ଛେଦ ହୋଇ ତୁମେ ଅସହ୍ୟ ଦୁଃଖ ପାଇବ l ଅଭିଶାପ ସ୍ବରୁପେ ସେ ଶ୍ଲୋକଟିଏ ପଢ଼ିଲା ଓ ପ୍ରାଣତ୍ୟାଗ କଲା l ଶ୍ଲୋକଟି ଥିଲା :-
ଯଥା ତ୍ଵଂ ପତିନା ଶ୍ରଦ୍ଧାମ୍
ର୍ଭିଜୁଯ୍ୟସି ମାମିତାଃ l
ତଥା ତ୍ଵଂମର୍ପିଆମେନ
ବିମୁକ୍ତ ଭଵ ଗର୍ଭିଣୀହଃ ll
ପୁରୁଷ ଶୁକ ପକ୍ଷୀଟି ପତ୍ନୀର ବିୟୋଗରେ ଭାଙ୍ଗି ପଡ଼ିଲା ଏବଂ ଏହି ଦୁଃଖର କାରଣ ମା’ ସୀତାଙ୍କ ଉପରେ ପ୍ରତିଶୋଧ ନେବାର ପ୍ରତିଜ୍ଞା କରି ଗଙ୍ଗା ଜଳରେ ବୁଡ଼ି ପ୍ରାଣ ବିସର୍ଜନ କଲା l
ଏହି ଶୁକ ପକ୍ଷୀ ପୁଣି ଜନ୍ମ ନେଲା ଅଯୋଧ୍ୟାରେ ସେହି ରଜକ ରୂପରେ ଯାହାର ପତ୍ନୀକୁ ଭର୍ତ୍ସନା ଶୁଣି ଶ୍ରୀରାମ ଅନ୍ତଃସତ୍ଵା ମା’ ସୀତାଙ୍କୁ ନିର୍ବାସିତ କରିଥିଲେ l ମା’ ଜାନକୀ ଏହି ଅଭିଶାପ ଫଳରେ ନିର୍ବାସିତ ହୋଇଥିବାରୁ ପ୍ରଭୁ ଶ୍ରୀରାମଙ୍କ ଉପରେ ସେ କେବେ ଦୋଷ ନ ଦେଇ ଏହା ନିଜର ଅର୍ଜିତ କର୍ମ ଫଳ ବୋଲି କହୁଥିଲେ l ତେଣୁ ତପସ୍ୱିନୀ କାବ୍ୟରେ ସ୍ଵଭାଵ କବି ଗଙ୍ଗାଧର ମେହେର ଲେଖିଛନ୍ତି :-
ମୋ କର୍ମ ପାଇଁ ଦୋଷୀ ନୁହଁନ୍ତି ଵିଧି l
କାନ୍ତ ତ ସ୍ୱଭାବେ ମୋ କରୁଣା ନିଧି ll
ଆଉ ଗୋଟିଏ ଲୋକ କଥାରେ ଶୁଣାଯାଏ,ସୀତା ସ୍ଵୟମ୍ବର ପାଇଁ, ଜନକ ପୁରୀ ମିଥିଳାରେ ସମସ୍ତ ଆୟୋଜନ ଚାଲିଥାଏ l ରାଣୀ ସୁନୟନା ମାଆ ଜାନକୀଙ୍କୁ ଗୌରୀ ପୂଜନ ପାଇଁ ପଠାଇଲେ ଓ କହିଲେ ମାଆଙ୍କ ପୂଜନ ପରେ ସପ୍ତ ଋଷି ପତ୍ନୀ ମାନଙ୍କ ଆଶୀର୍ବାଦ ପ୍ରାପ୍ତ କରି ଫେରି ଆସିବାକୁ l ସୀତା ମାଆ ଗୌରୀଙ୍କ ପୂଜା ସାରି ଋଷି ପତ୍ନୀଙ୍କ ବନ୍ଦନାକରି ସେମାନଙ୍କ ମଥାରେ ସିନ୍ଦୁର ଲେପନ କରିବା ଅବସରରେ ଅଜାଣତରେ ଜଣେ ମାତାଙ୍କ କପାଳଦେଶରେ ଆଘାତ ହୋଇ ରୁଧିର ଝରିବାକୁ ଲାଗିଲା l ସେହି ଋଷି ମାତା ଜଣକ ଅଭିଶାପ ଦେଇଥିଲେ, ” ତୁ ମୋତେ ଅବଜ୍ଞା କଲୁ,ଏଣୁ ତୁ ସର୍ବଦା ପତି ବିଚ୍ଛେଦ ଦୁଃଖରେ ଦୁଃଖୀ ରହିବୁ l ତୋର ଏହି ପାପ ପାଇଁ ତୁ ସ୍ବାମୀ ଠାରୁ ବିଚ୍ଛେଦ ଦଣ୍ଡ ଭୋଗ କରି ଋଷିପତ୍ନୀ ମାନଙ୍କ ସେବା କରି ଏ ପାପ ପ୍ରକ୍ଷାଳନ କରିବୁ l”ସେହି ଅନୁସାରେ ମା ଜାନକୀ, ରାବଣ ହରଣ ଓ ନିର୍ବାସନ, ଦୁଇ ଥର ସ୍ବାମୀ ବିଚ୍ଛେଦ ଦୁଃଖଭୋଗ କରିଥିଲେ l ବାଲ୍ମୀକି ଆଶ୍ରମରେ ନିର୍ବାସନ କାଳରେ ସେ ଋଷିପତ୍ନୀ ମାନଙ୍କ ସେବା କରିଥିଲେ l
ବିଷ୍ଣୁ ପୁରାଣରେ ମଧ୍ୟ ଦୁଇଟି ଉପାଖ୍ୟାନରେ କୁହା ଯାଇଛି ଯେ ଶ୍ରୀବିଷ୍ଣୁ ନାରଦ ଏବଂ ମହର୍ଷି ଭୃଗୁଙ୍କ ଦ୍ୱାରା ଅଭିଶପ୍ତ ହୋଇ ଥିଲେ, ତାଙ୍କର ଗୋଟିଏ ଅବତାରରେ ସେ ପତ୍ନୀ ବିଚ୍ଛେଦ ଦୁଃଖ ଭୋଗ କରିବେ l
ପ୍ରଭୁ ଶ୍ରୀରାମ,ମା’ ଜାନକୀ,ରାମଭକ୍ତ ହନୁମାନ, ରାମାୟଣ ଏବଂ ରାମାୟଣର ଚରିତ୍ର ମାନେ ଏ ଦେଶର ବୌଦ୍ଧିକ ଚିନ୍ତା ଚେତନାକୁ ଯୁଗେ ଯୁଗେ ଅନୁପ୍ରାଣିତ କରୁଥିବେ l ମାଆ ଜାନକୀଙ୍କ ପ୍ରଭୁ ସମର୍ପିତ ଜୀବନ ସମଗ୍ର ମାନବ ଜାତିପାଇଁ ଚିର ଆଦର୍ଶର ଉତ୍ସ l ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଭାଷାରେ :-
ଯାବତ ସତୀତ୍ୱ ଭାବେ ପାଉଥିବ ପୂଜା l
ସର୍ବାଗ୍ରେ ନମସ୍ୟା ସାଧ୍ବୀ ବିଦେହ ତନୁଜା ll

related posts

1 comment

Deepak Kumar majhi July 17, 2021 - 4:36 pm

👍👍👍

Reply

Leave a Comment