ନରଦା ଷ୍ଟିଙ୍ଗ୍ ମାମଲାରେ ରୋଚକମୋଡ । ଗତକାଲି ସିବିଆଇର ଗିରଫ, ତା ପରେ ଜାମିନ୍, ଆଉ ସେହି ଜାମିନ୍ ଉପରେ ରୋକ୍ ଲଗାଇ ଦେଲେ କୋଲକାତା ହାଇକୋର୍ଟ । ଏହାକୁ ଗତକାଲି ଠାରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଆଉ ଏକ ଘଟଣା ପୁଣି ଚର୍ଚାକୁ ଆସିଛି । ସିବିଆଇ ଦ୍ୱାରା ଗିରଫ ପରେ ଜଣକ ପରେ ଜଣେ ଟିଏମସି ନେତା ଓ ମନ୍ତ୍ରୀ ହଠାତ୍ ଅସୁସ୍ଥ ହେଉଛନ୍ତି । ଫଳରେ ଜେଲ ହାଜତରୁ ଡାକ୍ତରଖାନାକୁ ସିଫ୍ଟ୍ ହୋଇଛନ୍ତି ଗିରଫ ଟିଏମସି ନେତା । ଯାହା ଏବେ ଚର୍ଚାର କାରଣ ହୋଇଛି । ପ୍ରଥମେ ମଦନ ମିତ୍ର ଅସୁସ୍ଥ ହେବାରୁ ଜେଲ ହାଜତରୁ ତାଙ୍କୁ ଏସଏସକେଏମ୍ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଗତକାଲି ବିଳମ୍ୱିତ ରାତିରେ ଏହା ଘଟିବା ପରେ ପରେ ସୌଭନ ଚଟର୍ଜୀ ମଧ୍ୟ ସମାନ ଢଙ୍ଗରେ ଅସୁସ୍ଥ ହୋଇଗଲେ । ତେଣୁ ତାଙ୍କୁ ମଧ୍ୟ ଏସଏସକେଏମ୍ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହା ପରେ ଏହି ତାଲିକାରେ ସାମିଲ ହୋଇଛନ୍ତି ସୁତ ମୁଖର୍ଜୀ । ଗତକାଲି ନାରଦା ଷ୍ଟିଙ୍ଗ୍ ମାମଲାରେ ସିବିଆଇ ଟିଏମସିର ୨ ଜଣ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବ ସାଂସଦଙ୍କ ଘରେ ଚଢାଉ କରିଥିଲା । ଏହା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ପାଇଁ ପ୍ରକ୍ରିୟା କରୁଥିବା ସମୟରେ ସିବିଆଇ ଅଫିସ ଭିତରେ ପହଁଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସିବିଆଇ ଅଫିସ ଭିତରେ ଗରଫଦାରୀ ବିରୋଧରେ ବସିଥିଲେ ପ୍ରାୟ ୬ ଘଂଟା । ସିବିଆଇ ଅଫିସ ବାହାରେ ଶହ ଶହ ସଂଖ୍ୟାରେ ଟିଏମସି ସମର୍ଥକ ହଙ୍ଗାମା ବିରୋଧ କରିବା ସହ ଢେଲା ପଥର ମାଡ କରିଥିଲେ । ଭିଡ ରୋକିବାକୁ ସୁରକ୍ଷାକର୍ମୀ ଲାଠି ମାଡ ବି କରିଥିଲେ । ତେବେ ୭ ଘଂଟା ପରେ ସିବିଆଇ ବିଶେଷ ଅଦାଲତରୁ ୪ ଟିଏମସି ନେତାଙ୍କୁ ଜାମିନ୍ ମିଳିଥିଲା । ଏହା ପରେ ସିବିଆଇ ଏହି ଜାମିନ୍ ବିରୋଧରେ ରାତିରେ କୋଲକାତା ହାଇକୋର୍ଟଙ୍କ କବାଟ ବାଡେଇଥିଲେ । ତଳ କୋର୍ଟର ଜାମିନ୍ ଉପରେ ରୋକ୍ ଲଗାଇ ଦେଲେ ହାଇକୋର୍ଟ । ଫଳରେ ଜାମିନରେ ବାହାରିବାକୁ ଥିବା ୪ ନେତାଙ୍କୁ ସିବିଆଇ ଗିରଫ କରି ଜେଲ ପଠାଇ ଦେଇଥିଲା । ବର୍ତମାନ ଜଣକ ପରେ ଜଣେ ନେତା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହେଉଛନ୍ତି । ନେତାଙ୍କ ହଠାତ୍ ଏପରି ଅସୁସ୍ଥ ହେବା ପଛରେ ରାଜନୈତିକ ଗନ୍ଧ ଆସୁଥିବା ଚର୍ଚା ହେଉଛି ।
ନାରଦା ଷ୍ଟିଙ୍ଗ୍ ମାମଲା: ତଳ କୋର୍ଟର ଜାମିନ ଉପରେ ହାଇକୋର୍ଟଙ୍କ ରୋକ୍, ଗିରଫ ପରେ ହଠାତ୍ ଅସୁସ୍ଥ ହେଉଛନ୍ତି ଟିଏମସି ନେତା
Share with