Home Breaking News / ତାଜା ଖବର ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଏକୁଲରେ କୋଭିଡ୍ ଭ୍ୟାକସିନେସନ୍ କ୍ୟାମ୍ପ: ୪୦ ଜଣଙ୍କୁ ଦିଆଗଲା କୋଭିସିଲଡ

ଢେଙ୍କାନାଳ ଜିଲ୍ଲାର ଉପାନ୍ତ ଏକୁଲରେ କୋଭିଡ୍ ଭ୍ୟାକସିନେସନ୍ କ୍ୟାମ୍ପ: ୪୦ ଜଣଙ୍କୁ ଦିଆଗଲା କୋଭିସିଲଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଢେଙ୍କାନାଳ ଜିଲ୍ଲାର ସବୁଠାରୁ ଉପାନ୍ତ ତଥା ପାହାଡିଆ ଏକୁଲରେ କରୋନା ଟିକାକରଣ ଶିବିର ହୋଇଯାଇଛି । ଏହି ଟିକାକରଣ ଶିବିରରେ ଆଦିବାସୀ ବହୁଳ ଏକୁଲ , ସେକୁଲ ଏବଂ ପୁଟିପାଳ
ଗ୍ରାମର ପ୍ରାୟ ୪୦ ଜଣ ଲୋକ କରୋନା ଟିକା ନେଇଛନ୍ତି । ୬୦ ବର୍ଷରୁ ଅଧିକ ୨୧ ଜଣଙ୍କୁ ଏବଂ ୪୫ ବର୍ଷରୁ ଅଧିକ ୧୯ ଜଣଙ୍କୁ କୋଭିସିଲଡ ଟିକା ଦିଆଯାଇଛି । ସେହିପରି ଏହି ଶିବିରରେ ଜଙ୍ଗଲ ଅଂଚଳରେ ରହୁଥିବା ଲୋକଙ୍କର କରୋନା ନମୂନା ପରୀକ୍ଷା ମଧ୍ୟ କରାଯାଇଛି । ଶିବିରରେ ମୋଟ୍ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି ।
କଙ୍କଡାହାଡ ବ୍ଲକର ସବୁଠାରୁ ଉପାନ୍ତ ତଥା ଜଙ୍ଗଲ ପାହାଡ ଘେରା ଅଂଚଳ ଏକୁଲ , ପୁଟିପାଳ, ସେକୁଲ । ସେମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ ଏକୁଲ ପ୍ରାଥମିକ ବିଦ୍ୟାଳୟରେ ଟିକାକରଣ ଶିବିର ଆୟୋଜନ ହୋଇଥିଲା । ଏଥିପାଇଁ ବିରାଶାଳ ଡାକ୍ତରଖାନାର ସ୍ୱତନ୍ତ୍ର ଡାକ୍ତରୀ ଦଳ ତଥା ଟିକାକରଣ ପାଇଁ ଭ୍ୟାକସିନ୍ ଟିମ୍ ଆସିଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ , କଙ୍କଡାହାଡ ବିଡିଓ ଖଗେଶ୍ୱର ପାତ୍ର, ବିରାଶାଳ ସିଏଚସିର ମେଡିକାଲ ଅଫିସର ପ୍ରଦୀପ କୁମାର ଜେନା, ଆରବିଏସକେ ଟିମର ଡାକ୍ତର ଅଜିତ ସାହୁ, ଡାକ୍ତର ବିଜୟଲକ୍ଷ୍ମୀ ସାହୁ ଏବଂ ଭାକସିନେସନ୍ ଟିମ୍ ଏହି ଶିବିରରେ ସାମିଲ ହୋଇଥିଲେ । ବିରାଶାଳ ସିଏଚସିର ଆରବିଏସକେ ଟିମର ଡାକ୍ତର ଅଜିତ ସାହୁ, ଡାକ୍ତର ବିଜୟଲକ୍ଷ୍ମୀ ସାହୁ ଏହି ଶିବିରକୁ ପରିଚାଳନା କରିଥିଲେ ।
ଢେଙ୍କାନାଳ ଜିଲ୍ଲାର ନଗଡା କହିଲେ ବୁଝାଇଥାଏ ଏହି ଏକୁଲ ସେକୁଲ ଅଂଚଳକୁ । ଜଙ୍ଗଲ ପାହାଡ ଘେରା ଏହି ହାମଲେଟ୍ ଗୁଡିକରେ ଆଜି ବି ବିକାଶ ପହଁଚିନି । ଜିଲ୍ଲା ପ୍ରଶାସନ କରୋନା ସମୟରେ ଏହି ଆଦିବାସୀ ଅଂଚଳରେ ଟିକାକରଣ ଶିବିର ଆୟୋଜନ କରି ଏଠାକାର ଆଦିବାସୀ ଲୋକଙ୍କୁ କରୋନାରୁ ରକ୍ଷା କରିବା ନେଇ ଉଦ୍ୟମ କରିଛି । ଏହି ଅବସରରେ ଏକୁଲ, ସେକୁଲ ଓ ପୁଟିପାଳର ଜନତାଙ୍କୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସହ ମାସ୍କ ଓ ଔଷଧ ବଂଟନ କରାଯାଇଥିଲା । ଗର୍ଭବତୀ ମହିଳାଙ୍କୁ କ୍ୟାଲସିୟମ ଓ ଆଇରନ୍ ବଟିକା ପ୍ରଦାନ କରାଯାଇଛି । ଏପରି କରୋନା ଟିକାକରଣ ଶିବିର ପାଇଁ ଏକୁଲ ଜନତା ସ୍ୱାସ୍ଥ୍ୟ ଟିମ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ।

related posts

1 comment

Deepak Kumar majhi June 18, 2021 - 4:47 am

Good news

Reply

Leave a Comment