Home Breaking News / ତାଜା ଖବର ରାଜରଣପୁରର ଇତିହାସରେ ଯୋଡ଼ି ହେଲା ଗୋଟିଏ ପରିବାରର ୨ଟି ନାଁ…

ରାଜରଣପୁରର ଇତିହାସରେ ଯୋଡ଼ି ହେଲା ଗୋଟିଏ ପରିବାରର ୨ଟି ନାଁ…

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ନୟାଗଡ: ନୟାଗଡ ଜିଲ୍ଲା ରାଜରଣପୁରର ଇତିହାସ ସହିତ ଯୋଡି ହୋଇଛି ଗୋଟିଏ ପରିବାରର ଦୁଇଟି ନାଁ। ଜଣେ ରାଜ୍ୟ ସ୍ତରରେ ନାଁ କରିଥିବା ବେଳେ ଆଉଜଣେ ଜାତୀୟ ସ୍ତରରେ ଆଜି ଚର୍ଚ୍ଚିତ ହୋଇଛନ୍ତି। ଓଡ଼ିଆ ସଙ୍ଗୀତକୁ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚାଇ ଥିବା ସେହି ଦୁଇ ଯମଜ ଭାଇ ହେଲେ ରଣପୁର ବ୍ଲକ ବୃନ୍ଦାବନପୁର ଗାଆଁର ବସନ୍ତ କୁମାର ମିଶ୍ର ଏବଂ ଶ୍ୱେତ କୁମାର ମିଶ୍ର। ଶ୍ରୀବସନ୍ତ କୁମାର ମିଶ୍ର ଏବେ ଜାତୀୟ ସ୍ତରରେ ଶ୍ରୀ ଜଗନ୍ନାଥଙ୍କ ଭଜନ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇ ରଣପୁର ପାଇଁ ଗୌରବ ଆଣି ପାରିଛନ୍ତି । ଶ୍ରୀ ମିଶ୍ର ଓଡ଼ିଶାର ଜଣେ ଆଗ ଧାଡ଼ିର ଭଜନ ସଂଗୀତ ନିର୍ଦ୍ଦେଶକ ଭାବେ ପରିଚିତ।ଡ଼ଃ. ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ପ୍ରଯୋଜିତ ଏବଂ ଲିଖିତ ହିନ୍ଦୀ ଭଜନ “ହେ କୃପାସାଗର” କୁ ଶ୍ରୀ ମିଶ୍ର ସ୍ୱରରେ ସଜାଇ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରଖ୍ୟାତ ଗଜଲ ଗାୟକ ପଦ୍ମଶ୍ରୀ ଅନୁପ ଜଲୋଟା ଏହାକୁ ଗାଇଛନ୍ତି । ଆମେରିକାରେ ବେଶ ଆଦୃତ ଲାଭ କରିଥିବା “ତତେ ଭଲପାଉରେ କାଳିଆ” ଭଜନର ୬ଟି ଗୀତର ନିର୍ଦ୍ଦେଶନା ଦେଇଥିବା ଦୁଇଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ଶ୍ରୀ ମିଶ୍ର ହେଉଛନ୍ତି ଜଣେ। ଏପରିକି ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜ ମଧ୍ୟ ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶିତ ବହୁ ଭଜନ ଗାଇଛନ୍ତି। ବିଭିନ୍ନ ଟିଭିର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସଂଗୀତ ପରିବେଷଣ କରି ବେଶ ସୁନାମ ଅର୍ଜନ କରିଛନ୍ତି ସେ । ଶ୍ରୀ ମିଶ୍ର ୧୯୯୨ ମସିହାରେ ଭୁବନେଶ୍ୱର ସଂଗୀତ ମହାବିଦ୍ୟାଳୟରୁ ପଖାଉଜରେ ସ୍ନାତକ ଡିଗ୍ରୀ ହାସଲ କରି ସଂଗୀତ ଜଗତରେ ପାଦ ଥାପି ଥିଲେ। ସେ କୁହନ୍ତି ଜଗନ୍ନାଥଙ୍କ ଇଚ୍ଛାରୁ ଏ ସବୁ ସମ୍ଭବ ହୋଇପାରିଛି ବୋଲି ।
