Home Breaking News / ତାଜା ଖବର 156 ବର୍ଷ ପୁରୁଣା ଓଡ଼ିଶା ସହର ବ୍ରହ୍ମପୁର

156 ବର୍ଷ ପୁରୁଣା ଓଡ଼ିଶା ସହର ବ୍ରହ୍ମପୁର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର ବଡ଼ ବଜାରରେ ପାରମ୍ପରିକଭାବେ ପାଟ, ସୁନାଗହଣା ସାଙ୍ଗକୁ ପାଇକାରୀ ଖାଦ୍ୟସାମଗ୍ରୀ ଓ ପନିପରିବା କାରବାର ହୋଇଥାଏ । କେରାଣ୍ଡିମାଳ ପାଦ ଦେଶରେ ପ୍ରତିଷ୍ଠିତ କଙ୍କିଆ ମହୁରିଗଡ଼ ପରିତ୍ୟାଗ କରି ଅଧୂନା ବଡ଼ ବଜାରଠାରେ ନବ ନିର୍ମିତ ରାଜପ୍ରସାଦରେ ସପ୍ତଦଶ ଶତାଦ୍ଦୀ ଦ୍ୱିତୀୟାର୍ଦ୍ଧରୁ ରାଜପରିବାର ବସବାସ କରିବାପରେ ଉଆସକୁ ଘେରି ଜନବସତି ଗଢ଼ି ଉଠିଥିଲା । ରାଜପ୍ରସାଦ ନିର୍ମାଣର ଅଳ୍ପ ସମୟ ମଧ୍ୟରେ ରାଜକୃପା ଲାଭକରି ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀ ଅଞ୍ଚଳରୁ ‘ଦେବାଙ୍ଗ’ ସଂପ୍ରଦାୟର ବୁଣାକାର ପରିବାରବର୍ଗ ଏହା ସମୀପରେ ବସବାସ ଆରମ୍ଭ କରିଥିଲେ । ଜନଶୃତି ଅନୁଯାୟୀ ବର୍ହିଃଆଗତ ଦେବାଙ୍ଗମାନେ ପ୍ରଥମେ ଡ଼େରା ପକାଇ ବା ତମ୍ୱୁ ଟାଣି କିଛି କାଳ ବସବାସ କରିଥିବା ହେତୁ ସେମାନଙ୍କୁ ‘ଡ଼େରା’ ସଂପ୍ରଦାୟ ନାମିତ କରାଯାଇଥାଏ । ବର୍ତ୍ତମାନ ସୁଦ୍ଧା ନିଶ୍ଚିହ୍ନ ରାଜପ୍ରସାଦର ସମୀପବର୍ତ୍ତୀ ବସ୍ତି ‘ଦେଶୀବେହରା ସାହୀ’ ନାମିତ । ସେଠାରେ ଡ଼େରା ସଂପ୍ରଦାୟ ମୁଖ୍ୟ ସେନାପତିଙ୍କ ବାସଗୃହ ରହିଛି ଏବଂ ପ୍ରତି ବର୍ଷକ ଅନ୍ତରରେ ତାଙ୍କରି ବାସଗୃହ ସାମ୍ନାରେ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମନ୍ଦିର ନିର୍ମିତ ହୁଏ ।

ଦେବାଙ୍ଗ ସଂପ୍ରଦାୟର ବୁଣାକାରମାନେ ପାଟବସ୍ତ୍ର ବୟନକରି ବିକ୍ରୀବଟା ଆୟୋଜନ କରୁଥିଲେ । ପାଟବସ୍ତ୍ର ଉପକୂଳ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଆଦୃତ ହେବା ହେତୁ କ୍ରମଶଃ ସେମାନଙ୍କ ବାସସ୍ଥଳୀ ଛୋଟମୋଟ ବଜାରରେ ପରିଣତ ହେବାରେ ଲାଗିଲା । ରାଜପରିବାରଙ୍କ ସ୍ଥାନାନ୍ତର ସହ ସେମାନଙ୍କ ସେନାବାହିନୀ ମଧ୍ୟ ନୂତନ ଉଆସର କିଛି ଦୂରରେ ବସତି ସ୍ଥାପନ କରି ଆଖପାଖ ଜମିରେ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେହି ଅଞ୍ଚଳ ବର୍ତ୍ତମାନ ପୁରୁଣା ବ୍ରହ୍ମପୁର ନାମିତ । କ୍ରମଶଃ ପଡ଼ୋଶୀ ଗ୍ରାମାଞ୍ଚଳରୁ ପିତ୍ତଳ କଂସାବାସନ ନିର୍ମାତାଙ୍କ ସହ କ୍ରମବର୍ଦ୍ଧିଷ୍ଣୁ ଜନବସତି ଓ ବଜାରଘାଟର ଚାହିଦା ମେଣ୍ଟାଇବା ନିମନ୍ତେ ଅନ୍ୟାନ୍ୟ ବର୍ଗର କାରିଗର ପହଞ୍ଚିଲେ । ବଡ଼ ବଜାର ପାଟ ଦୋକାନ ସାଙ୍ଗକୁ ପିତ୍ତଳ କଂସାବାସନ ବଜାରରେ ପରିଣତ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟ, ପରିବା ଓ ଆମିଷ ବଜାର ମଧ୍ୟ ଗଢ଼ି ଉଠିଲା । ଏଥିରେ ବହୁ ବ୍ୟବସାୟୀ ନିୟୋଜିତ ହୋଇ ଗୁଜୁରାଣ ମେଣ୍ଟାଇଲେ ।

