ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସାଂସଦ ବସନ୍ତ ପଣ୍ଡା ଙ୍କ ଗାଁ ବଘାମୁଣ୍ଡା ରେ ଉଦଯାପିତ ହୋଇଯାଇଛି ଏକ ନିଆରା କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଗତ ୧୯ ତାରିଖ ରୁ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ମୁକାବିଲା ।
ମାଁ ଧରଣୀ କ୍ରିକେଟ ପଡିଆ ବଘାମୁଣ୍ଡା ରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୬ ଗୋଟି ଦଳ ଏଥିରେ ଭାଗ ନେଇଥିଲେ ।
ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା । ଗ୍ରାମାଞ୍ଚଳ ରେ ଆୟୋଜିତ ହେଉଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୁଳନାରେ ଏଠିକାର ଆୟୋଜନ ଥିଲା ଟିକିଏ ନିଆରା ଏବଂ ଭିନ୍ନ ଧରଣର । ଗ୍ରାମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ସିଧାସଳଖ ସଂପୃକ୍ତି ରହିଥିଲା ଏହି ଆୟୋଜନରେ । ସାଧାରଣତନ୍ତ୍ର ଦିବସ ଦିନ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ହୋଇଥିବା ଯୋଗୁଁ କ୍ରିକେଟ ପଡିଆ ରେ ସମସ୍ତ ଗ୍ରାମବାସୀ ଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
ଗ୍ରାମର ବରିଷ୍ଠ ନାଗରିକ, ରାଜ୍ୟପାଳ ପୁରସ୍କାର ପାଇଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ରୀବତ୍ସ ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଗାଁ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିଲା ସଙ୍ଗୀତ ଏବଂ ବକ୍ତବ୍ୟ ପ୍ରତିଯୋଗିତା । କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଏହା ପରେ ଗ୍ରାମ ର ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏସବୁ ସରିବା ପରେ ଆରମ୍ଭ ହୋଇଥିଲା ଏହି ଟୁର୍ଣ୍ଣାମେଣ୍ଟର final ମୁକାବିଲା । ମୁହାଁ ମୁହିଁ ହୋଇଥିଲେ ଦୁଇ ଦଳ , ବଘାମୁଣ୍ଡା ଏବଂ ଟିକ୍ରାପଡା ।
ପ୍ରଥମ ବ୍ୟାଟିଂ କରି ଟିକ୍ରାପଡା ଦଳ ନିର୍ଦ୍ଧାରିତ ୧୫ ଓଭର୍ ରେ ୫ ୱିକେଟ୍ ହରାଇ କରିଥିଲେ ୧୩୫ ରନ୍ । ଜବାବରେ ବଘାମୁଣ୍ଡା ଦଳ ୫ ୱିକେଟ୍ ହରାଇ ମାତ୍ର ୮୦ ରନ୍ ରେ ପରାଜୟ ସ୍ବୀକାର କରିଥିଲେ । ଏହି ମ୍ୟାଚ୍ ର ଦ୍ଵିତୀୟ ପର୍ଯ୍ୟାୟରେ କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପି ସଭାପତି ଶ୍ରୀ ପ୍ରସନ୍ନ କୁମାର ପାଢ଼ୀ ଙ୍କ ଉପସ୍ଥିତି ବେଶ୍ ଉତ୍ସାହ ଜନକ ଥିଲା । ଉଭୟେ ଏଇ ଗାଁ ମାଟି ର ହୋଇ ଥିବାରୁ କିଛି ସମୟ ମଜ୍ଜି ଯାଇଥିଲେ ନିଜର ଶୈଶବ ର କ୍ରୀଡା ଭୂମିରେ । ଉଭୟଙ୍କ ହାତରେ ବେଟ୍ , ବଲ ଦର୍ଶକ ଙ୍କ ପାଇଁ ବେଶ୍ ରୋମାଞ୍ଚକର ହୋଇଥିଲା ।
ଅଞ୍ଚଳରେ ପ୍ରଥମ ଥର ପାଇଁ ଏଇ ଟୁର୍ଣ୍ଣାମେଣ୍ଟରେ ସମସ୍ତ ମ୍ୟାଚରେ online scoring ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଫାଇନାଲ ମ୍ୟାଚ ରେ ବିଜୟୀ ଟିକ୍ରାପଡା ଦଳ ଏବଂ କୃତି ଖେଳାଳି ମାନଙ୍କୁ ସାଂସଦ ଶ୍ରୀ ପଣ୍ଡା ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥଲେ । ବଘା ମୁଣ୍ଡା ଭଳି ଏକ ଛୋଟିଆ ଗାଁ ରେ ଏପରି ଏକ ଭବ୍ୟ ଆୟୋଜନ ବେଶ୍ ପ୍ରଶଂସନୀୟ ଏବଂ ଏଥିରେ କେବଳ କ୍ରିକେଟ ଖେଳ ନୁହଁ ବରଂ ଶୃଙ୍ଖଳା, ଭାଇଚାରା , ସହଭାଗିତା ଓ ସମ୍ମାନ ର ଏକ ବଡ଼ ଉଦାହରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନରେ ଆଦର୍ଶ, ଛବି, ରଶ୍ମି, ରମ୍ୟ, ଅମନ୍, ଗୋପୀ, ଦାଉ ତଥା ସମସ୍ତ କର୍ମକର୍ତ୍ତା ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।