(ଡ଼ଃ କପିଳେନ୍ଦ୍ର ଦାସ): ପବିତ୍ର ଭାରତ ଭୂମିରେ ଯେଉଁ କେତେଜଣ ଯୋଗଜନ୍ମା ବିଶ୍ୱ ବିଖ୍ୟାତ ମହାପୁରୁଷ ଜନ୍ମ ଗ୍ରହଣ କରିଛନ୍ତି ସେହି ମାନଙ୍କ ମଧ୍ୟରେ ବାବାସାହେବ ଡ଼କ୍ଟର ବି.ଆର. ଆମ୍ବେଦକର ଅନ୍ୟତମ । ସେଥିଲେ ଚିନ୍ତାଶୀଳ, ଦୂରଦ୍ରଷ୍ଟା, ନିର୍ଭୀକ ବଳିଷ୍ଟ ବ୍ୟକ୍ତିତ୍ୱ ଓ କୃତୀତ୍ୱର ଅଧିକାରୀ । ଏକା ଧାରରେ ଦାର୍ଶନିକ, ଐତିହାସିକ, ଅଧ୍ୟାପକ, ଅର୍ଥନୀତିଜ୍ଞ, ଆଇନଜ୍ଞ, ରାଷ୍ଟ୍ରନିତିଜ୍ଞ, ରାଜନୈତିଜ୍ଞ, ବାଗ୍ମୀ, ଯୁକ୍ତିବାଦୀ, ସାମ୍ୟବାଦୀ, ଜାତୀୟତାବାଦୀ ଏବଂ ସର୍ବୋପରେ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି । ନିଜର ମେଧା ଓ ଜ୍ଞାନ ଶକ୍ତି ବଳରେ ସେ ଭାରତ କାହିଁକି ସାରା ବିଶ୍ୱରେ ସେ ଚିରସ୍ମରଣୀୟ । ଭାରତରେ ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସଂସ୍କାର ଆଣିବାର ଥିଲା ଆମ୍ବେଦକରଙ୍କର ମୁଖ୍ୟ ଉଦ୍ଦେଶ୍ୟ । ତାଙ୍କର ସ୍ୱପ୍ନର ଭାରତ – ପ୍ରବୁଦ୍ଧ ଭାରତ । ଭାରତରେ ସମାନତା, ସ୍ୱାତନ୍ତ୍ରତା ଏବଂ ଭାତୃତ୍ୱ ମନୋଭାବ ପ୍ରତିଷ୍ଠା କରିବାର ଥିଲା ତାଙ୍କର ଅନ୍ୟ ଏକ ଉଦ୍ଦେଶ୍ୟ । ସେ ଏପରି ଲୋକ ପ୍ରିୟତା ହାସଲ କଲେ ଯେ ସମସ୍ତଙ୍କର ସ୍ନେହ ଓ ଶ୍ରଦ୍ଧାର ଭାଜନ ହୋଇ “ବାବାସାହେବ” ନାମରେ ପରିଚିତ ହେଲେ ।
ଜୀବନର ଘାତ-ପ୍ରତିଘାତ, ବାଧା-ବିଘ୍ନ ତଥା ଦାରିଦ୍ରତାର ସମ୍ମୁଖୀନ ହୋଇ କ୍ରୋଧ, ନିନ୍ଦା ଓ ଘୃଣା ଇତ୍ୟାଦିର ଶିକାର ହୋଇ ମଧ୍ୟ ଏମ୍.ଏ, ପି.ଏଚ୍.ଡି, ଡ଼ିଏସି, ଏଲ୍ଏଲ୍ଡି, ଡି.