Home Breaking News / ତାଜା ଖବର ଆକ୍ରମଣ ଘଟଣାରେ ଯୁବକଙ୍କୁ କୋର୍ଟ ଚାଲାଣ

ଆକ୍ରମଣ ଘଟଣାରେ ଯୁବକଙ୍କୁ କୋର୍ଟ ଚାଲାଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୋଲଶରା(ଅଭିମନୁମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡା ଗ୍ରାମରେ ଗତ ମେ ୧୫ ତାରିଖ ବିଳମ୍ବିତ ରାତିରେ ମନୋଜ କୁମାର ସ୍ବାଇଁ ନାମକ ଜଣେ ଯୁବକକୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯିବା ମାମଲାରେ ଦିଗପହଣ୍ଡି ପୋଲିସ ପୂର୍ବରୁ ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରବିବାର ଦିନ ପୁଣି ଚାରି ଜଣଙ୍କୁ ଗିରଫ କରିଥିବା ପ୍ରତିବାଦରେ କୋଟିନଡା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଦିଗପହଣ୍ଡି ଥାନା ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା ।ଗିରଫ ଅଭିଯୁକ୍ତ ମାନେ କୋଟିନଡା ଗ୍ରାମର ସୁଶାନ୍ତ ସ୍ବାଇଁ , ରାମହରି ଜେନା , ବାଳକୃଷ୍ଣ ବିଷୋୟୀ ଏବଂ ମାଗତା ସ୍ବାଇଁ ବୋଲି ଜଣାଯିବା ସହ ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବା ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଖବରନୁଯାୟୀ , ଗତ ୧୫ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ ଗ୍ରାମ ରାଧାକୃଷ୍ଣ ମନ୍ଦିର ନିକଟରେ ବସିଥିବା ବେଳେ ଗ୍ରାମର ଜଣେ ଲୋକଙ୍କ ଜନ୍ମଦିନ ଚାଲିଥିଲା । ଏହି ସମୟରେ ମନୋଜ ଗାଲିଗୁଲଜ କରିଥିବା ନେଇ ଗ୍ରାମର କିଛି ଲୋକଙ୍କ ସହ ପାଟିତୁଣ୍ଡ ପରେ ୯ ଜଣ ମିଶି ମନୋଜକୁ ଆକ୍ରମଣ କରିବା ସହ ମନୋଜ ଓ ତାଙ୍କ ଭାଇ ଧିରେନଙ୍କ ଘର ଭଙ୍ଗାରୁଜା କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ପୂର୍ବରୁ ୫ ଜଣକୁ ଗିରଫ କରିଥିଲା । ତେବେ ରବିବାର ରାତିରେ ଅନ୍ୟ ୪ ଜଣକୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ମନୋଜ ଗ୍ରାମରେ ପୂର୍ବରୁ ଆତଙ୍କ ଚଳାଇ ଆସୁଥିବା ସହ ବିଭିନ୍ନ ସମୟରେ ବିଭିନ୍ନ ଅସାମାଜିକ କାର୍ଯ୍ଯରେ ସେ ଲିପ୍ତ ଥିବା ଏବଂ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ । ଗତକାଲି ମଧ୍ୟ ମନୋଜ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ କରି ହତ୍ଯାଧମକ ଦେଇଥିବା ବେଳେ ଗତ ୧୫ ତାରିଖ ଦିନ ସେ ହିଁ ପ୍ରଥମେ ଗଣ୍ଡଗୋଳ ସୃଷ୍ଟି କରିଥିବା ଗ୍ରାମବାସୀ କହିଛନ୍ତି । ପୂର୍ବରୁ ମନୋଜ ଦୁଇରୁ ତିନି ଥର ଦିଗପହଣ୍ଡି ଥାନାରେ ଅଟକ ମଧ୍ୟ ରହିଥିବା ଜଣାପଡିଛି । ବର୍ତ୍ତମାନ ଘଟଣାକୁ ନେଇ ମନୋଜଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ତାକୁ ଗିରଫ କରିବା ପରିବର୍ତ୍ତେ ଏତଲାରେ ନାମ ନଥିବା ନିରୀହ ଲୋକଙ୍କୁ ଥାନାରେ ଅଟକ ରଖିଥିବା ଗ୍ରାମବାସୀ କହିଥିଲେ । ଏପରିକି ଦିଗପହଣ୍ଡି ପୋଲିସ ମନୋଜକୁ ସୁରକ୍ଷା ଦେଉଥିବା ପ୍ରକାଶ କରିଛନ୍ତି । ଯାହାଫଳରେ ଗ୍ରାମବାସୀ ଏହାକୁ ପ୍ରତିବାଦ କରି ରବିବାର ଅପରାହ୍ନରେ ଶତାଧିକ ମହିଳା ପୁରୁଷ ସରପଞ୍ଚ ପ୍ରତିନିଧି ଉମାକାନ୍ତ ବିଷୋୟୀଙ୍କ ନେତୃତ୍ୱରେ ଥାନା ଭିତରକୁ ଧସେଇ ପଶି ଫାଟକ ଆଗରେ ଧାରଣା ଦେଇଥିଲେ । ଖବରପାଇ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରାଙ୍କ ସମେତ ନୂଆଗାଁ ଥାନା ଆଇଆଇସି ମୃତ୍ଯୁଞ୍ଜୟ ସ୍ବାଇଁ ଓ ଅନ୍ୟ ଅଧିକାରୀ ବୃନ୍ଦ ଥାନାରେ ପହଞ୍ଚି ଲୋକଙ୍କ ସହ ଖୋଲା ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ଏସଡିପିଓ ଭତ୍ରା ଅଟକ ଯୁବକଙ୍କୁ ଛାଡି ଦିଆଯିବା ସହ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ମନୋଜ ସ୍ବାଇଁଙ୍କୁ ଏବଂ ତା’ର ସହଯୋଗୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିବା ଜଣାପଡିଛି ।

related posts

Leave a Comment