Home Breaking News ଆରମ୍ଭ ହେବ ଜୟପୁର ବିଲ୍ଟ କାଗଜକଳ: ଅଗଷ୍ଟ 20ରୁ ସମସ୍ତ କର୍ମଚାରୀ ଯୋଗଦେବେ, ସେପ୍ଟେମ୍ବର 20 ସୁଦ୍ଧା ଆରମ୍ଭ ହେବା ନେଇ ଆଲୋଚନା

ଆରମ୍ଭ ହେବ ଜୟପୁର ବିଲ୍ଟ କାଗଜକଳ: ଅଗଷ୍ଟ 20ରୁ ସମସ୍ତ କର୍ମଚାରୀ ଯୋଗଦେବେ, ସେପ୍ଟେମ୍ବର 20 ସୁଦ୍ଧା ଆରମ୍ଭ ହେବା ନେଇ ଆଲୋଚନା

by Times One Odia
Share with
     
 
 
   

ସୁନାବେଡ଼ା(ଦୀପକ କୁମାର ମାଝୀ): ଆଜି ସେବା କାଗଜ କଳ ପରିସରରେ ମ୍ୟାନେଜମେଣ୍ଟ ଅଧିକାରୀ ମାନଙ୍କ ସହ ୟୁନିଅନ ୱର୍କିଙ୍ଗ୍ କମିଟି ସଦସ୍ୟ ମାନଙ୍କ ର ଏକ ମିଟିଂ ଅନୁଷ୍ଠିତ ହୋଇଯାଇଛି । ସେବା କାଗଜ କଳ ବିଲ୍ଟ୍ ମ୍ୟାନେଜମେଣ୍ଟ ଠାରୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ କମ୍ପାନୀ ମଦର୍ ଆର୍ଥ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ କୁ ହସ୍ତାନ୍ତର ହେବାପରେ ଧିରେ ଧିରେ ମରାମତି କାର୍ଯ୍ୟ ତ୍ୱରାନ୍ୱିତ ହେଉଛି । ବର୍ତ୍ତମାନ ସୁଦ୍ଧା ପାଇପ୍ ଲାଇନ୍ ୧୨୦୦ ମିଟର କାର୍ଯ୍ୟ ସମ୍ପୂର୍ଣ୍ଣ ସରିଛି । ଗତବର୍ଷ ଅଗଷ୍ଟ ମାସରେ ପଲ୍ପ୍ ମିଲ୍ ର ଛାତ ଭୁଷୁଡି ପଡି ଅନେକ ମେସିନ୍ ଭାଙ୍ଗି ଯାଇଥିଲା । ସେସବୁ ମରାମତି ହୋଇ ଆସିଲାଣି । ଛାତ କୁ ସମ୍ପୁର୍ଣ୍ଣ ଭାଙ୍ଗି ନୂଆ କରି ଇଣ୍ଡଷ୍ଟ୍ରିଆଲ ଟିଣ ଛାତ ପଡ଼ିବ ଯାହାକି ଦୀର୍ଘ ସ୍ଥାୟୀ ହେବ । ସେହିପରି ମରାମତି କାର୍ଯ୍ୟ ପାଇଁ ପ୍ରାୟ ୧୦୦ ଜଣ କର୍ମଚାରୀ କାର୍ଯ୍ୟ ରେ ଯୋଗ ଦେଲେଣି । ବଏଲର୍ ଓ ଟି ଜି ର ମରାମତି କାର୍ଯ୍ୟ ସହ ପୁରା ମିଲ୍ ର କାର୍ଯ୍ୟ ଆଗେଇ ଚାଲିଛି । ଇଣ୍ଡସ୍ ଇଣ୍ଡ୍ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ୧୦ କୋଟି ଆର୍ଥିକ ସହାୟତା ଯୋଗାଇ ଦେଇଛି । ଆଉ ୧୦ କୋଟି ମରାମତି କାର୍ଯ୍ୟ ପାଇଁ ମିଳିବାର ଅଛି । ୩୦ କୋଟି ଟଙ୍କା କଞ୍ଚାମାଲ ଯଥା କାଠ, ବାଉଁଶ, କେମିକାଲ,କୋଇଲା ଇତ୍ୟାଦି ଖରିଦ୍ କରିବା ପାଇଁ ମଞ୍ଜୁର୍ ହେବ । ସମସ୍ତ ବିଭାଗର ଇନ୍ ଚାର୍ଜ ଅଧିକାରୀ ମାନେ ନିଯୁକ୍ତି ପାଇଲେଣି । କାରଖାନା ର ମୁଖ୍ୟ ଏସ୍ ଏସ୍ ପାଲ୍ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜୁଲାଇ ମାସରେ ଆହୁରି କର୍ମଚାରୀ ନିଯୁକ୍ତି ପାଇବେ ଏବଂ ଅଗଷ୍ଟ ୨୦ , ୨୦୨୧ ସୁଦ୍ଧା ସବୁ କର୍ମଚାରୀ ମାନଙ୍କୁ ଡ୍ୟୁଟି ରେ ନେଇ ନିଆଯିବା କଥା ପ୍ରକାଶ କରିଛନ୍ତି ଏବଂ ସେପ୍ଟେମ୍ବର ମାସ ସୁଦ୍ଧା କାରଖାନା ର