ଲିଟ, ବାର୍ ଏ ଟ୍ ଲ ଇତ୍ୟାଦି ଭଲି ମୋଟ ୯ଟି ବିଦେଶୀ ଡ଼ିଗ୍ରୀ ଏବଂ ୧୨ଟି ଭାରତୀୟ ଡ଼ିଗ୍ରୀ ହାସଲ କରି ବିଶ୍ୱର ଜଣେ ସୁପ୍ରସିଦ୍ଧି ବିଦ୍ୱାନ ଭାବରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ । କାରଣ ସେଥିଲେ ଅଧ୍ୟବସାୟୀ ଏବଂ ଜ୍ଞାନର ଗନ୍ତାଘର । ପୃଥିବୀରେ ଆମ୍ବେଦକର ଜଣେ ମାତ୍ର ବ୍ୟକ୍ତି ଯାହାଙ୍କର ଗ୍ରନ୍ଥାଗାରରେ ୫୦,୦୦୦ ରୁ ଉଦ୍ଦ୍ୱର୍ ପୁସ୍ତକ ସଂରକ୍ଷିତ ହୋଇ ରହିଥିଲା । ସେ ଅନେକ ଧର୍ମଶାସ୍ତ୍ର ଓ ଦର୍ଶନଶାସ୍ତ୍ର ଅଧ୍ୟୟନ କରି ପାଣ୍ଡିତ୍ୟ ଅର୍ଜନ କରି ବହୁମୁଖୀ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ।
ସେ ଅନେକ ଗ୍ରନ୍ଥ, ଲେଖା ଓ ଭାଷଣ ଛାଡି ଯାଇଛନ୍ତି । ସେଗୁଡିକ ହେଲା- ବୁଦ୍ଧ ଓ ତାଙ୍କର ଧର୍ମ, ପାକିସ୍ତାନ – ଭାରତ ବିଭାଜନ, ଅସ୍ପୃଶ୍ୟ, ଅସ୍ପୃଶ୍ୟ ମାନଙ୍କ ପ୍ରତି କଂଗ୍ରେସ ଓ ଗାନ୍ଧୀ କ’ଣ କହିଛନ୍ତି, ଅସ୍ପୃଶ୍ୟ ମାନଙ୍କର ମୁକ୍ତି, ହିନ୍ଦୁ ନାରୀର ଉତ୍ଥାନ ଓ ପତନ, ଜାତିର ବିନାଶ- ମହାତ୍ମା ଗାନ୍ଧୀଙ୍କୁ ଏକ ଉତ୍ତର ସହ, ରାଣାତେ, ଗାନ୍ଧୀ ଓ ଜିହ୍ନା, ସଂସଦୀୟ ଗଣତନ୍ତ୍ର ସଂପର୍କରେ, ବୌଦ୍ଧଧର୍ମ ଓ ସାମ୍ୟବାଦ୍, ଟଙ୍କାର ସମସ୍ୟା- ଏହାର ସୃଷ୍ଟି ଓ ସମାଧନ, ଭାଷା ଭିତିକ ରାଜ୍ୟ ମାନଙ୍କ ଉପରେ ଚିନ୍ତନ, ବ୍ରିଟିଶ ଭାରତରେ ପ୍ରାଦେଶିକ ଅର୍ଥ ବ୍ୟବସ୍ଥାର ବିବର୍ତନ ଇତ୍ୟାଦି । ଏହା ବ୍ୟତୀତ ମୁକ ନାୟକ, ବହିଷ୍କୃତ ଭାରତ ଓ ଦି ଜନତା ପତ୍ରିକା ମଧ୍ୟ ସେ ପ୍ରକାଶନ କରିଥିଲେ । ସ୍ୱଳ୍ପ ସମୟ ପାଇଁ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ସଂଗେ ଆଇନ ବ୍ୟବସାୟରେ ମଧ୍ୟ ନିଜକୁ ବିନିଯୋଗ କରିଥିଲେ । ସେ ହେଉଛନ୍ତି ସ୍ୱାଧିନ ଭାରତର ପ୍ରଥମ ଆଇନମନ୍ତ୍ରୀ । କିନ୍ତୁ ନାରୀମାନଙ୍କର ଅଧିକାର ପ୍ରସ୍ତାବ ଅଗ୍ରାହ୍ୟ ହେବା ହେତୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବାବାସାହେବ କେବଳ ଜଣେ ମାତ୍ର