ପରବର୍ତ୍ତୀ ପର୍ଯ୍ୟାୟରେ ଊନବିଂଶ ଶତାଦ୍ଦୀରେ ଗୋପାଳପୁର ବନ୍ଦର କାରବାର ବୃଦ୍ଧି ଫଳରେ ବଡ଼ ବଜାର ଗୁରୁତ୍ୱ ବଢ଼ିଗଲା । ଦକ୍ଷିଣ ଓଡ଼ିଶା ମାଳାଞ୍ଚଳର ଜଙ୍ଗଲଜାତ ଦ୍ରବ୍ୟ ରପ୍ତାନୀ ଓ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ଆମଦାନୀ ଲାଗି ବଡ଼ ବଜାରରେ ରାଜ୍ୟବାହାରର ବଡ଼ ବ୍ୟବସାୟୀମାନେ ଆସ୍ଥାନ ଜମାଇଲେ । ସ୍ଥାନୀୟ ଚାହିଦାକୁ ହୃଦୟଙ୍ଗମ କରି ଦକ୍ଷିଣଭାରତୀୟ ବ୍ୟବସାୟୀମାନେ ସୁନାରୂପା ଓ ବସ୍ତ୍ର ବଜାର ଆରମ୍ଭ କଲେ । ବିଂଶ ଶତାଦ୍ଦୀ ଆରମ୍ଭରୁ ରେଳପଥ ସହ ସଂଯୋଗ ପରେ ବ୍ରହ୍ମପୁର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶର ଅନ୍ୟତମ ବ୍ୟବସାୟ କେନ୍ଦ୍ର ରୂପେ ଗଢ଼ି ଉଠିଲା । ବ୍ରହ୍ମପୁରରୁ ବିଶାଖାପାଟଣା ୨୮୦, ରାୟପୁର ୫୬୦ ଓ କଟକ ବଜାର ୧୯୦ କିଲୋମିଟର ପରିଧିରେ ବଡ଼ ବଜାର ମୁଖ୍ୟତଃ ପାଇକାରୀ ବଜାରର ଖ୍ୟାତି ଅର୍ଜନ କଲା ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନପରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ପ୍ରଶାସନିକ କେନ୍ଦ୍ରରୂପେ ଚ଼ିହ୍ନିତ ହେବା ଏବଂ ସ୍ୱାଧୀନୋତ୍ତର ଅବସ୍ଥାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧା ହେତୁ ଗ୍ରାମାଞ୍ଚଳରୁ ପରିବାରବର୍ଗ ସହରରେ ସ୍ଥାୟୀଭାବେ ବସବାସ ଫଳରେ ଜନସଂଖ୍ୟା ବୃଦ୍ଧି ବଡ଼ ବଜାରର ଆକାର ଓ କାରବାର ବୃଦ୍ଧିରେ ପର୍ଯ୍ୟବସିତ ହେଲା । ଏକବିଂଶ ଶତାଦ୍ଦୀ ଆରମ୍ଭ ସୁଦ୍ଧା ବଡ଼ ବଜାର କଟକର ମାଲଗୋଦାମ ପରେ ଅନ୍ୟତମ ସର୍ବାପେକ୍ଷା ଜନାକୀର୍ଣ୍ଣ ବଜାର । ପ୍ରବଳ ଜନଗହଳି ହେତୁ ଦୀର୍ଘ ଦିନରୁ ବ୍ରହ୍ମପୁର ବଡ଼ ବଜାରରେ ଦିନବେଳା ସାମଗ୍ରୀ ପରିବହନ ଯାନବାହାନର ପ୍ରବେଶ ନିଷିଦ୍ଧ କରାଯାଇଛି । ଫଳରେ ରାତିବେଳା ସାମଗ୍ରୀ ବୋଝାଇବା ଓ ଓହ୍ଲାଇବା ପାଇକାରୀ ବ୍ୟବସାୟୀଙ୍କ ନିମନ୍ତେ ଏକ ଅସମାହିତ ସମସ୍ୟାରେ ପରିଣତ ହୋଇ ରହିଛି । ବର୍ତ୍ତମାନ ମହାମାରୀପରେ ଦୁରବସ୍ଥାନ ନୀତି ପାଳନ ମୋଟରୁ ସଂଭବ ହୋଇପାରୁ ନାହିଁ ।