ଉତ୍ପାଦନ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ଇଡକୋ ର ଅଧିକାରୀ ମାନେ ଆସି ଜମି ଜମା ଦେଖି ଗଲେଣି । ସରକାର ଙ୍କ ପକ୍ଷରୁ ପାଣି ପାଇଁ ନୂଆ ନିତୀ ଗ୍ରହଣ କରି ନିର୍ଦ୍ଦେଶନାମା ଜାରି ହୋଇଛି , ଯାହା ଫଳରେ ଯେତିକି ପାଣି ଖର୍ଚ୍ଚ ହେବ ସେତିକିରେ ବିଲ୍ ହେବ । ଇତିମଧ୍ୟରେ ପୁରୁଣା ଜଳ ଓ ବିଦ୍ୟୁତ ଦେୟ ପ୍ରାୟ ୧୧୦୦ କୋଟି ହିସାବରେ ରହିଛି , ତାହା ଉପରେ ସରକାର ନିଷ୍ପତ୍ତି ନେବେ । ଅନ୍ୟାନ୍ୟ ସହଯୋଗ ପାଇଁ କମ୍ପାନୀ ଚେଷ୍ଟା କରିଥିଲେ ମଧ୍ୟ ଫଳପ୍ରଦ ହେଉନାହିଁ । ବର୍ତ୍ତମାନ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି କୋରୋନା ସଂକ୍ରମଣ ରୁ ସୁସ୍ଥ ହୋଇ ଡାକ୍ତର ଙ୍କ ଉପଦେଶ ମାନି ଭୂବନେଶ୍ୱରରେ ଅଛନ୍ତି । ସେ ସମ୍ପୂର୍ଣ ଭାବେ ସୁସ୍ଥ ସବଳ ହୋଇ ଆସିଲା ପରେ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଇସ୍ୟୁ ଉଠାଇ ସମାଧାନ ପାଇଁ ପଦକ୍ଷେପ ନେବେ । କାରଖାନା ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁ ବିଧାୟକ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି । ରାଜ୍ୟ ସରକାର ଅନୂକୁଳ ମନୋଭାବ ପୋଷଣ କରି ଅନେକ ମିଟିଂ କରିଛନ୍ତି କିନ୍ତୁ ନିର୍ଣ୍ଣାୟକ ନିଷ୍ପତ୍ତି ହେବା ବାକି ଅଛି । କାରଖାନା ୨୦୧୯ ଏପ୍ରିଲ ମାସରୁ ବନ୍ଦ ରହିଛି ଏବଂ ୨୦୨୦ ଏପ୍ରିଲ ମାସରୁ କୋରୋନା ମହାମାରୀ ସମ୍ବନ୍ଧୀୟ ଲକ୍ ଡାଉନ୍ ସଟ୍ ଡାଉନ୍ ପରଠାରୁ କର୍ମଚାରୀ ମାନଙ୍କୁ ଡ୍ୟୁଟି ବନ୍ଦ କରାଯାଇଛି। ବର୍ତ୍ତମାନ ଦୀର୍ଘ ଦିନ ପରେ ଚାଲିବା ପାଇଁ ହେଉଥିବା ଉଦ୍ୟମ ଓ କାର୍ଯ୍ୟ ର ପ୍ରଗତି ସମସ୍ତ ଙ୍କୁ ନୁଆ ଆଶା ଭରସା ଦେଇଛି । ଜୟପୁର ର ଅର୍ଥନୈତିକ ଜୀବନରେଖା ଏହି କାଗଜ କଳ ଚାଲିବା ପାଇଁ ସମସ୍ତ ବର୍ଗର ଜନସାଧାରଣ ଚାହିଁ ବସିଛନ୍ତି । ଆଜିର ମିଟିଂ ରେ ମ୍ୟାନେଜମେଣ୍ଟ ପକ୍ଷରୁ ୟୁନିଟ ହେଡ୍ ଶ୍ରୀ ଏସ୍ ଏସ୍ ପାଲ୍ , ଏଚ୍ ଆର୍ ହେଡ୍ ରମେଶ ଯାଦବ୍ ଓ ୟୁନିଅନ ପକ୍ଷରୁ ସର୍ବଶ୍ରୀ ପ୍ରମୋଦ କୁମାର ମହାନ୍ତି,ପ୍ରଦୀପ ପାଞ୍ଜିଆ, ସନ୍ଦୀପ ପଟ୍ଟନାୟକ, ସରୋଜ ସୁଆର,ବାଳ କୃଷ୍ଣ ପ୍ରଧାନ , ଉମା ପାଣିଗ୍ରାହୀ, ଧିରେନ୍ଦ୍ର କୁମାର ମହାନ୍ତି, ସୁଦର୍ଶନ ବିଷୋୟୀ , ପ୍ରମୋଦ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ।

related posts

1 comment

Deepak Kumar majhi July 8, 2021 - 6:02 pm

👍👍👍

Reply

Leave a Comment