ବ୍ୟକ୍ତି ଯିଏକି ନାରୀମାନଙ୍କର ସୁରକ୍ଷା ଓ ଅଧିକାର ପାଇଁ ଲଢୁଥିଲେ । ନାରୀମାନଙ୍କର ହିନ୍ଦୁ କୋଡ଼ ବିଲ ପାଇଁ ପ୍ରସ୍ତୁତ କରାଯାଇଥିବା ଡ୍ରାଫ୍ଟ ପାଇ ତାଙ୍କୁ “ଆଧୁନିକ ମନୁ” ଆଖ୍ୟା ଦିଆଯାଇଥିଲା । ଭାରତୀୟ ନାରୀ ମାନଙ୍କର ସାମାଜିକ ସଂସ୍କାର ପାଇଁ ସେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ ।
ସେ କେବଳ ଭାରତ ସମ୍ବିଧାନର ପିତା ନ ଥିଲେ, ସେ ଥିଲେ ଭାରତର ଜାତୀୟତାବାଦୀ ରାଷ୍ଟ୍ର ନାୟକ ଏବଂ ଆଧୁନିକ ଭାରତର ନିର୍ମାତା । ଆମ୍ବେଦକର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଭାରତରେ ଜାତି, ଧର୍ମ, ବର୍ଣ୍ଣ, ଶ୍ରେଣୀ, ନିର୍ବିଶେଷରେ ସମସ୍ତଙ୍କର ପାଇଁ ସାବାଳକ ଭୋଟପ୍ରଥ।। ପାଇଁ ସ୍ୱର ଉତ୍ତୋଳନ କରିଥିଲେ ଏବଂ ତାହା ଭାରତ ସମ୍ବିଧାନରେ ସ୍ଥାନିତ ହେଲା । ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନ ତାଙ୍କର ଅନ୍ୟ ଏକ ଅବଦାନ । ଆମ୍ବେଦକର ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ପ୍ରଥମେ ଭାରତରେ ଇମ୍ପ୍ଲଇଜ ଷ୍ଟେଟ ଇନ୍ସୁରେନ୍ସ ଆକ୍ଟ ପ୍ରଣୟନ କରାଇ ପାରିଥିଲେ । ଭାରତରେ କର୍ମନିୟୋଜନ କାର୍ଯ୍ୟାଳୟ ପ୍ରତିଷ୍ଠା ଓ ଟ୍ରେଡ୍ ୟୁନିୟନ ଆକ୍ଟ ଲାଗୁ କରିବା ତାଙ୍କର ଅନ୍ୟତମ ଅବଦାନ । ଭାରତରେ ଜଳସଂପଦ ଓ ବିଦ୍ୟୁତ ଶକ୍ତିର ବିନିଯୋଗ ଓ ଉନ୍ନତି ପାଇଁ ଭିତ୍ତି ସ୍ଥାପନ କରିଥିଲେ । ବହୁମୁଖୀ ନଦୀବନ୍ଧ ଯୋଜନାର ପଥପ୍ରଦର୍ଶକ ହେଉଛନ୍ତି ବାବାସାହେବ । ଯାହାଙ୍କର ଅଦମ୍ୟ ଚେଷ୍ଟାରେ ଭାରତରେ ଦାମୋଦର ଉପତ୍ୟକା ଯୋଜନା, ଭାକ୍ରାନଙ୍ଗଳ ଯୋଜନା, ସୋନନଦୀ ଉପତ୍ୟକା ଯୋଜନା ଓ ହିରାକୁଦ ନଦୀ ବନ୍ଦ ଯୋଜନା ପ୍ରତିଷ୍ଠା ଲାଭ କରିପାରିଛି । ୬ ରୁ ୧୪ ବର୍ଷ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ସ୍ତରରେ ଗୁଣାତ୍ମକ, ବାଧ୍ୟତାମୁଳକ ଏବଂ ମୁକ୍ତ ଶିକ୍ଷା ଦେବାର ସୁଯୋଗ ବ୍ୟବସ୍ଥା ସେ ଚାହିଁଥିଲେ ଏବଂ ସମ୍ବିଧାନରେ ମଧ୍ୟ ତାକୁ ସ୍ଥାନିତ କରିଥିଲେ ଫଳସ୍ୱରୂପ ସାମ୍ପ୍ରତିକ ପରିସ୍ଥିତିରେ ତାହା ବାଧ୍ୟତା ଏବଂ ମୁକ୍ତ ଶିକ୍ଷାର ଆଇନ ପରିସରଭୁକ୍ତ ହୋଇଅଛି ।
ଜାତି ଭିତ୍ତିକ ଅର୍ଥନୀତି, ଶ୍ରମିକ ସମସ୍ୟା, ଅର୍ଥର ବିକେନ୍ଦ୍ରୀକରଣ, ଶ୍ରମିକ କଲ୍ୟାଣ ପାଣ୍ଠି ଭାରତରେ ପ୍ରଚଳନ କରିବା ଆମ୍ବେଦକରଙ୍କର ଏକ ପ୍ରୟାସ ଓ ପ୍ରଚେଷ୍ଟାର ଫଳ । ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ଯଥା- ଜଳସେଚନ, ବିଦ୍ୟୁତ, ରାସ୍ତାଘାଟ, ଖଣିଜ ସଂପଦର ବିନିଯୋଗ, ରେଲୱେଜ ଓ ୱାଟରୱେଜ ଇତ୍ୟାଦିର ଉନ୍ନତି ଉପରେ ଗୁରୁତ୍ୱ ଦେଇ ବହୁବାର ସରକାରଙ୍କର ସେ ଚାପ ପକାଉ ଥିଲେ ।
ଭାରତୀୟ ଜାତୀୟ ପତାକାରେ “ଅଶୋକ ଚକ୍ର (ଧର୍ମଚକ୍ର)” ଚିହ୍ନକୁ ଭାରତର ଜାତୀୟ ପ୍ରତୀକ ରୂପେ ଗ୍ରହଣ କରାଇ ଅର୍ନ୍ତଭୁକ୍ତ କରାଇବା କେବଳ ବାବାସାହେବଙ୍କର ଅନ୍ୟଏକ ବଳିଷ୍ଠ ଉଦ୍ୟମ ।
ଡ଼କ୍ଟର ବି.ଆର୍. ଆମ୍ବେଦକର ଭଗବାନ ବୁଦ୍ଧ, ପ୍ରଫେସର ଜନ୍ଡିଓି୍ୱ, ପ୍ରଫେସର ରବର୍ଟ ଏଣ୍ଡରସନ ସେଲିକମେନ୍, କାର୍ଲମାର୍କ୍ସ, ମହାତ୍ମା ଜ୍ୟୋତି ରାଓ ଫୁଲେଙ୍କର ଆଦର୍ଶ ଓ ନୀତିରେ ଅନୁପ୍ରାଣିତ ହୋଇ କେତେକ ଉଦାର ପନ୍ଥୀ ଉଚ୍ଚବର୍ଣ୍ଣ ହିନ୍ଦୁଙ୍କର ସାହାଯ୍ୟ ଓ ସହାନୁଭୁତି ଲାଭକରି ପାଶ୍ଚାତ୍ୟରେ ଉଚ୍ଚ ଶିକ୍ଷାଲାଭ କରି ଦୃଷ୍ଟିଭଙ୍ଗିରେ- ବୌଦ୍ଧିକତା ଓ ତର୍କବାଦୀ, ସ୍ୱଭାବରେ ବିପ୍ଲବୀ, ଭାରତୀୟ ସମ୍ବିଧାନର ପିତା, ଭାରତର ଦୀପ୍ତିମାନ ଓ ବିଚକ୍ଷଣ ଆଇନଜ୍ଞ, ଭାରତ ଆଇନର ପିତା, ଆଧୁନିକ ଭାରତର ନିର୍ମାତା, ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଜଣେ ମାତ୍ର ଭାରତୀୟ ଯିଏକି ପ୍ରଥମ ପି.