ଏହି ପରିପ୍ରେକ୍ଷୀରେ ସହରାଞ୍ଚଳର ଭିତ୍ତିଭୂମି ପ୍ରସ୍ତୁତି, ଟ୍ରାଫିକ ନିୟନ୍ତ୍ରଣ ଓ ଜନସ୍ୱାସ୍ଥ୍ୟ ସମସ୍ୟା ସମାଧାନରେ ପ୍ରାଥମିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ସମ୍ୱଲପୁର ଓ ବ୍ରହ୍ମପୁର ଭଳି ବଡ଼ ସହରମାନଙ୍କରେ ସହର ଉପାନ୍ତରେ ପ୍ରଶସ୍ତ ମଣ୍ଡି ନିର୍ମାଣଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏହି ଘଟଣାକ୍ରମରେ ‘କୋଭିଡ଼-୧୯’ ଦ୍ୱିତୀୟ ତରଙ୍ଗ ଆରମ୍ଭ ପୂର୍ବରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କ ସହ ଏକ ବୈଠକ ଆୟୋଜନ ହୋଇଥିଲା । ଦ୍ୱିତୀୟ ତରଙ୍ଗ ନରମି ଯିବାପରେ ସେଦିଗରେ ପୁନଃତତ୍ପରତା ଆଶା କରାଯାଉଛି ।

ବ୍ରହ୍ମପୁର ବଡ଼ ବଜାରରୁ ପାଇକାରୀ ବ୍ୟବସାୟ ଉଠାଇ ନିଆଯାଇ ନବ ପ୍ରତିଷ୍ଠିତ ହଳଦିଆପଦର ବସଷ୍ଟାଣ୍ଡରୁ ୨/୩ କିଲୋମିଟର ଦୂରବର୍ତ୍ତୀ ଏକ ଖୋଲା ସରକାରୀ ଜମିରେ ମଣ୍ଡି ନିର୍ମାଣଲାଗି ବିଚାର କରାଯାଉଥିବା ପ୍ରକାଶ । ସ୍ଥାନୀୟ ବ୍ୟବସାୟୀ ସଂଘର ପ୍ରତିନିଧିମାନେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନର କାର୍ଯ୍ୟକ୍ରମ ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିବା ସ୍ଥଳେ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବା ସଂଭବ ।

ସହର ମଧ୍ୟରୁ ପାଇକାରୀ ବଜାର ସହରତଳି ଅଞ୍ଚଳରୁ ଉଠାଇ ନେବା ଏବଂ ଆବଶ୍ୟକୀୟ ସୁବିଧାସୁଯୋଗ ସହ ନୂତନ ଢଙ୍ଗରେ ବଜାର ଗଢ଼ି ତୋଳିବା କାର୍ଯ୍ୟ ଦେଶର ବଡ଼ ବଡ଼ ସହରରେ କାର୍ଯ୍ୟକାରୀ ହୋଇଛି । ବ୍ରହ୍ମପୁର ଆଜି ନହେଲେ କାଲି ଯେ ସେହି ରାସ୍ତାରେ ଯିବ, ଏଥିରେ ସନ୍ଦେହ ନାହିଁ । ତେବେ ଏଭଳି ପ୍ରସ୍ତାବକୁ ସ୍ଥାନୀୟ ବ୍ୟବସାୟୀମାନେ କେତେଦୂର ଗ୍ରହଣ କରିବେ ତାହା ଏକ ବଡ଼ ପ୍ରଶ୍ନ । ପାରମ୍ପରିକ ବ୍ରହ୍ମପୁର ବଜାର ବ୍ୟବସାୟୀଗଣ ଅତୀତରେ ସ୍ଥାନାନ୍ତରଣକୁ ବିରୋଧ କରିଆସିଛନ୍ତି । ପୁରୁଣା ବସଷ୍ଟାଣ୍ଡ ବହୁ ଦିନର ଚେଷ୍ଟାରେ ନୂଆ ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ ହେଲା; କିନ୍ତୁ ହଳଦିଆପଦର ବସଷ୍ଟାଣ୍ଡ ପ୍ରସ୍ତୁତ ହୋଇସାରିଥିବା ସତ୍ତ୍ୱେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିପାରୁ ନାହିଁ । ଏହି ଅଭିଜ୍ଞତା ବଡ଼ ବଜାର ପାଇକାରୀ ଖାଦ୍ୟ ସାମଗ୍ରୀ ଓ ପରିବା ବଜାର ସ୍ଥାନାନ୍ତରଣକ୍ଷେତ୍ରରେ କିଭଳି ପ୍ରଭାବ ପକାଇବ ତାହା ସମୟ କହିବ !

related posts

1 comment

Deepak Kumar majhi July 3, 2021 - 4:23 pm

👍

Reply

Leave a Comment