ସେହିପରି ଶ୍ରୀ ମିଶ୍ରଙ୍କ ବଡ଼ ଭାଇ ଶ୍ୱେତ କୁମାର ମିଶ୍ର ମଧ୍ୟ କମ ସୁନାମ ସାଉଁଟି ନାହାନ୍ତି । ଜଣେ ସଂଗୀତ ଗୁରୁ, ପ୍ରସିଦ୍ଧ ପ୍ଲେ ବ୍ୟାକ କି ବୋର୍ଡ ପ୍ଲେୟାର, ଏବଂ କଣ୍ଠଶିଳ୍ପୀ ଭାବରେ ସେ ଖୁବ ଜଣାଶୁଣା। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସଂଗୀତ ଜଗତରେ ସର୍ବଦା ଜାଗ୍ରତ କଳାକାର। ଓଡ଼ିଶାର ଆଗଧାଡ଼ିର ଆଧ୍ୟାତ୍ମିକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ପ୍ଲେବ୍ୟାକ କିବୋର୍ଡ଼ ପ୍ଲେୟାର ଭାବରେ ରାଜ୍ୟରେ ବେଶ ସୁପରିଚିତ। ନୟାଗଡ଼ର ବହୁ ଯାତ୍ରାମଞ୍ଚ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତ ଶ୍ରୀ ମିଶ୍ର ମହୋଦୟ। ଓଡିଶୀ, ଛାନ୍ଦ, ଚମ୍ପୁ, ଆଦି ଗାଇବାରେ ବେଶ ପାରଙ୍ଗମ । ଦୁଇଭାଇ ନିଜର ଗୋଟିଏ ଭଜନ ଗ୍ରୁପ କରି ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି।
ଉଭୟେ ଭୁବନେଶ୍ୱର ସଂଗୀତ ମହାବିଦ୍ୟାଳୟରେ ସଂଗୀତ ଶିକ୍ଷା ଲାଭ କରିସାରିବା ପରେ ଆଉ ପଛକୁ ଫେରି ନାହାଁନ୍ତି। ଶ୍ରୀ ମିଶ୍ର ସଂଗୀତ ଜୀବନର ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ତରଫ ରୁ “ଚିଲିକା ବଞ୍ଚାଓ ” କାର୍ଯ୍ୟକ୍ରମରେ ଦିଲ୍ଲୀରେ ନିଜ ମ୍ୟୁଜିକର ଯାଦୁ ପ୍ରଦର୍ଶନ କରିଥିଲେ । ସାନ ଭାଇ ବସନ୍ତ ମିଶ୍ରଙ୍କ ସଂଗୀତ ନିର୍ଦେଶନାରେ ଗାଇଥିବା ବହୁ ଚର୍ଚ୍ଚିତ ଭଜନ ଗୁଡିକ ମଧ୍ୟରେ “ଜୀବ ଦିନେ ଶବ ପାଲଟିବ”, “ବାବା ଧବଳେଶ୍ବର”, ଆଦି ପ୍ରଧାନ। ବହୁ ଅଭାବ ଅନାଟନ ମଧ୍ୟରେ ଉଭୟ କେବଳ ଜଗନ୍ନାଥଙ୍କ ଭଜନକୁ ଛାଡି ଅନ୍ୟ ଗୀତ କରିବାକୁ କେବେବି ଚାହିଁ ନାହାଁନ୍ତି। ପରିବାରର ସହଯୋଗ ତାଙ୍କୁ ଏତେବାଟ ଆଣି ପାରିଛି ବୋଲି ସେମାନେ କୁହନ୍ତି। ନିଜର ସାରସ୍ୱତ ସଂଗୀତ ସାଧନା ପାଇଁ ବହୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଛନ୍ତି ଦୁଇ ଭାଇ। ନିଜ ଅଞ୍ଚଳର ଗୌରବ ବୃଦ୍ଧି କରି ଆଜି ଏ ଦୁଇ ଭାଇ ବେଶ ଚର୍ଚ୍ଚିତ। ଗୋଟେ ଗାଁରୁ ମୁମ୍ବାଇରେ ପହଞ୍ଚିବା ପୁଣି ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଶ୍ରୀ ବସନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ଗୀତରେ କଣ୍ଠଦାନ କରିବା କମ ଗୌରବର କଥା ନୁହେଁ।

related posts

Leave a Comment