ଏଚ୍.ଡି. ଡ଼ିଗ୍ରୀଧାରୀ, ଜଣେମାତ୍ର ଭାରତୀୟ ଯିଏକି ଡ଼ି.ଏସ୍.ସି. ଡ଼ିଗ୍ରୀଧାରୀ, ଜଣେ ମାତ୍ର ଭାରତୀୟ ଯାହାଙ୍କର ଫଟୋ ଲଣ୍ଡନର ମ୍ୟୁଜିୟମରେ କାର୍ଲମାର୍କସ୍ଙ୍କ ସହିତ ସଂରକ୍ଷିତ ଏବଂ ନିଜକୁ ଜଣେ ଶ୍ରେଷ୍ଠ ସମାଜ ସଂସ୍କାରକ, ଶିକ୍ଷାବିତ ଓ ବିଶିଷ୍ଟ ବିଦ୍ୱାନ ଭାବରେ ପ୍ରତିଷ୍ଠିତ କରାଇ ପାରିଥିଲେ ।
ବାବାସାହେବ ଙ୍କ ନାମରେ ୧୨ଟି ଚଳଚିତ୍ର ନିର୍ମାଣ ହୋଇଛି । ୩ଟି ବୌଦ୍ଧ ମନ୍ଦିର, ୧୩ଟି ବିଶ୍ୱବିଦ୍ୟାଳୟ, ୩୬ଟି ମହାବିଦ୍ୟାଳୟ ଓ ଶିକ୍ଷା ଗବେଷଣା ଅନୁଷ୍ଠାନ, ୪ଟି ରେଲୱେ ଷ୍ଟେସନ, ୨ଟି ବିମାନବନ୍ଦର, ୯ଟି ଷ୍ଟାଡ଼ିୟମ, ୧୫ଟି ସଂଗ୍ରାହଳୟ, ପାର୍କ ଓ କୋଠା, ୫ଟି ଗ୍ରନ୍ଥାଗାର, ୮ଟି ଡ଼ାକ୍ତରଖାନା, ୪ଟି ଗ୍ରାମ ଓ ସହର, ୮ଟି ସଂଗଠନ ତାଙ୍କ ନାମରେ ନାମିତ ଓ ପରିଚାଳିତ । ତାଙ୍କ ନାମରେ କେନ୍ଦ୍ର ସରକାରଙ୍କ ତରଫରୁ ୨ଟି ଏବଂ ୫ଟି ରାଜ୍ୟ ସରକାରମାନଙ୍କ ତରଫରୁ ୧୩ଟି ପୁରସ୍କାର ଦିଆଯାଉ ଅଛି ।
ଭାରତରେ ହିନ୍ଦୁଧର୍ମରେ ଜାତି ଭିତ୍ତିକ ବ୍ୟବସ୍ଥାରେ ବିଚଳିତ ଓ ବ୍ୟଥିତ ହୋଇ ବାବାସାହେବ କହିଥିଲେ “ମୁଁ ହିନ୍ଦୁ ହୋଇ ଜନ୍ମ ହୋଇଛି କିନ୍ତୁ ହିନ୍ଦୁ ହୋଇ ମୃତ୍ୟୁବରଣ କରିବି ନାହିଁ ।” ତେଣୁ ୧୯୫୬ ମସିହା ଅକ୍ଟୋବର ୧୪ ତାରିଖ ଦିନ ନାଗପୁର ଠାରେ ଏକ ବିରାଟ ଉତ୍ସବ ମଧ୍ୟରେ ନିଜର ଲକ୍ଷଲକ୍ଷ ଅନୁଗାମୀଙ୍କ ସହିତ ବୌଦ୍ଧଧର୍ମ ଗ୍ରହଣ କଲେ ।
ଜଣେ ମହାନ ବୌଦ୍ଧ ସନ୍ୟାସୀ ଯିଏକି ବାବାସାହେବଙ୍କୁ ବୌଦ୍ଧଧର୍ମରେ ଦୀକ୍ଷିତ କରାଇ କହିଥିଲେ “ଆମ୍ବେଦକର ଆଧୁନିକ ଯୁଗର ବୁଦ୍ଧଦେବ ।”
କଲମ୍ବିଆ ବିଶ୍ୱବିଦ୍ୟାଳୟ ୨୦୦୪ ମସିହାରେ ବିଶ୍ୱର ୧୦୦ ଜଣ ଶ୍ରେଷ୍ଠ ବିଦ୍ୱାନ ମାନଙ୍କର ତାଲିକା ପ୍ରସ୍ତୁତ କରିଥିଲା ଏବଂ ସେହି ୧୦୦ ଜଣ ଶ୍ରେଷ୍ଠ ବିଦ୍ୱାନ ତାଲିକାରେ ବାବାସାହେବଙ୍କର ନାମ ପ୍ରଥମରେ ଥିଲା । କଲମ୍ବିଆ ବିଶ୍ୱବିଦ୍ୟାଳୟ ତାର ପରିସର ମଧ୍ୟରେ ବାବାସାହେବଙ୍କର ଆବକ୍ଷ ମୂର୍ତ୍ତିକୁ ପ୍ରତିଷ୍ଠା କରି ରଖିଛି । ତାଙ୍କର ଭାରତ ପ୍ରତି ଅବଦାନ ଓ ଅସାଧାରଣ ପ୍ରତିଭାକୁ ସମ୍ମାନ ଦେଇ ଭାରତ ସରକାର ୬ ଅପ୍ରିଲ ୧୯୯୦ରେ ତାଙ୍କୁ ମରଣୋତ୍ତର ଭାରତର ସର୍ବଶ୍ରେଷ୍ଠ ସମ୍ମାନ “ଭାରତ ରତ୍ନ” ପ୍ରଦାନ କରିଥିଲେ ।
ପଣ୍ଡିତ ଚାଣକ୍ୟଙ୍କର ଉକ୍ତି ଏଠାରେ ପ୍ରଣିଧାନ ଯୋଗ୍ୟ- “ବିଦ୍ୱତଂ ଚ ନୃପତ୍ୱଚ ନୈବତୁଲ୍ୟଂ କଦାଚନ, ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର ପୂଜ୍ୟତେ ।” ଅର୍ଥାତ ରାଜା ନିଜ ଦେଶରେ ପୂଜିତ ହେଉଥିବା ବେଳେ ବିଦ୍ୱାନ ବ୍ୟକ୍ତି ସର୍ବତ୍ର ପୂଜା ପାଆନ୍ତି । ପ୍ରକୃତରେ ଏହି ଉକ୍ତିଟି ବାବାସାହେବଙ୍କ ପ୍ରତି ପ୍ରଯୁଜ୍ୟ ।
ପ୍ରକୃତରେ ବାବାସାହେବ ଜ୍ଞାନର ଗନ୍ତାଘର । ତେଣୁ ସେ ଜ୍ଞାନର ପ୍ରତୀକ ଭାବେ ପ୍ରତିଷ୍ଠିତ ଓ ବିବେଚିତ । ଏହି ଜ୍ଞାନର ପ୍ରତୀକଙ୍କ ଆଲୁଅ ଲିଭିଗଲା ୧୯୫୬ ମସିହା ଡ଼ିସେମ୍ବର ୬ ତାରିଖରେ । ଡ଼. ଆମ୍ବେଦକରଙ୍କର ଜ୍ଞାନ, ବ୍ୟକ୍ତିତ୍ୱ ଓ କୃତୀତ୍ୱ ପାଇଁ ଶିକ୍ଷାର ଯୋଗଦାନ ଥିଲା ମହତ୍ୱପୂର୍ଣ୍ଣ । ସେଥିପାଇଁ ଶିକ୍ଷାକୁ ମୂଳମନ୍ତ୍ର ଭାବରେ ଗ୍ରହଣ କରି ଏବଂ ତାଙ୍କର ଚିନ୍ତନ ଓ ଦର୍ଶନକୁ ଭିତିକରି ସେ କହିଛନ୍ତି:- “ଶିକ୍ଷିତ ହୁଅ- ଜ୍ଞାନପାଇଁ, ସଂଗଠିତ ହୁଅ- ଉତ୍ଥାନ ପାଇଁ ଏବଂ ସଂଘର୍ଷ କର- ସ୍ୱାଭିମାନ ପାଇଁ । ”
ଡ଼ଃ କପିଳେନ୍ଦ୍ର ଦାସ
ମୋ.ନଂ- ୭୮୯୪୫୨୯୮୦୧
ଭେଲା, ନୂଆପଡା,ଓଡିଶା,୭୬୬୧୦୬